ମହାନଗର

Security arrangements: ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା, ୩୫ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୧୧୦ ଅଧିକାରୀଙ୍କୁ ଦାୟିତ୍ବ

ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି....

ଭୁବନେଶ୍ବର: ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସିପି ସୁରେଶ ଦେବଦତ୍ତ ସିଂ ସ୍ଥିତିକୁ ଯାଞ୍ଚ କରିଛନ୍ତି। ଏହାସହିତ ରିହର୍ସାଲ ସମୟରେ ମଧ୍ୟ ସିପି ଉପସ୍ଥିତ ରହିଥିଲେ। ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୮ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସ୍ଆ‌ଇ ଓ ଏଏସ୍ଆ‌ଇ ଦାୟିତ୍ୱରେ ରହିବେ।  ୭ଟି ସ୍ଥାନରେ ୭ଟି କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍‌ ମୁତୟନ କରାଯାଇଛି। ଏହାସହ କୌଣସି ଆତଙ୍କବାଦୀ ଆକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ପେସାଲ ଟାକ୍ଟିକାଲ ୟୁନିଟ୍‌କୁ ମୁତୟନ କରାଯାଇଛି। ସାଦା ପୋଷାକଧାରୀ ଅଫିସରଙ୍କୁ ମୁତୟନ କରାଯାଇଛି। ସାଇରନ୍ ବାଜିଲେ କେଉଁ ଗେଟ୍‌ ବନ୍ଦ କରିବେ, କେଉଁ ସ୍ଥାନରେ ସୁରକ୍ଷା କଡ଼ାକଡି଼ କରିବେ? ଏଭଳି ସମସ୍ତ ଦିଗ ଉପରେ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ସିପି ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି।

ଏହାବ୍ୟତୀୟ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ। ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ସିସିଟିଭି ସରଭେଲାନ୍ସରେ ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ। ଗୁଇନ୍ଦା ବିଭାଗର ବହୁ ଅଫିସର ସାଦା ପୋଷାକ ପରିଧାନ କରି ସ୍ଥିତି ଉପରେ ନଜର ରଖିଛନ୍ତି। ଧାରଣାସ୍ଥଳ ମହାତ୍ମା ଗାନ୍ଧୀ ମାର୍ଗକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ବିଧାନସଭା ପରିସର ଏବଂ ପିଏମ୍‌ଜି ଛକ ଆଦି ସ୍ଥାନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଏହାସହ ସମଗ୍ର ଅଞ୍ଚଳକୁ ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ସମୟରେ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଏବଂ ଅନ୍ୟ ଗୁଇନ୍ଦା ଅଧିକାରୀଙ୍କ ସମେତ ଦାୟିତ୍ୱରେ ଥିବା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଧାନସଭା ପାଇଁ ଟ୍ରାଫିକ୍‌ କଟକଣା

ସପ୍ତଦଶ ବିଧାନସଭାରଅଧିବେଶନ ଆସନ୍ତାକାଲିଠାରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୭ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା‌ ବେଳେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲିଥିବା ସମୟରେ ଯାନବାହାନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃ‌ଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାରି ନିର୍ଦ୍ଦେଶ ମୁତାବକ, ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେଶରୀ ଟକିଜ୍ ଛକରୁ ବାମପଟକୁ ଯିବେ। ଏଜି ଛକରୁ ପିଏମ୍ଜି‌ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରୁ ଡାହାଣକୁ ବୁଲି ଆଇଜି ପାର୍କ ରୋଡ୍ ଦେଇ ଯାଇପାରିବେ। ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ପିଏମ୍‌ଜି ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ଲୋୟର ପିଏମ୍‌ଜିରୁ ବାମ ବା ଡାହାଣ ପାର୍ଶ୍ବ ଗଳି ଦେଇ ଯାଇପାରିବେ। ୧୨୦ ବାଟାଲିୟନ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଗାଡ଼ିଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ। ଲୋକଭବନ ଛକରୁ ଏମ୍ଏ‌ଲ୍ଏ‌ କଲୋନି ଓ ରବୀନ୍ଦ୍ର ମଣ୍ଡପ ଯାଉଥିବା ଗାଡ଼ିଗୁଡ଼ିକୁ ୧୨୦ ବାଟାଲିୟନ୍‌ ଛକରୁ ଶାସ୍ତ୍ରୀନଗର ଆଡ଼କୁ ବୁଲାଇ ଦିଆଯିବ। ଏହି ସମସ୍ତ କଟକଣା କେବଳ ସାଧାରଣ ଜନତାଙ୍କ ପାଇଁ ଲାଗୁ ହେବ। ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ପରି ଜରୁରୀକାଳୀନ ଗାଡ଼ି ଏବଂ ବିଧାନସଭା କିମ୍ବା ଲୋକସେବା ଭବନକୁ ଯିବା ପାଇଁ ଅନୁମତି ପାଇଥିବା ଗାଡ଼ି ଉପରେ କୌଣସି କଟକଣା ରହିବ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button