Samjhauta Express : ଅକାଳୀ ଦଳ ଓ ବିଜେପି ମଧ୍ୟରେ ତରଳୁଛି ଜମାଟ ବାନ୍ଧିଥିବା ବରଫ!: ସମଝୌତା ଏକ୍ସପ୍ରେସ୍ କହିଲେ ବିରୋଧୀ
କୃଷି ଆଇନ ବିବାଦ ଯୋଗୁ ୨୦୨୦ ମସିହାରେ ଅଲଗା ହୋଇଥିବା ଏହି ଦୁଇ ପୂର୍ବତନ ସହଯୋଗୀଙ୍କ ମଧ୍ୟରେ ଜମାଟ ବାନ୍ଧିଥିବା ବରଫ ଏବେ ତରଳିବା ପରି ମନେ ହେଉଛି। ହଜିଯାଇଥିବା ରାଜନୈତିକ ସ୍ଥିତି ଫେରି ପାଇବା ପାଇଁ ଅକାଳୀ ଦଳ ବିଜେପିର ସମର୍ଥନ ଚାହୁଁଛି। Reena Ram profile image by Sambad Digital Desk February 11, 2026, 4:09 PM IST

ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କ ନିଶା ବିରୋଧୀ ପଦଯାତ୍ରା ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପର ଏକ ନୂତନ ଲହରୀ ସୃଷ୍ଟି କରିଛି। ଏହା ଏକ ସାମାଜିକ ସଚେତନତା ପଦଯାତ୍ରା ଥିଲେ ମଧ୍ୟ, ଶିରୋମଣି ଅକାଳୀ ଦଳ (ଏସ୍ଏଡି) ସଭାପତି ସୁଖବୀର ସିଂହ ବାଦଲ ଓ ବିଜେପି କାର୍ଯ୍ୟକାରୀ ରାଜ୍ୟ ସଭାପତି ଅଶ୍ୱନୀ ଶର୍ମାଙ୍କ ଏକକାଳୀନ ଉପସ୍ଥିତି ରାଜନୈତିକ ମହଲରେ କଳ୍ପନାଜଳ୍ପନା ସୃଷ୍ଟି କରିଛି। ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରସାର ହେବାରେ ଲାଗିଛି। କଂଗ୍ରେସ ଓ ଆମ ଆଦମୀ ପାର୍ଟି ସମେତ ବିରୋଧୀ ଦଳଗୁଡ଼ିକ ଏହି ଚିତ୍ରଗୁଡ଼ିକୁ ସମଝୌତା ଏକ୍ସପ୍ରେସ ବୋଲି କହି କଟାକ୍ଷ କରିଛନ୍ତି।
କୃଷି ଆଇନ ବିବାଦ ଯୋଗୁ ୨୦୨୦ ମସିହାରେ ଅଲଗା ହୋଇଥିବା ଏହି ଦୁଇ ପୂର୍ବତନ ସହଯୋଗୀଙ୍କ ମଧ୍ୟରେ ଜମାଟ ବାନ୍ଧିଥିବା ବରଫ ଏବେ ତରଳିବା ପରି ମନେ ହେଉଛି। ହନୈତିକ ଜିଯାଇଥିବା ରାଜସ୍ଥିତି ଫେରି ପାଇବା ପାଇଁ ଅକାଳୀ ଦଳ ବିଜେପିର ସମର୍ଥନ ଚାହୁଁଛି। କିନ୍ତୁ ଏଥର ଆଲୋଚନା ସର୍ତ୍ତମୂଳକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସାଂସଦ ହରସିମରତ କୌର ବାଦଲ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ଶିଖ ଧାର୍ମିକ ବ୍ୟାପାର ଶିରୋମଣୀ ଗୁରୁଦ୍ବାର ପ୍ରବନ୍ଧକ କମିଟି(ଏସ୍ଜିପିସି)ରେ ହସ୍ତକ୍ଷେପ ବନ୍ଦ କଲେ, ଜେଲରେ ଥିବା ଶିଖଙ୍କ ମୁକ୍ତି ସୁନିଶ୍ଚିତ କଲେ, ପଞ୍ଜାବର ଜଳ ଅଧିକାରକୁ ସୁରକ୍ଷା ଦେଲେ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଭଳି ଚାଷୀ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ନେଲେ ହିଁ ଏକ ମେଣ୍ଟ ସମ୍ଭବ ହେବ।
ବିଜେପିରେ ମତ ବିଭାଜନ
ବିଜେପି ଭିତରେ ମେଣ୍ଟକୁ ନେଇ ମତଭେଦ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି ଯେ, ଅକାଳୀ ଦଳ ବିନା ବିଜେପି ୨୦୩୧ ସୁଦ୍ଧା ପଞ୍ଜାବରେ କ୍ଷମତାକୁ ଆସି ପାରିବ ନାହିଁ। ଦଳ ଭିତରେ ଆଉ ଏକ ଗୋଷ୍ଠୀ ଏକାକୀ ନିର୍ବାଚନ ଲଢ଼ିବାକୁ ସମର୍ଥନ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ମେଣ୍ଟର କଠୋର ସମାଲୋଚକ ଥିବା ଅଶ୍ୱନୀ ଶର୍ମାଙ୍କୁ ସୁଖବୀର ବାଦଲଙ୍କ ସହ ଦେଖିବାକୁ ମିଳୁଛି। ଏହା ସୂଚାଇ ଦେଉଛି ଯେ, ବିଜେପି ଭିତରେ ବିରୋଧୀ ସ୍ୱର ନରମ ହେଉଛି।
ପରଦା ପଛରେ ଖେଳ
ଏହି ସମଗ୍ର ଘଟଣାକ୍ରମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା ଡେରା ବ୍ୟାସ ମୁଖ୍ୟ ଗୁରିନ୍ଦର ସିଂହ ଢିଲୋନଙ୍କ ଉପସ୍ଥିତି। ତାଙ୍କୁ ଏହି ସମ୍ଭାବ୍ୟ ମେଣ୍ଟର ମୁଖ୍ୟ ନାୟକ ବୋଲି ବିବେଚନା କରାଯାଉଛି। ଢିଲୋନଙ୍କର ବିଜେପି ଓ ଅକାଳୀ ଦଳ ସହିତ ନିବିଡ଼ ସମ୍ପର୍କ ରହିଛି । ରାଜନୈତିକ ବିଶ୍ଳେଷକମାନଙ୍କ ଅନୁସାରେ ଡେରା ବ୍ୟାସ ମୁଖ୍ୟ ମଧ୍ୟସ୍ଥି ଭୂମିକା ଗ୍ରହଣ କରୁଛନ୍ତି। ଏହାଦ୍ବାରା ପଞ୍ଜାବରେ ଏକ ନୂତନ ସମୀକରଣ ସୃଷ୍ଟି ହେବା ପ୍ରାୟ ନିଶ୍ଚିତ। ବର୍ତ୍ତମାନ, କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ସବୁଜ ସଙ୍କେତ ଅପେକ୍ଷା କରାଯାଇଛି। କିନ୍ତୁ ନିଶା ବିରୋଧୀ ପଦଯାତ୍ରା ସ୍ପଷ୍ଟ କରିଛି ଯେ, ପଞ୍ଜାବର ରାଜନୀତି ଏବେ ଏକ ମୋଡ଼ ନେବାକୁ ପ୍ରସ୍ତୁତ ହେଉଛି ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ସୌଜନ୍ୟ ସମ୍ବାଦ




