River Land Encroachment: କୁଆଖାଇ-କୁଶଭଦ୍ରା ପଠା ମାଡ଼ିବସିଲେଣି ଜମି ମାଫିଆ, ବଢ଼ୁଛି ବନ୍ୟା ବିଭୀଷିକା ଆଶଙ୍କା

ବାଲିଅନ୍ତା,୧/୯(ପୀତବାସ ଦାଶ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ଦେଇ ପ୍ରବାହିତ କୁଆଖାଇ ଏବଂ କୁଶଭଦ୍ରା ନଦୀପଠାରେ ଜମି ମାଫିଆ ଓ ବିଲ୍ଡରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ସରକାରୀ ଜମିକୁ ଜବରଦଖଲ କରି ବେଆଇନ କୋଠାବାଡ଼ି ଓ ପାଚେରି ନିର୍ମାଣ କରାଯାଉଛି । ଏଥିସହ ହୋମ୍ ପାଇପ୍ ଓ ତାରବାଡ଼ ବୁଲାଇ ଶହ ଶହ ପଠା ଜମି କରାୟତ କରାଯାଉଛି । ଫଳରେ ନଦୀର ସ୍ୱଭାବିକ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଭୟଙ୍କର ବନ୍ୟା ବିଭୀଷିକା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।
ବିଲ୍ଡରମାନେ ସ୍ଥିତିବାନ ଜମି କିଣିବା ଆଳରେ ନଦୀଶଯ୍ୟା ପର୍ଯ୍ୟନ୍ତ ସରକାରୀ ପଠାଜମିକୁ ପ୍ରାଚୀର ଘେରାଇ ନେଉଛନ୍ତି । ମହାତ୍ମା ସେତୁ ନିକଟବର୍ତ୍ତୀ କୁଶଭଦ୍ରା ନଦୀଠାରୁ ଆରମ୍ଭ କରି ଭୁବନପୁର ସାଇଫନ୍ ମୁହଁ, ଇନ୍ଦ୍ରପାଳ, ରଙ୍ଗବଜାର, କଣ୍ଟାଗୋଠ, ବଇଁଚୁଆ, ପଥରକୋଟ, ରଥିଜେମା, ଟଙ୍କପାଣି ବଜାର ଓ ପ୍ରତାପ ଶାସନ ପଞ୍ଚାୟତ ପର୍ଯ୍ୟନ୍ତ ସର୍ବତ୍ର ବେଆଇନ କବ୍ଜା ଦେଖିବାକୁ ମିଳୁଛି । ଏହା ସହିତ ନଦୀପଠାରେ ବେଆଇନ ଭାବେ ମାଟି ଚିମିନି ଭାଟି ଚାଲୁଥିବାବେଳେ ରାତିଅଧିଆ ମାଟି ଚୋରି କରି ହାଇୱା ଓ ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଛି । ଏସବୁ ସତ୍ତେ୍ୱ ବାଲିଅନ୍ତା ତହସିଲ ପ୍ରଶାସନ ଓ କେନାଲ ସବ୍ ଡିଭିଜନ୍ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି ।
ସୌଜନ୍ୟ ପ୍ରମେୟ




