ମହାନଗର

Roof : ରାଜଧାନୀରେ ‘ଛାତ’ ଫେଲ୍‌

ରାଜଧାନୀରେ ଭୂତଳ ଜଳ ସ୍ତର ହ୍ରାସ ପାଉଛି। ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ତାହାକୁ ନଜରରେ ରଖି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର କମ୍ୟୁନିଟି ହାର୍ସେନିଂ......

ଭୁବନେଶ୍ବର: ରାଜଧାନୀରେ ଭୂତଳ ଜଳ ସ୍ତର ହ୍ରାସ ପାଉଛି। ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ତାହାକୁ ନଜରରେ ରଖି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର କମ୍ୟୁନିଟି ହାର୍ସେନିଂ ଆଣ୍ଡ ହାର୍ଭେଷ୍ଟିଂ ରେନ୍‌ୱାଟର ଆର୍ଟିଫିସିଆଲି ଫ୍ରମ୍‌ ଟେରାସ ଟୁ ଆକ୍ୟୁଫେର(ଛାତ) ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଭୁବନେଶ୍ବର ସମେତ ରାଜ୍ୟର ୨୨ଟି ସହରାଞ୍ଚଳରେ ବର୍ଷା ଜଳର ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ୨୭୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର, କଟକସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ସମେତ ରାଜ୍ୟର ୨୯,୫୦୦ଟି ବ୍ୟକ୍ତିଗତ କୋଠା ଓ ୧,୯୨୫ଟି ସରକାରୀ କୋଠାରେ ୫ ବର୍ଷ ମଧ୍ୟରେ ‘ଛାତ’ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବ୍ୟକ୍ତିଗତ କୋଠାରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ସର୍ବାଧିକ ୫୫ହଜାର ଟଙ୍କା ତଥା ବ୍ୟୟ ଅର୍ଥର ୫୦% ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଥିଲା।

୧୯୨୫ ସରକାରୀ କୋଠାରୁ ସହରାଞ୍ଚଳରେ ୭୬୫ ଓ ଗ୍ରାମାଞ୍ଚଳରେ ୧୧୬୦ କୋଠାରେ ପ୍ରକଳ୍ପ ହେବାର ଥିଲା। କେବଳ ୨୦୨୨-୨୩ରେ ସରକାରୀ କୋଠାରୁ ଗ୍ରାମାଞ୍ଚଳରେ ୩୬୦ଟି, ସହରାଞ୍ଚଳରେ ୬୫ଟି ଓ ୫୫୦୦ ବେସରକାରୀକୋଠାରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଥିଲା। ବାକି ୨୦୨୩-୨୪ରୁ ୨୦୨୬-୨୭ ପର୍ଯ୍ୟନ୍ତ ପ୍ରତିବର୍ଷ ଗ୍ରାମାଞ୍ଚଳରେ ୨୦୦ ଓ ସହରାଞ୍ଚଳରେ ୧୭୫ ସରକାରୀ କୋଠା ଏବଂ ୬ହଜାର ବେସରକାରୀ କୋଠାରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏ ବାବଦରେ ୨୦୨୨-୨୩ରେ ୫୧.୭୫ କୋଟି ଓ ଏହା ପରଠାରୁ ପ୍ରତିବର୍ଷ ୫୪.୫୬ କୋଟି, ଏଭଳି ମୋଟ ୨୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲା। ଇତିମଧ୍ୟରେ ୪ଟି ଆର୍ଥିକ ବର୍ଷ ଶେଷ ହୋଇଗଲାଣି। ଅର୍ଥାତ୍‌ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତା ସେତେଟା ଉତ୍ସାହଜନକ ହୋଇପାରି ନାହିଁ।

ଜଳ ସମ୍ପଦ ବିଭାଗ ସଚିବ ଶୋଭା ଶର୍ମାଙ୍କ ତଥ୍ୟ ଅନୁଯାୟୀ ଚିହ୍ନଟ ହୋଇଥିବା ୪୫୯ଟି ସରକାରୀ କୋଠା ମଧ୍ୟରୁ ୩୨୬ଟିରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଅନୁରୂପ ଭାବେ ଚିହ୍ନଟ ହୋଇଥିବା ୬,୧୪୦ଟି ବେସରକାରୀ କୋଠା ମଧ୍ୟରୁ ୪,୦୭୧ଟିରେ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସଚିବଙ୍କ ତଥ୍ୟରୁ ଜଣାପଡ଼ିଛି ଯେ  ଯେ ଆହୁରି ଶତାଧିକ ସରକାରୀ କୋଠାରେ ବର୍ଷା ଜଳ ଅମଳ ସୁବିଧା ଉପଲବ୍ଧ ହୋଇପାରି ନାହିଁ। ପରିଣାମ ସ୍ବରୂପ ଗ୍ରୀଷ୍ମ ଆରମ୍ଭରୁ ସହରରର ଭୂତଳ ଜଳ କମିଯାଇଛି। ଏବେ ବୋରିଂଗୁଡ଼ିକରୁ ଦୂଷିତ ଜଳ ବାହାରୁଛି, ଯାହାକି ଚିନ୍ତାର କାରଣ ପାଲଟିଛି। ସହରରେ ଥିବା ଜଳାଶୟ, ଉପକଣ୍ଠର ନଦୀ, ଚୂଆ, କୂଅ, ପୋଖରୀ, ବାମ୍ଫୀ ଏପରିକି ନଳକୂପଗୁଡ଼ିକର ଜଳ ଶୁଖିଗଲାଣି। ଆଗକୁ ସହରବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଜଳଜଳ ହୋଇ ଦିଶୁଥିବା ପରିବେଶବିତ୍‌ମାନେ କହିଛନ୍ତି।
ସବୁଠାରୁ ବଡ଼ କଥା ହେଲା, ‘ଛାତ’ ଯୋଜନାରେ ଭୁବନେଶ୍ବର ସହରରେ ବର୍ଷା ଜଳ ସଂରକ୍ଷଣ କରି ସହରବାସୀଙ୍କୁ ସ୍ୱଚ୍ଛ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସହରର କେତେକ ସ୍ଥାନରେ ଜଳର ମାନ ଭଲ ନଥିବାରୁ ‘ଛାତ’ ଯୋଜନାରେ ଜଳର ଗୁଣାତ୍ମକ ମାନ ସୁନିଶ୍ଚିତ କରିବାକୁ ଯୋଜନା ହୋଇଥିଲା। ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ ସରକାରୀ କ୍ୱାର୍ଟର୍ସ ଛାତରୁ ପାଣି ସଂଗ୍ରହ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ବଡ଼ ଯୋଜନା ହୋଇଥିଲା। ୨୦୦ ବର୍ଗ ମିଟର କ୍ଷେତ୍ରଫଳ ଓ ତିନି ମହଲାରୁ ଅଧିକ ଉଚ୍ଚତା ନଥିବା କୋଠାରେ ଏହି ପ୍ରକଳ୍ପ ବାଧ୍ୟତାମୂଳକ ହୋଇଥିଲା। ପରିଣାମ ସ୍ବରୂପ ପ୍ରକଳ୍ପ ଦ୍ୱାରା ବର୍ଷା ଦିନେ ଛାତରୁ ଗଡ଼ିଯାଉଥିବା ପାଣିକୁ ସଂରକ୍ଷଣ କରି ଭୂତଳ ଜଳକୁ ରିଚାର୍ଜ କରାଯାଇପାରିବ। ତେବେ ଏବେ ସୁଦ୍ଧା ଆଶାନୁରୂପ ସଫଳତା ମିଳିପାରି ନାହିଁ। ନୂଆ ନୂଆ ସରକାରୀ କୋଠାରେ କିଛିଟା ବ୍ୟବସ୍ଥା‌ ହେଉଥିଲେ ମଧ୍ୟ ପୁରୁଣା କୋଠାରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button