ମହାନଗର

Serial fire incident: ବାଲିଅନ୍ତାରେ ସିରିଜ୍‌ ଅଗ୍ନିକାଣ୍ଡ ଘଟଣା, ଅଟକ ମହିଳାଙ୍କୁ ଚିକିତ୍ସା ପାଇଁ ପଠାଗଲା

ବେଣୁପୁର ଚନ୍ଦନବସ୍ତରୁ ବାଲିଅନ୍ତା ମାଟିକୋଟ ପର୍ଯ୍ୟନ୍ତ ନିଆଁ ଲଗେଇ ଆତଙ୍କ ଖେଳାଇ ଥିବା ମହିଳାଜଣକ ମାନସିକ ବିକାରଗ୍ରସ୍ତ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ବାପଘରୁ....

ବାଲିଅନ୍ତା ବଜାର: ବେଣୁପୁର ଚନ୍ଦନବସ୍ତରୁ ବାଲିଅନ୍ତା ମାଟିକୋଟ ପର୍ଯ୍ୟନ୍ତ ନିଆଁ ଲଗେଇ ଆତଙ୍କ ଖେଳାଇ ଥିବା ମହିଳାଜଣକ ମାନସିକ ବିକାରଗ୍ରସ୍ତ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ବାପଘରୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି। ପୁଲିସ ସୂଚନା ମୁତାବକ ସେ ୨୦୨୩ରେ ମାନସିକ ବିକାରଗ୍ରସ୍ତ ହୋଇଥିଲେ। ସେବେଠାରୁ ମହିଳାଙ୍କ ଚିକିତ୍ସା ପରିବାର ଲୋକେ କରୁଥିବା ଥାନା ଅଧିକାରୀ କହିଛନ୍ତି।

ବେଣୁପୁର ପଞ୍ଚାୟତ ଚନ୍ଦନବସ୍ତ ଗାଁର ବିଜୟ ଭୋଇଙ୍କୁ ବିବାହ କରିଥିଲେ ମାଟିକୋଟର ଗୀତା ଭୋଇ। ବିବାହର କିଛି ଦିନ ପ‌ରେ ଗୀତାଙ୍କର ମାନସିକ ବିକାର ସୃଷ୍ଟି ହୋଇଥିଲା। ସ୍ବାମୀ ବିଜୟ ତାଙ୍କୁ ଜଗି ରହିବା ସହ ତାଙ୍କର ଚିକିତ୍ସା କରିଥିଲେ। ଅଭାବୀ ସଂସାର,  କାମ ନକଲେ ପରିବାର ଚଳିବା କଷ୍ଟକର। ଏଭଳି ସ୍ଥିତିରେ ବିଜୟ କାମକୁ ଗଲା ପରେ ଗୀତା ଘରୁ କେଉଁ ଆଡେ ପଳାଇ ଯାଉଥିଲେ। ତାଙ୍କୁ ଖୋଜି ଖୋଜି ବିଜୟ ନାକେଦମ୍ ହେଉଥିଲେ। କେବେ ଚାଲିଚାଲି ବାପଘର ତ କେବେ  ଅନ୍ୟ କୁଆଡ଼େ ପଳାଉଥିଲେ। ପରିବାର ଲୋକେ ତାଙ୍କୁ ଖାଇବାକୁ ଔଷଧ ଦେଉଥଲେ, କିନ୍ତୁ ସେ କେବେ ଖାଉଥିଲେ ତ କେବେ ଖାଉ ନଥିଲେ। ଏପରିକି ନିକଟରେ (ପ୍ରାୟ ୧୫ଦିନ ପୂର୍ବରୁ) ଗୀତା ବାପଘରକୁ ଚାଲିଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ବାପଘରୁ ବାହାରି ବେଣୁପୁରରେ ପହଞ୍ଚି ଆରମ୍ଭ କରିଥିଲେ ନିଆଁର ଖେଳ। ରାତି ଅଧରେ ଦମକଳ ଓ ପୁଲିସ ଗାଡ଼ିର ସାଇରନ୍‌ସମସ୍ତଙ୍କ ନିଦ ଭାଙ୍ଗି ଦେଇଥିଲା।

 ବେଣୁପୁର ଚନ୍ଦନବସ୍ତରେ ଜଣଙ୍କ ଘର ଜଳୁଥିଲା ଖବର ପାଇ ଦମକଳ ବାହିନୀ ସେଠି ନିଆଁ ଲିଭାଉଥିବା ବେଳେ ମଝିଗଡ଼ରେ ଗାଡ଼ି ଜଳିବା ଖବର ପାଇଥିଲେ। ଦମକଳ ବାହିନୀ ମଝିଗଡ଼ରେ ପହଞ୍ଚି ନିଆଁ ଲିଭାଉ ନ ଲିଭାଉଣୁ, ଖବର ଆସିଲା ମଲ୍ଲିକସାହିରେ ଏକ ଜିପ୍‌ ଓ ଅଟୋ ହୁତୁହୁତୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ସେଠି ପହଞ୍ଚିବା ବେଳକୁ ମାଟିକୋଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଜଳୁଥିବା ଖବର ମିଳିଥିଲା। ପରେପରେ ଅଣ୍ଡିଲୋ ମୁସ୍‌ଲିମ୍‌ସାହିରେ ଏକ କାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହିପରି ଭାବେ ଶୁକ୍ରବାର ବିଳମ୍ବିତ ରାତିରେ ବାଲିଅନ୍ତାରେ ଘଟିଥିବା ଲଙ୍କାଦହନ ଭଳି ଅଗ୍ନିକାଣ୍ଡରେ ଜଣଙ୍କ ଘର, ୩ଟି ଦୋକାନ ଓ ୬ଟି ଗାଡ଼ି ପୋଡ଼ି ଛାରଖାର ହୋଇଯାଇଥିଲା।  କିଏ  ଓ କାହିଁକି ଏ ନିଆଁ ଲଗାଇଛି ବୋଲି ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଥିଲା ଜଣେ ମହିଳା ଏସବୁ କରିଛନ୍ତି। ମହିଳା ଜଣଙ୍କ କିଏ ବୋଲି ପୁଲିସ ତଦନ୍ତ କରି ଗୀତାଙ୍କ ବିଷୟରେ ଜାଣିବାକୁ ପାଇଥିଲା।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button