Shehbaz Sarif: ଜଳକୁ ଅସ୍ତ୍ର କରାଯାଇପାରିବ ନାହିଁ: ଶେହବାଜ
ଭାରତ ସିନ୍ଧୁଜଳ ଚୁକ୍ତିକୁ ନେଇ ହେଗ୍ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ରାୟକୁ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଏହି ପ୍ରସଙ୍ଗକୁ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ।

ନୂଆଦିଲ୍ଲୀ: ଭାରତ ସିନ୍ଧୁଜଳ ଚୁକ୍ତିକୁ ନେଇ ହେଗ୍ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ରାୟକୁ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଏହି ପ୍ରସଙ୍ଗକୁ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ମଙ୍ଗଳବାର ଏସ୍ସିଓର ରାଷ୍ଟ୍ରମୁଖ୍ୟ ପରିଷଦକୁ ସମ୍ବୋଧିତ କରି ଶେହବାଜ କହିଛନ୍ତି, ଜଳକୁ କେବେ ବି ରାଜନୈତିକ ଚାପ କିମ୍ବା ଅସ୍ତ୍ର ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ।
ଶେହବାଜ କହିଛନ୍ତି, ସିନ୍ଧୁଜଳ ଏହି ଅଞ୍ଚଳର ଜୀବନରେଖା। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରଣରେ ସହାୟକ ହେବା ସହ କୃଷିକୁ ସମର୍ଥନ କରୁଛି। ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ମଧ୍ୟ ଜଳ ଅତ୍ୟନ୍ତ ଜରୁରୀ। ତେଣୁ ମିଳିତ ଜଳସମ୍ପଦକୁ ଚାପ କିମ୍ବା ରାଜନୈତିକ ଲାଭ ହାସଲର ମାଧ୍ୟମ କରାଯିବା ଉଚିତ ନୁହେଁ। ସେ ଆହୁରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ମିଳିତ ଜଳସମ୍ପଦ ସମ୍ପର୍କିତ ଚୁକ୍ତିଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ବାଧ୍ୟତାମୂଳକ ପ୍ରତିବଦ୍ଧତା। ରାଜନୈତିକ ସୁବିଧା ଅନୁଯାୟୀ ଏଗୁଡ଼ିକୁ ଏକପାଖିଆ ଭାବେ ଅଣଦେଖା କରାଯାଇପାରିବ ନାହିଁ। ଚୁକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ଆବଶ୍ୟକ ବୋଲି ଶେହବାଜ କହିଛନ୍ତି।
ତାଙ୍କ ଏହି ମନ୍ତବ୍ୟ ଭାରତ ହେଗ୍ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ରାୟକୁ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଆସିଛି। ୧୯୬୦ର ସିନ୍ଧୁଜଳ ଚୁକ୍ତି ଏବେ ବି ଆଇନଗତ ଭାବେ ବଳବତ୍ତର ଥିବା ଏବଂ ଚୁକ୍ତିରେ ଥିବା ବ୍ୟବସ୍ଥା ଅନୁଯାୟୀ ଭାରତ-ପାକିସ୍ତାନ ବିବାଦର ବିଚାର ଜାରି ରହିପାରିବ ବୋଲି କୋର୍ଟ କହିଥିଲା। ତେବେ ଭାରତ ଏହି ରାୟକୁ ଗ୍ରହଣ କରିନାହିଁ। ବିଦେଶ ମନ୍ତ୍ରଣାଳୟ କହିଛି, ଭାରତ ଏହି କୋର୍ଟକୁ ସ୍ୱୀକାର କରେନାହିଁ ଏବଂ ଏହାର ପ୍ରକ୍ରିୟାରେ ମଧ୍ୟ କେବେ ବି ଭାଗ ନେଇନାହିଁ। ଏହି ଟ୍ରିବ୍ୟୁନାଲ୍କୁ ‘ବେଆଇନ ଭାବେ ଗଠିତ’ ବୋଲି ଭାରତ କହିବା ସହ ଏହାର କୌଣସି ଅଧିକାରକ୍ଷେତ୍ର ନାହିଁ ବୋଲି ସ୍ପଷ୍ଟ କରିଛି।
ସୌଜନ୍ୟ ସମ୍ବାଦ




