Rice: ଓଡ଼ିଶା ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟ
ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ...

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (ବିଆଇଆରସି) ୨୦୨୬ରେ ରାଜ୍ୟର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଏହି ସ୍ୱତନ୍ତ୍ର ଉତ୍ପାଦକୁ ବଡ଼ ବଜାରରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।
ଏଥିରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନ (ସିବିଓ)ର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ପ୍ରଦର୍ଶିତ ଚାଉଳ ଉତ୍ପାଦଗୁଡ଼ିକ ମଧ୍ୟରେ ପୁରୀର ସାରଳା, ସୋନା ମସୁରୀ, ପୂଜା ଓ ସମ୍ରାଟ, କେନ୍ଦ୍ରାପଡ଼ାର ଲୀଳାବତୀ ସୁଗନ୍ଧିତ ଚାଉଳ, କୋରାପୁଟର ଜିଆଇ ଟ୍ୟାଗ୍ପ୍ରାପ୍ତ କଳାଜୀରା, ମୟୂରଭଞ୍ଜର ମୁଗେଇ, ସଲାଫୁଲା ଓ କଳାଚମ୍ପା, ବରଗଡ଼ର ବ୍ଲାକ ରାଇସ (ଜାସ୍ମିନ୍) ଚାଉଳ, ଗଞ୍ଜାମର ଖଣିପକା ଓ ବ୍ଲାକ ରାଇସ (ଲାବଣ୍ୟ), ସୁନ୍ଦରଗଡ଼ର କନ୍ଦେରାଝାଲ ଓ ମାଛକଣ୍ଟା ଏବଂ ଜଗତସିଂହପୁରର ଲୋଜିଆଇ ଚାଉଳ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱସ୍ତରରେ ପରିଚିତ କରାଇବାର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକଟ କରି କହିଛନ୍ତି। ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଚାଉଳ ପ୍ରୋସେସିଂ ସଂସ୍ଥା, ହୋଟେଲ, ରେସ୍ତୋରାଁ ଓ ବିଭିନ୍ନ ଅନୁଷ୍ଠାନର କ୍ରେତାଙ୍କ ସହ ଯୋଡ଼ିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




