War: ଯୁଦ୍ଧ ଶେଷ ପାଇଁ ଆମେରିକାର ପ୍ରସ୍ତାବ, ପାକିସ୍ତାନ ଜରିଆରେ ଜବାବ ଦେଲା ଇରାନ

ଇସଲାମାବାଦ/ୱାସିଂଟନ: ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଓ ସାମରିକ ଉତ୍ତେଜନା ଶେଷ କରିବା ପାଇଁ ଆମେରିକା ପକ୍ଷରୁ ଦିଆଯାଇଥିବା ଶାନ୍ତି ପ୍ରସ୍ତାବ ଉପରେ ଇରାନ ଆଜି ନିଜର ଜବାବ ପଠାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବର ଉତ୍ତର ପାକିସ୍ତାନ ମାଧ୍ୟମରେ ଆମେରିକା ପାଖକୁ ପଠାଯାଇଛି, ଯାହା ଏବେ ବିଶ୍ୱ ରାଜନୀତିରେ ଏକ ନୂଆ ମୋଡ଼ ଆଣିବାକୁ ଯାଉଛି।

ଚଳିତ ସପ୍ତାହ ଆରମ୍ଭରେ ୱାସିଂଟନ ପକ୍ଷରୁ ଇରାନକୁ ଏକ ୧୪-ଦଫା ପ୍ରସ୍ତାବ ଦିଆଯାଇଥିଲା। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଶତ୍ରୁତା ଶେଷ କରିବା ଏବଂ ଗଲ୍ଫ ତଥା ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ରେ ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆମେରିକାର ସର୍ତ୍ତ ଅନୁଯାୟୀ, ଇରାନ ଅତିକମରେ ୧୨ ବର୍ଷ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧକରଣ ବନ୍ଦ କରିବା ସହ ୪୪୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବାକୁ ହେବ। ଏହାର ବଦଳରେ ଆମେରିକା ଇରାନ ଉପରୁ କଟକଣା ହଟାଇବା ସହ ଜବତ ହୋଇଥିବା ଶହ ଶହ କୋଟି ଡଲାର ସମ୍ପତ୍ତିକୁ ମୁକ୍ତ କରିବ ଏବଂ ବନ୍ଦରଗୁଡ଼ିକରୁ ନୌସେନା ଅବରୋଧ ପ୍ରତ୍ୟାହାର କରିବ।

ଇସଲାମାବାଦରୁ ଆସିଥିବା ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଆଜି ଇରାନର ଜବାବ ଗ୍ରହଣ କରିଛି। ଇରାନ ନିଜ ଜବାବରେ ଉପସାଗରୀୟ ଅଂଚଳରେ ସଂପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ଦାବି କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ହର୍ମୁଜରେ ଅବରୋଧ ଯୋଗୁଁ ବିଶ୍ୱ ଅର୍ଥନୀତି ସହ ପାକିସ୍ତାନ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି ଏବଂ ସେଠାରେ ତେଲ ଦର ଆକାଶଛୁଆଁ ହୋଇଛି। ଇରାନର ଏହି ଜବାବ ଉପରେ ଆମେରିକାର ଆଭିମୁଖ୍ୟ କ’ଣ ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ଯଦିଓ ଶାନ୍ତି ପ୍ରକ୍ରିୟା ଜାରି ରହିଛି, ଇରାନର ସାମରିକ ବାହିନୀ ପୁଣି ଥରେ ଆକ୍ରମଣ ହେଲେ ଆଶ୍ଚର୍ଯ୍ୟଜନକ ଯୁଦ୍ଧ କୌଶଳ ଆପଣାଇବ ବୋଲି ଚେତାବନୀ ଦେଇଛି।

 

 

ସୌଜନ୍ୟ ସମ୍ବାଦ