ନୂଆଦିଲ୍ଲୀ: ଗତବର୍ଷ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୬-୨୭ ଆର୍ଥିକ ବର୍ଷରେ ସେହି ସମାନ ୧୦ ହଜାର କିମି ନୂଆ ସଡ଼କ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୫-୨୬ରେ ୧୦ହଜାର କିମି ସଡ଼କ ତିଆରି କରିବା ଯୋଜନା ଥିଲା। ମାତ୍ର ଜମି ଅଧିଗ୍ରହଣରେ ସମସ୍ୟା ରହିବାରୁ ୯୩୮୦ କିମି ସଡ଼କ ତିଆରି ହୋଇପାରିଥିଲା। ୨୦୧୭-୧୮ ପରେ ସଡ଼କ ନିର୍ମାଣର ଏହା ଥିଲା ସବୁଠୁ ମନ୍ଥର ଗତି। ସେହିବର୍ଷ ୯,୮୨୯ କିମି ସଡ଼କ ତିଆରି ହୋଇଥିଲା।
ଜମି ଅଧିଗ୍ରହଣ, ଆବଶ୍ୟକ ବୈଧାନିକ ମଞ୍ଜୁରି ଏବଂ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ଦରକାର ହେଉଥିବା ମଞ୍ଜୁରି ହାସଲ କରିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟବରାଦ ପ୍ରଦାନ କରାଯିବ। ଫଳରେ ସେଗୁଡ଼ିକର କାମ ଶୀଘ୍ର ଆରମ୍ଭ ହୋଇପାରିବ। ସଡ଼କ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ଅତିକମ୍ରେ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଥିବାକୁ ସରକାର ନିଶ୍ଚିତ କରିବାକୁ ଚାହୁଛନ୍ତି। ଘର, ଦୋକାନ ଓ ଅନ୍ୟାନ୍ୟ ଢାଞ୍ଚା ଭାଙ୍ଗିବା ପାଇଁ ଅନୁମତି ହାସଲ କରିବା ମଧ୍ୟ ସଡ଼କ ପ୍ରକଳ୍ପ କାର୍ଯ୍ୟକୁ ବିଳମ୍ବ କରୁଛି। ତେଣୁ ସେହି ଅନୁମତି କିଭଳି ଶୀଘ୍ର ମିଳିପାରିବ ତାହା ଉପରେ ମଧ୍ୟ କାମ ହେଉଛି।
ଗତ କିଛି ବର୍ଷ ଧରି ସଡ଼କ ନିର୍ମାଣ କାର୍ଯ୍ୟ ମନ୍ଥର ହୋଇଛି। କମ୍ କାର୍ଯ୍ୟବରାଦ ଦିଆଯାଉଥିବାରୁ କମ୍ ସଡ଼କ ତିଆରି ହେଉଛି। ୨୦୨୨୧-୨୨ରେ ୧୦,୪୫୭ କିମି, ୨୦୨୨-୨୩ରେ ୧୦,୩୩୧ କିମି, ୨୦୨୩-୨୪ରେ ୧୨,୩୪୯ କିମି ଓ ୨୦୨୪-୨୫ରେ ୧୦,୬୬୦ କିମି ସଡ଼କ ତିଆରି ହୋଇଥିଲା। କରୋନା ମହାମାରୀ ଦ୍ବାରା ପ୍ରଭାବିତ ବର୍ଷ ୨୦୨୦-୨୧ରେ ରେକର୍ଡ ୧୩,୪୩୫ କିମିର ନୂଆ ସଡ଼କ ତିଆରି ହୋଇଥିଲା। ଅର୍ଥାତ ଦିନକୁ ହାରାହାରି ୩୭ କିମି ସଡ଼କ ନିର୍ମାଣ କରାଯାଇଥିଲା।
ସୌଜନ୍ୟ ସମ୍ବାଦ

