
ଭୁବନେଶ୍ଵର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ଘଟିଛି। ଏହି ଘଟଣାକୁ ନେଇ ହରଡ଼ଘଣାରେ ବିଜେପି ସରକାର। ତିନି ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏସସିବିର ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।
୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା
୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା
୩ – ଏସ୍.ସି.ବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି
୪ – କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରଞ୍ଜନ କୁମାର ବିଶ୍ୱାଳ
ସୂଚନଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକ ଏସ୍.ସି.ବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ । ଏହି କମିଟି ମେଡିକାଲ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ କରିଥିଲେ। ଘଟଣାର ସମ୍ବେଦଶୀଳତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଘଟଣା ଦିନ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ବିଜେଡିର ବଡ଼ ପ୍ରଶ୍ନ
ତେବେ ଘଟଣା ଘଟିବାର ତିନି ଦିନ ହେବ କାର୍ଯ୍ୟାନୁଷ୍ଠାନ ନ ହେବା କାରଣରୁ ବିରୋଧୀଙ୍କ ଟାର୍ଗେଟରେ ଥିଲେ ରାଜ୍ୟ ସରକାର। ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି, ଯେଉଁଦିନ କଟକ ବଡ଼ ମେଡିକାଲରେ ନିଆଁ ଲାଗିଲା ସେଦିନ ଜଣେ କନିଷ୍ଠ ଡାକ୍ତର ଦାୟିତ୍ୱରେ ଥିଲେ । ଗୋଟେ ସମ୍ବେଦନଶୀଳ ଜାଗାରେ କିପରି ଜଣେ କନିଷ୍ଠ ଡାକ୍ତରଙ୍କୁ ଦାୟିତ୍ଵ ଦିଆଯାଇଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । SCB ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଜଣେ ଅଯୋଗ୍ୟ ବ୍ୟକ୍ତି ହୋଇ ଜାଗା ଅଧିକାର କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ତାଙ୍କର ଅଭିଜ୍ଞତା ନ ଥାଏ ମଧ୍ୟ ସେ କିପରି ମେଡିକାଲ ଅଧୀକ୍ଷକ ହେଲେ ତାହାକୁ କିପରି ଅନୁମୋଦନ ମିଳିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କଂଗ୍ରେସ ମଧ୍ୟ ବିଜେପି ସରକାରକୁ ଘେରିଛି।
ସୂଚନାଯୋଗ୍ୟ, ସୋମବାର ଭୋର ୨ଟା ୫୮ ମିନିଟରେ ରାଜ୍ୟର ସର୍ବବୃହତ ମେଡିକାଲ୍ କଲେଜ୍ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ବଡ଼ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଆଉ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଶେଷ କରି ଶ୍ଵାସରୁଦ୍ଧ କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ସୌଜନ୍ୟ Prameya News7




