ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ ପରିସରରେ ଆଜି ଜଷ୍ଟିସ ଶୀଲ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବା, ଅରୁଣ ପାଲ୍ଲି ଏବଂ ଭି ମୋହନାଙ୍କୁ ପ୍ରଧାନ ବିଚାରପତି ଶପଥ ପାଠ କରାଇଛନ୍ତି। ଏଥିସହ ସୁପ୍ରିମକୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ନାଗୁ, ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଚଦେବ, ଜମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପାଲ୍ଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ଦେବାପାଇଁ କେନ୍ଦ୍ର ସରକାର ସୋମବାର ଅନୁମୋଦନ ପ୍ରଦାନ କରିଥିଲେ ଏବଂ ଏନେଇ ବିଜ୍ଞପ୍ତି ଜାରି କରିଥିଲେ। ୫ ବିଚାରପତିଙ୍କ ନାମ ମେ’ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ଏବଂ ମାତ୍ର ୪ ଦିନ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୮ରେ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ପରେ ଜଷ୍ଟିସ ମୋହନା ଦ୍ବିତୀୟ ମହିଳା ଭାବେ ସିଧାସଳଖ ବାର୍ରୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଛନ୍ତି। ଆସନ୍ତା ଜୁନ୍ ୧୬ ଏବଂ ଜୁନ୍ ୨୮ ତାରିଖରେ ଜଷ୍ଟିସ ପଙ୍କଜ ମିତଲ ଏବଂ ଜଷ୍ଟିସ ଜେକେ ମାହେଶ୍ବରୀ ଅବସର ନେବାକୁ ଯାଉଛନ୍ତି।
ସୌଜନ୍ୟ ସମ୍ବାଦ

