ଜୟପୁର: ଜୟପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ୫୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ସିଧାସଳଖ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଛନ୍ତି ସବ୍ ପୋଷ୍ଟ ମାଷ୍ଟର। ଡିଜିଟାଲ୍ ମନି ଟ୍ରାନ୍ସଫର ପାଇଁ ଡାକ ବିଭାଗର ସଫ୍ଟୱେରକୁ ହ୍ୟାକ୍ କରି ମୋବାଇଲ ନମ୍ବର ପରିବର୍ତ୍ତନ ଏବଂ ମୂଳ କେୱାଇସିକୁ ଉଡ଼ାଇ ବିପୁଳ ଅର୍ଥ ଆତ୍ମସାତ କରାଯାଇଛି। ଏହି ବଡ଼ଧରଣର ଦୁର୍ନୀତିର ସିବିଆଇ ତଦନ୍ତ ସହ ତୁରନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନ ଫେରିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।
ସବ୍ ପୋଷ୍ଟ ମାଷ୍ଟରଙ୍କ ନାଁରେ ଅଛି ୯୦ ଆକାଉଣ୍ଟ
ମୋବାଇଲ ନମ୍ବର ପରିବର୍ତ୍ତନ ସହ ବିନା କେୱାଇସିରେ ଉଠାଣ
ଜୟପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ୭୦୦ ଗ୍ରାମୀଣ ପୋଷ୍ଟ ଅଫିସ ଓ ୪୧ଟି ସବ୍ ପୋଷ୍ଟ ଅଫିସ ଅଛି। ଯେଉଁଠି ୨୫ ହଜାରରୁ ଅଧିକ ଆକାଉଣ୍ଟ ରହିଛି। ପାଖାପାଖି ୫ ହଜାରରୁ ଊର୍ଦ୍ଧ୍ବ ଆକାଉଣ୍ଟରୁ ଟଙ୍କା ଆତ୍ମସାତ ହୋଇଥିବା ବେଳେ ଅଧିକାଂଶ ଦୁର୍ନୀତି ସବ୍ ପୋଷ୍ଟ ଅଫିସରେ ହିଁ ହୋଇଛି। ନବରଙ୍ଗପୁରଜିଲ୍ଲା କୋଡ଼ିଗାଁ ସବ୍ ପୋଷ୍ଟ ମାଷ୍ଟର ନିଜ ନାଁରେ ୯୦ଟି ଆକାଉଣ୍ଟ ଖୋଲିଥିବା ତଦନ୍ତରୁ ଜଣାପଡ଼ିଛି। ମୂଳ ହିତାଧିକାରୀଙ୍କ ମୋବାଇଲ ନଂବର ପରିବର୍ତ୍ତନ କାରଣରୁ ଟଙ୍କା ଉଠାଣ ସମ୍ପର୍କରେ ହିତାଧିକାରୀ ଜାଣିପାରୁନଥିଲେ। ସେହିପରି ଝରିଗାଁ ସବ୍ ପୋଷ୍ଟ ମାଷ୍ଟର ମଧ୍ୟ ହିତାଧିକାରୀଙ୍କ ଆକାଉଣ୍ଟରୁ ୭ ଲକ୍ଷ ୭୦ ହଜାର ଟଙ୍କା ଆତ୍ମସାତ କରି ନେଇଛନ୍ତି। ବିଭାଗୀୟ ତଦନ୍ତ ବେଳେ ଟଙ୍କା ଆତ୍ମସାତ କଥା ସ୍ବୀକାର କରିଥିଲେ ସବ୍ ପୋଷ୍ଟ ମାଷ୍ଟର। ଦୁର୍ନୀତିରେ ସବ୍ ପୋଷ୍ଟ ମାଷ୍ଟରଙ୍କ ସମେତ ଟେଲି କମ୍ୟୁନିକେସନ୍ ବିଭାଗ ଓ ଡାକ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛି ବିଜେଡି। ଡିଜିଟାଲ୍ ପେମେଣ୍ଟ, ୟୁପିଆଇ ସମ୍ପର୍କରେ ଅବଗତ ନଥିବା ହିତାଧିକାରୀଙ୍କ ଆକାଉଣ୍ଟରୁ ବିଭାଗୀୟ ଅଧିକାରୀ ୨୦୨୧ରୁ ଟଙ୍କା ହରିଲୁଟ କରି ଚାଲିଥିଲେ। ଝରିଗାଁ, ଡାବୁଗାଁ, କୋଡ଼ିଙ୍ଗା ସବ୍ ପୋଷ୍ଟ ଅଫିସରୁ ବିନା କେୱାଇସିରେ ଟଙ୍କା ଉଠାଣ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଭିବିଜି ରାମଜି (ମନରେଗା) ସମେତ ୩୦୦ କେନ୍ଦ୍ରୀୟ ଯୋଜନା ବାବଦରେ ପୋଷ୍ଟ ଅଫିସରେ ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। ଦୀର୍ଘ ଦିନ ଧରି ଉକ୍ତ ଟଙ୍କାକୁ ହିତାଧିକାରୀ ଉଠାଉ ନଥିବାରୁ ସେଗୁଡ଼ିକୁ ଚିହ୍ନଟ କରି ସବ୍ ପୋଷ୍ଟ ଅଫିସ ମାଷ୍ଟର ନିଜ ନାଁରେ ଏବଂ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଆକାଉଣ୍ଟ ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଚତୁରତାର ସହ ଡାକ ବିଭାଗ ଅଧିକାରୀ ପରିବର୍ତ୍ତନ କରି ଦେଇଥିବାରୁ ହିତାଧିକାରୀଙ୍କ ମୋବାଇଲକୁ ଟଙ୍କା ଉଠାଣ ସମ୍ପର୍କିତ କୌଣସି ସୂଚନା ଯାଉନଥିଲା। ଯାହା ଡାକ ବିଭାଗ କର୍ମଚାରୀଙ୍କ ପାଇଁ ଟଙ୍କା ଆତ୍ମସାତ ବାଟକୁ ମୁକୁଳା କରିଥିଲା। ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରିବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସା˚ସଦ ଶ୍ରୀ ମାଝୀ, ବିଜେଡି ରାଜ୍ୟ ଉପସଭାପତି ଅଜୟ କୁମାର ମିଶ୍ର, ବରିଷ୍ଠ ବିଜେଡି ନେତା ସରୋଜ ପାତ୍ର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ଯୁବ ବିଜେଡି ନେତା ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ