ନିଜ ବିବୃତିରେ ପିସିସି ଉପସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନିପତି କହିଲେ ଏହି ଅଂଚଳରେ ବିଭିନ୍ନ ଜାଗାରେ ଯେତେବେଳେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ହୋଇଛି ଆମ ନେତା ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଛନ୍ତି ।
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ସିଜିମାଳୀରେ ବେଦାନ୍ତ କମ୍ପାନୀର ଖଣି ଖନନ ଓ ସଡ଼କ ନିର୍ମାଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ପୁଲିସ ସହ ସଂଘର୍ଷ ଘଟଣାରେ ଆଜି ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ସୁସ୍ଥ ବାତାବରଣ ସୃଷ୍ଟି କରି ସିଜିମାଳୀ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିବା ସହ ଆବଶ୍ୟକ ପଡ଼ିଲେ ରାହୁଳ ଗାନ୍ଧୀ ଏହି ପ୍ରସଙ୍ଗରେ ଓଡ଼ିଶାରେ ଆସିବେ ବୋଲି ରାଜ୍ୟକଂଗ୍ରେସ କହିଛି।
ଆଜି ପିସିସି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ଦଳର ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖ (ଶୁକ୍ରବାର) ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡା ଓ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ପ୍ରତିନିଧି ଦଳର ଅଧ୍ୟକ୍ଷ କୋରାପୁଟ ସାଂସଦ ତଥା ଉତ୍ତର ପୂର୍ବାଞ୍ଚଳର ରାଜ୍ୟ ସମୂହର ଏଆଇସିସି ପ୍ରଭାରୀ ସପ୍ତଗିରି ଉଲ୍ଲାକା ଓ ସହ-ଅଧ୍ୟକ୍ଷ ପୂର୍ବତନମନ୍ତ୍ରୀ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପିସିସି ଉପସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନିପତି, ଜିଲ୍ଲାର ବିଧାୟକବୃନ୍ଦ, ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନିପତୀ, ସଂପୃକ୍ତ ଜିଲ୍ଲା ଗୁଡିକର ଡିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ପୁଲିସ ଦମନଲୀଳାର ତୀବ୍ର ନିନ୍ଦା କରିଥିଲେ ।
ଉପସ୍ଥିତ ଗଣମାଧ୍ୟମକୁ ନିଜ ବିବୃତିରେ ସାଂସଦ ସପ୍ତଗିରି ଉଲ୍ଲାକା କହିଲେ, ଆମେ ଜାଣିବାକୁ ପାଇଲୁ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ନିଜ ପଟ୍ଟା ଦେଖାଅ ବୋଲି କହିଲେ ଏବଂ ଯଦି ନଥିବ ଆମେ ଦେଖିନେବୁ ବୋଲି ଧମକ ଦେଇଥିଲେ। ରାତି ୩ ଟା ପୁଲିସ ସଦଳବଳେ ଗାଁକୁ ପହଂଚିଥିଲା । ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ୮ଟା ଗ୍ରାମସଭା ହୋଇଛି ଯାହା ଲୋକମାନେ ଚାହୁଁନଥିଲେ । ନିୟମଗିରୀରେ ଯେଭଳି କୋର୍ଟଙ୍କ ତତ୍ତ୍ୱାବଧାନରେ ହୋଇଥିଲା, ସେଭଳି ହୋଇନି । ଅନ୍ୟଏକ ବିଷୟ ହେଲା ଜଳ, ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଆଇନ ଅନୁଯାୟୀ ଅଧିକାର ଦେବା କଥା ଏବଂ ପଟ୍ଟା ଯୋଗାଇବା କଥା ଯାହା ଏପର୍ଯ୍ୟନ୍ତ କୁହାଯାଇନାହିଁ । ଯେଉଁମାନଙ୍କୁ ବିନା ଦୋଷରେ ଗିରଫ କରାଯାଇଛି ତାଙ୍କୁ ମୁକ୍ତ କରାଯାଇ ଏଭଳି ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯାଉ ଯେଭଳି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ସମ୍ବିଧାନ ଅନୁସାରେ ଗ୍ରାମ ସଭା ମାଧ୍ୟମରେ ଖଣିଖାଦାନ କରିବାକୁ ଅନୁମତି ଦିଆଯାଏ । ଏହା ଗ୍ରାମବାସୀଙ୍କ ମୌଳିକ ଅଧିକାର । ଏ ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ମାଧ୍ୟମରେ ମାନନୀୟ ବିରୋଧିଦଳର ନେତା ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯିବ ।
ନିଜ ବିବୃତିରେ ପିସିସି ଉପସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନିପତି କହିଲେ ଏହି ଅଂଚଳରେ ବିଭିନ୍ନ ଜାଗାରେ ଯେତେବେଳେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ହୋଇଛି ଆମ ନେତା ରାହୁଲ ଗାନ୍ଧୀ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଛନ୍ତି । ଆଗକୁ ଦରକାର ପଡିଲେ ଆଦିବାସୀମାନଙ୍କ ସୁରକ୍ଷା ପାଇଁ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଆସିପାରନ୍ତି ବୋଲି ଶ୍ରୀ ବାହିନିପତୀ ସୂଚନା ଦେଇଥିଲେ ।
ପ୍ରଭାବିତ ଅଂଚଳ ପରିଦର୍ଶନ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସତ୍ୟଜିତ୍ ଗମାଙ୍ଗ, ବିଧାୟକ ପବିତ୍ର ସାଉଁଟା, ବିଧାୟକ ମଙ୍ଗୁଖିଲ, ବିଧାୟକ ନିଳମାଧବ ହିକ୍କକା, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ମହିଳା କଂଗ୍ରେସ ନେତ୍ରୀ ରତ୍ନ୍ମଣୀ ଉଲ୍ଲାକା, କଂଗ୍ରେସ ନେତ୍ରୀ ଅମୀତା ବିଶ୍ୱାଳ, ରାଜେନ୍ଦ୍ର ଦୁରିଆ, ସାନ୍ଦୁ ମାଝୀ, ଜିଜିରୁ ମାଝୀ, ଯୋସେଫ ଖାସାଲା, ପୁରନ୍ଦର ନାୟକ, ହୁତାସନ ନାୟକ, ଭୂଷଣ ବିଦିକା ତଥା ବହୁ ସଂଖ୍ୟାରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ସାମିଲ ଥିଲେ ।
ସୌଜନ୍ୟ Prameya News7

