Russia: କିବ୍ ଉପରେ ରୁଷ୍ର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
ରୁଷ୍ ଗୁରୁବାର ୟୁକ୍ରେନର ରାଜଧାନୀ କିବ୍ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣ ପରେ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

କିବ୍: ରୁଷ୍ ଗୁରୁବାର ୟୁକ୍ରେନର ରାଜଧାନୀ କିବ୍ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣ ପରେ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ୟୁକ୍ରେନ କର୍ତ୍ତୃପକ୍ଷ କହିଛନ୍ତି, ରୁଷ୍ ପକ୍ଷରୁ ଆଗାମୀ ସମୟରେ ଆହୁରି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ବଢ଼ାଯାଇଛି।
ୟୁକ୍ରେନ ବାୟୁସେନା କହିଛି, ରୁଷ୍ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ବିଭିନ୍ନ ପ୍ରକାରର ଆକ୍ରମଣ କରିଛି। ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ଅନେକ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁଧ୍ୱଂସ କରିଥିଲେ ମଧ୍ୟ କେତେକ ସ୍ଥାନରେ କ୍ଷତି ହୋଇଛି। କିବ୍ରେ ବିସ୍ଫୋରଣ ପରେ ଜରୁରିକାଳୀନ ସେବା ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। କିବ୍ ସାମରିକ ପ୍ରଶାସନ ଲୋକଙ୍କୁ ଏୟାର୍ ରେଡ୍ ସାଇରନ୍ ବାଜିବା ମାତ୍ରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି।
ପ୍ରାଥମିକ ସୂଚନା ଅନୁସାରେ, ଆକ୍ରମଣରେ କେତେକ ଭବନ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା, ଯାହାକୁ ଦମକଳ ବାହିନୀ ନିୟନ୍ତ୍ରଣକୁ ଆଣିଛି। ତେବେ ଆକ୍ରମଣରେ କେତେ ଲୋକ ମୃତାହତ ହୋଇଛନ୍ତି, ସେ ସମ୍ପର୍କରେ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରୁଷ୍ ପକ୍ଷରୁ ଏହି ସଦ୍ୟତମ ଆକ୍ରମଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ସୌଜନ୍ୟ ସମ୍ବାଦ




