
ବଲିଉଡ୍ରେ ଏମିତି କେତେକ କଳାକାର ଅଛନ୍ତି, ଯେଉଁମାନେ ବିଳମ୍ବରେ ସେଟ୍କୁ ଆସିବା ସହ କ୍ରିଉ ମେମ୍ବର୍ଙ୍କୁ ହଇରାଣ ହରକତ କରୁଥିବା ଚର୍ଚ୍ଚାହୁଏ। ତେବେ ଏସବୁ ଭିତରେ ଶାହରୁଖ୍ ଖାନ୍ଙ୍କୁ ଅନେକ ନିର୍ମାତା, ନିର୍ଦ୍ଦେଶକ ପ୍ରଶଂସାରେ ପୋତି ପକାଇଛନ୍ତି। ନିକଟରେ ୟୁଟ୍ୟୁବ୍ ଚାନେଲ୍ ‘ଗୁଡ୍ ଆଡ୍ ମ୍ୟାଟର୍ସ’ର ରାଉଣ୍ଡ୍ ଟେବୁଲ୍ରେ ବିଜ୍ଞାପନ ନିର୍ମାତାମାନେ କହିଛନ୍ତି ଯେ, ଶାହରୁଖ ଠିକ୍ ସମୟରେ ସେଟ୍କୁ ଆସିଥାନ୍ତି ଓ କାହାକୁ ସମସ୍ୟାରେ ପକାଇବାକୁ ଚାହି ନଥାନ୍ତି। କାର୍ଯ୍ୟକ୍ରମରେ ଜଣେ ପ୍ରଯୋଜକ ଏକ ବଡ଼ ଲାଇଫ୍ଷ୍ଟାଇଲ୍ ଓ ହୋମ୍ ଫର୍ଣ୍ଣିସିଂ ବ୍ରାଣ୍ଡ୍ର ସୁଟିଂ ବେଳର ଅନୁଭୂତି ବର୍ଣ୍ଣନା କରିଥିଲେ।
ଶାହରୁଖ୍ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ଙ୍କୁ ନେଇ ଏହି ସୁଟିଂ ହେବାର ଥାଏ। ଗୌରୀ ଖାନ୍ ନିର୍ଦ୍ଧାରିତ ସମୟ ସକାଳ ସାଢ଼େ ଆଠଟାରେ ସୁଟିଂ ସେଟ୍କୁ ପହଞ୍ଚି ତାଙ୍କ ସୁଟିଂ ଆରମ୍ଭ କରିଦେଇଥିଲେ। ତେବେ ଶାହରୁଖଙ୍କ ଦେଖା ନାହିଁ। ଏହାକୁ ନେଇ ସମସ୍ତେ ଅକଳରେ ପଡ଼ିଯାଇଥିଲେ। ତେବେ ଶାହରୁଖ୍ ସେଦିନ ବିଳମ୍ବରେ ପହଞ୍ଚିଥିଲେ ବି ଆସୁ ଆସୁ ପରିବେଶକୁ ପୂରା ବଦଳାଇ ଦେଇଥିଲେ। ବିଳମ୍ବ ପାଇଁ ସେଦିନ ସେ କେବଳ ପ୍ରଯୋଜକଙ୍କୁ ନୁହେଁ, ସେଠାରେ ଉପସ୍ଥିତ ସମସ୍ତଙ୍କୁ କ୍ଷମା ମାଗିଥିଲେ। ଏପରିକି ଆପଣମାନେ ଯେତେ ସମୟ ଚାହିବେ, ଆମେ କାମ କରିବା ବୋଲି ଶାହରୁଖ୍ ନିଜ ଆଡୁ କହିଥିଲେ ବୋଲି ପ୍ରଯୋଜକଜଣକ କହିଛନ୍ତି।
ସୌଜନ୍ୟ ସମ୍ବାଦ




