Shivaratri fast: ଅନନ୍ୟ ଓଷା-ବ୍ରତ: ଶିବରାତ୍ରି ବ୍ରତ
ଓଡ଼ିଶାରେ ଓ ଓଡ଼ିଆରେ ଶିବଙ୍କୁ ନେଇ ଅନେକ ଓଷାବ୍ରତ ଅଛି। ସେସବୁ ମଧ୍ୟରୁ ‘ସୋମନାଥ ବ୍ରତକଥା’ ସୁପ୍ରାଚୀନ। ‘ଷଡ଼ଜୟନ୍ତୀ ବ୍ରତ’ ମଧ୍ୟରେ ବି ଶିବରାତ୍ରି ବ୍ରତ ଅଛି। କିନ୍ତୁ ‘ଶିବରାତ୍ରି ବ୍ରତ’ ନାମରେ ଥିବା ସ୍ବତନ୍ତ୍ର ବ୍ରତକଥା ଅଧିକ ଲୋକପ୍ରିୟ।

ଅସିତ ମହାନ୍ତି
ଓଡ଼ିଶାରେ ଓ ଓଡ଼ିଆରେ ଶିବଙ୍କୁ ନେଇ ଅନେକ ଓଷାବ୍ରତ ଅଛି। ସେସବୁ ମଧ୍ୟରୁ ‘ସୋମନାଥ ବ୍ରତକଥା’ ସୁପ୍ରାଚୀନ। ‘ଷଡ଼ଜୟନ୍ତୀ ବ୍ରତ’ ମଧ୍ୟରେ ବି ଶିବରାତ୍ରି ବ୍ରତ ଅଛି। କିନ୍ତୁ ‘ଶିବରାତ୍ରି ବ୍ରତ’ ନାମରେ ଥିବା ସ୍ବତନ୍ତ୍ର ବ୍ରତକଥା ଅଧିକ ଲୋକପ୍ରିୟ। ‘ଶବରର ଶିବରାତ୍ରି’ ଭାବରେ ମଧ୍ୟ ଏହା ଆଦୃତ। ବ୍ରତକଥା ଶେଷରେ ଥିବା ସୂଚନା ଅନୁସାରେ, ଏହା ମାଧବ ନାମକ ଜନୈକ ବ୍ରାହ୍ମଣଙ୍କ ଦ୍ବାରା ରଚିତ। ଏହା ପଦ୍ୟରେ ରଚିତ ଏବଂ ଏହାର ଏକାଧିକ ପାଠ ରହିଛି।
ଏହି ବ୍ରତକଥା ଅନୁସାରେ, ଦିନେ ପାର୍ବତୀ ଶିବଙ୍କର ପାଦସେବା କରି ତାଙ୍କୁ ନମ୍ର ଭାବରେ ପଚାରିଲେ- ଯଦି ମୋ’ ଠାରେ ତୁମର ପ୍ରୀତି ଅଛି, ତେବେ କେଉଁ ତପସ୍ୟା, କେଉଁ କର୍ମ ବା କେଉଁ ବ୍ରତରେ ତୁମର ଚିତ୍ତ ସନ୍ତୋଷ ହୁଏ ମୋତେ ସେ କଥା କୁହ! ଏହା ଶୁଣି ଶିବ କହିଲେ- ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀର ତାମସୀ ରାତ୍ରିକୁ ଶିବରାତ୍ରି କୁହାଯାଏ। ସେହି ରାତ୍ରିରେ ଯେ ଉପବାସ ରହି ମୋର ବ୍ରତ କରେ, ସେଥିରେ ମୁଁ ସନ୍ତୁଷ୍ଟ ହୁଏ। ଧୂପ, ଦୀପ, ଆଜ୍ୟ, ନୈବେଦ୍ୟ ଏବଂ ଚନ୍ଦନ ଓ ପୁଷ୍ପ ଆଦି ଦେଇ ଷୋଡ଼ଶ ଉପଚାରରେ ପୂଜା କଲେ ମୁଁ ସେପରି ସନ୍ତୁଷ୍ଟ ହୁଏ ନାହିଁ।
ଶିବଙ୍କର ସେହି କଥା ଶୁଣି ପାର୍ବତୀ ତାଙ୍କୁ ବ୍ରତର ବିଧାନ ପଚାରିଲେ। ଶିବ କହିଲେ- ଚତୁର୍ଦ୍ଦଶୀର ପୂର୍ବଦିନରୁ ଏଥିପାଇଁ ବ୍ରତପରାୟଣ ହେବ। ସେଦିନ ପ୍ରାତଃସ୍ନାନ କରି ବ୍ରହ୍ମଚାରୀ ପରି ଜୀବନ ନିର୍ବାହ କରିବ। ହବିଷ୍ୟ ଭୋଜନ କରି, ଭୂମିରେ କୁଶାସନ ପ୍ରସ୍ତୁତ କରି ବସି, ଜିତେନ୍ଦ୍ରିୟ ଭାବରେ ଦିନ ବିତାଇବ ଏବଂ ରାତିରେ ମୋ ପ୍ରତି ଭକ୍ତି ରଖି, ମୋର ନାମ ସ୍ମରଣ କରି ଶୟନ କରିବ। ରାତ୍ରି ଶେଷରେ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି, ମୋ’ ପ୍ରତି ବିଶ୍ବାସ ରଖି ବେଲପତ୍ର ଓ ପୁଷ୍ପ ଚୟନ କରିବ। ସ୍ନାନାଦି କ୍ରିୟା ଓ ଅନ୍ୟାନ୍ୟ ନିତ୍ୟକର୍ମ ସାରି, ସନ୍ଧ୍ୟା ସମୟରେ ବିଲ୍ବବୃକ୍ଷ ମୂଳ ବା ଲିଙ୍ଗଙ୍କ ସ୍ଥାନକୁ ଯାଇ, ସେଠାରେ ବେଲପତ୍ର ଓ ପୁଷ୍ପ ଆଦି ପୃଥକ ଭାବରେ ଦେଇ ମୋତେ ପୂଜା କରିବ। ଶିବରାତ୍ରି ବ୍ରତର ଏହି ବିଧାନ କହିବା ପରେ, ପାର୍ବତୀଙ୍କୁ ଶିବ ଆହୁରି ମଧ୍ୟ କହିଲେ- ହେ ପ୍ରିୟେ! ଏକମନରେ ଶୁଣ! ପ୍ରବାଳ, ମଣି, ମୁକ୍ତା, ସ୍ବର୍ଣ୍ଣ ଆଦିରେ ମୋର ଚିତ୍ତ ତୁଷ୍ଟ ହୁଏ ନାହିଁ। କେବଳ ବେଲପତ୍ରରେ ମୁଁ ସନ୍ତୁଷ୍ଟ ହୁଏ। ଶିବରାତ୍ରି ଦିନ ନାରିକେଳ ଜଳରେ ମୋର ଅଭିଷେକ କରି, ରାତ୍ରିର ବିଭିନ୍ନ ପ୍ରହରରେ ମୋତେ ଭିନ୍ନ ଭିନ୍ନ ଦ୍ରବ୍ୟରେ ସ୍ନାନ କରାଇ ପୂଜା କରିବ। ପ୍ରଥମ ପ୍ରହରରେ ଦୁଗ୍ଧରେ, ଦ୍ବିତୀୟ ପ୍ରହରରେ ଦଧିରେ, ତୃତୀୟ ପ୍ରହରରେ ଆଜ୍ୟ (ଘୃତ)ରେ ଏବଂ ଚତୁର୍ଥ ପ୍ରହରରେ ମଧୁରେ ସ୍ନାନ କରାଇ ପୂଜା କରିବ ଏବଂ ମୂଳମନ୍ତ୍ର (ଓଁ ନମଃ ଶିବାୟ)ରେ ଅର୍ଘ୍ୟ ଦେବ। ନିଜର ଶକ୍ତି ଅନୁସାରେ ଏହି ପୂଜା କରିବ। ପରଦିନ ସକାଳେ ସ୍ନାନ କରି ଉତ୍ତମ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତପାରଣା କରିବ। ଏହିପରି ବ୍ରତ ପାଳନରେ ମୁଁ ପ୍ରୀତ ହୁଏ।
ଏହା ଶୁଣି ପାର୍ବତୀ ପଚାରିଲେ- ଏ ବ୍ରତ କଲେ କି ଫଳ ମିଳେ ଏବଂ ପୂର୍ବେ କିଏ ଏ ବ୍ରତ କରିଥିଲେ, ମୋତେ କୁହ।
ତାଙ୍କ କଥା ଶୁଣି ଶିବ କହିଲେ- ହେ ଭବାନୀ! ଏହି ବ୍ରତକଥା କହୁଛି, ଶୁଣ।
ଏହା ପରେ ଶିବ ଯାହା କହିଲେ, ତାହା ଏହିପରି-
ପୂର୍ବେ ବାରାଣସୀପୁରୀରେ ଏକ ଭୟାନକ ବ୍ୟାଧ ଥିଲା। ସେହି ଶବରର ନାମ ଲୁବ୍ଧକ। ସେ ବାମନ, କୃଷ୍ଣବର୍ଣ୍ଣ ଓ ହିଂସ୍ର। ତା’ର ଚକ୍ଷୁ ପିଙ୍ଗଳବର୍ଣ୍ଣ। ଦିନେ ସେ ଅରଣ୍ୟକୁ ଯାଇ ଅନେକ ପଶୁ ମାରିଲା। କିନ୍ତୁ ମାଂସଭାର ଧରି ଘରକୁ ଫେରିବାବେଳେ ସେ କ୍ଳାନ୍ତି ବୋଧ କରି ବାଟରେ ଶୋଇପଡ଼ିଲା। ତା’ର ନିଦ ଭାଙ୍ଗିବା ବେଳକୁ ସଂଧ୍ୟା ଆଗତପ୍ରାୟ। ବନର ଅନ୍ଧକାର ଦେଖି ସେ ଏକ ନଡ଼ିଆ ଗଛରେ ଲତା ଦ୍ବାରା ମାଂସଭାର ବାନ୍ଧି ଦେଇ ସେଠାରେ ଥିବା ବେଲଗଛରେ ଚଢ଼ିଗଲା। ସାରା ଦିନ ସେ ଖାଇ ନ ଥିଲା। ଏବେ କାକର ପଡ଼ି ତାକୁ ଶୀତ ଲାଗୁଥିଲା। ନିଦ ହେଉ ନ ଥିଲା। ନିଦ ନ ଲାଗିବା ପାଇଁ ସେ ଗଛରୁ ଗୋଟିଏ ଗୋଟିଏ ବେଲପତ୍ର ଛିଣ୍ଡାଇ ତଳକୁ ପକାଉ ଥିଲା। ସେହି ପତ୍ର କାକରର ଜଳରେ ଭିଜିଥିଲା।
ଶବର ଜାଣି ନ ଥିଲା, ଯେ ସେଦିନର ତିଥି ଥିଲା ଶିବରାତ୍ରି। ସେହି କାକରଭିଜା ବେଲପତ୍ର ବୃକ୍ଷ ମୂଳରେ ଥିବା ଏକ ଶିବଲିଙ୍ଗ ଉପରେ ପଡୁଥିଲା। ଶବର ଉପବାସରେ ଥିଲା ଏବଂ ଉଜାଗର ରହିଥିଲା। ତେଣୁ ଶିବ ତା’ ଉପରେ ତୁଷ୍ଟ ହେଲେ। ଶବରର ସବୁ ପାପ ଦୂର ହୋଇଗଲା। ପରଦିନ ସକାଳ ହେବା ପରେ, ଶବର ଗଛରୁ ଓହ୍ଲାଇ, ମାଂସଭାର ନେଇ ନିଜ ଘରକୁ ଗଲା। କିନ୍ତୁ ପରିଶ୍ରମ, ଉପବାସ ଓ କ୍ଳାନ୍ତି ଯୋଗୁଁ ପରେ ପରେ ତା’ର ମୃତ୍ୟୁ ହୋଇଗଲା। ତାହା ପରେ, ତାକୁ ଚମ ଦଉଡ଼ିରେ ବାନ୍ଧି ନେଇଯିବା ପାଇଁ ଯମଦୂତମାନେ ଆସିଲେ। କିନ୍ତୁ ଶିବଦୂତମାନେ ପହଞ୍ଚି ତାକୁ ଶିବଙ୍କ ନିକଟକୁ ନେଇଯିବା ପାଇଁ ଚାହିଁଲେ। ଉଭୟ ଦୂତଙ୍କ ମଧ୍ୟରେ ଦ୍ବନ୍ଦ୍ବ ଓ କଳହ ହେଲା। ଶିବଦୂତମାନେ ତ୍ରିଶୂଳ ପେଷିବାରୁ ଯମଦୂତମାନେ ଡରି ପଳାଇଗଲେ। ତାହା ପରେ ଶିବଦୂତମାନେ ଶବରକୁ ରଥରେ ବସାଇ ଶିବଲୋକକୁ ନେଇଗଲେ। ବ୍ୟାଧବର ଲୁବ୍ଧକ କୈଳାସପୁରୀରେ ଶିବଙ୍କ ପଦପ୍ରାନ୍ତରେ ସ୍ଥାନ ପାଇଲା। ତେଣେ ଯମଦୂତ ମାନେ ଯାଇ ଶିବଦୂତମାନଙ୍କ କଥା ଯମରାଜଙ୍କୁ କହିବାରୁ, ଯମରାଜ କହିଲେ- ହେ ମୋର ମୂଢ଼ ଦୂତଗଣ! ମନେରଖ। ଯେ ଶିବଙ୍କର ଭକ୍ତ, ଯେ ପ୍ରତିଦିନ ଶଙ୍କରଙ୍କୁ ପୂଜା କରନ୍ତି, ଯେ ମର୍ତ୍ତ୍ୟଲୋକରେ ଶିବରାତ୍ରି ବ୍ରତ ପାଳନ କରନ୍ତି, ଯେ ସର୍ବଦା ଶିବଙ୍କୁ ଭଜନ କରନ୍ତି, ଯେ ଶିବଙ୍କ କ୍ଷେତ୍ରରେ ବାସ କରନ୍ତି, ସେମାନଙ୍କ ପାଖକୁ କେବେ ଯିବ ନାହିଁ। ଏଣୁ ଏହି ବ୍ରତକଥା ସୂଚାଏ, ଯେ ଜାଣତରେ ହେଉ ବା ଅଜାଣତରେ, ଶିବରାତ୍ରି ବ୍ରତ କଲେ ତାହାର ପୁଣ୍ୟଫଳ ଅବଶ୍ୟ ମିଳେ।
ସୌଜନ୍ୟ ସମ୍ବାଦ




