ଖେଳ

RCCL: ରେଡିଓ ଚକ୍‌ଲେଟ୍‌ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌: ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିଜେତା

ସମ୍ବାଦ, ସମ୍ବାଦ ଡିଜିଟାଲ, କନକ ନ୍ୟୁଜ୍‌ ଓ ରେଡିଓ ଚକ୍‌ଲେଟ୍‌ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମୈଦାନଠାରେ ଚାଲିଥିବା ରେଡିଓ ଚକ୍‌ଲେଟ୍ କ୍ରିକେଟ୍ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ‌ସୂଚନା ଓ ଲୋକ ସମ୍ପର୍କ ବିଭାଗ ୯ ୱିକେଟ୍‌ରେ ଟିସିଏସ୍‌କୁ ହରାଇ ବିଜେତା ହୋଇଛି।

‌ଭୁବନେଶ୍ବର: ସମ୍ବାଦ, ସମ୍ବାଦ ଡିଜିଟାଲ, କନକ ନ୍ୟୁଜ୍‌ ଓ ରେଡିଓ ଚକ୍‌ଲେଟ୍‌ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମୈଦାନଠାରେ ଚାଲିଥିବା ରେଡିଓ ଚକ୍‌ଲେଟ୍ କ୍ରିକେଟ୍ ଲିଗ୍‌ (ଆର୍‌ସିସିଏଲ୍‌) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ‌ସୂଚନା ଓ ଲୋକ ସମ୍ପର୍କ ବିଭାଗ (ଆଇ ଆଣ୍ଡ ପିଆର୍‌) ୯ ୱିକେଟ୍‌ରେ ଟିସିଏସ୍‌କୁ ହରାଇ ବିଜେତା ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିସିଏସ୍‌ ୫.୨ ଓଭରରେ ୩୯ ରନ୍‌ରେ ୮ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ୯ ଓ ୧୦ ନମ୍ବର ବ୍ୟାଟର୍‌ ସତ୍ୟ ବାରିକ (୨୦) ଓ ଆର୍ଯ୍ୟନ ଦାଶ (୨୪, ୮ ବଲ୍‌, ୪ ଛକା) ଭଲ ଖେଳିବାରୁ ଦଳ ୧୦ ଓଭରରେ ୯୦ ରନ୍‌ କରିପାରିଥିଲା। ‌

ଆଇ ଆଣ୍ଡ ପିଆର୍‌ ପକ୍ଷରୁ ଦିବେଶ ସିଂହ ୩ ଏବଂ ଅଧିନାୟକ ଦେବୀଦତ୍ତ ଦାଶ, ଅନୁରାଗ ପୃ‌ଷ୍ଟି ଓ ଆଲୋକ ମହାରଣା ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଦେବୀଦତ୍ତ ଦାଶ (୪୫*, ୧୭ ବଲ୍‌, ୩ ଚୌକା, ୫ ଛକା) ଓ ଦିବେଶ ସିଂହ (୧୧*) ଅପରାଜିତ ରହି ଆଇ ଆଣ୍ଡ ପିଆର୍‌କୁ ୫.୫ ଓଭରରେ ବିଜୟ ଭେଟି ଦେଇଥିଲେ। କେବଳ ଆଲୋକ ମହାରଣା (୩୫, ୧୨ ବଲ୍‌, ୧ ଚୌକା, ୫ ଛକା)ଙ୍କ ୱିକେଟ୍‌ ଦଳ ହରାଇଥିଲା। ଦେବୀଦତ୍ତଙ୍କୁ ଉଭୟ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍‌ରେ ଆଇ ଆଣ୍ଡ ପିଆର୍‌ ୪୫ ରନ୍‌ରେ କାନାରା ବ୍ୟାଙ୍କ୍‌କୁ ଏବଂ ଟିସିଏସ୍‌ ୪୧ ରନ୍‌ରେ ଇଣ୍ଡିଆନ୍‌ ବ୍ୟାଙ୍କକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥି‌ଲେ।

ବିଜେତା ଦଳକୁ ୪୦,୦୦୦ ଟଙ୍କା ପୁରସ୍କାର

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ପାଦକ ସଞ୍ଜୟ ବେହେରା, ସୁଶ୍ରୁତ ହସ୍‌ପିଟାଲ୍‌ ଓ ଟ୍ରମା କେୟାର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଚିଦାତ୍ମିକା ଖଟୁଆ, ଛପନ ଭୋଗ ନିର୍ଦେଶିକା ନୀତେଶା ମହାନ୍ତି, ରିଲାଏନ୍ସ ରିଟେଲ ଲିମିଟେଡ୍‌ କ୍ଲଷ୍ଟର ମ୍ୟାନେଜର (ମାର୍କେଟିଂ) ଶଶାଙ୍କ କୁମାର, ସମ୍ବାଦ ଗ୍ରୁପ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ୍‌ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଏବଂ ଏସ୍‌ଜିଓ ନୂଆପଲ୍ଲୀ ସମ୍ପାଦକ ଭାଗ୍ୟଧର ଜଗଦେବ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୪୦,୦୦୦ ଓ ୨୦, ୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥି‌ଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button