ଦେଶ ବିଦେଶ

SIR: ଏସ୍‌ଆଇଆର୍‌ ପ୍ରଭାବ: ବିହାର ଓ ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ମିଳିବନି ସରକାରୀ ଯୋଜନାର ଲାଭ

ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରଭାବ ନିର୍ବାଚନ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ପଶ୍ଚିମବଙ୍ଗ ଓ ବିହାର ସରକାର ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ରାଜ୍ୟରେ ଏସ୍‌ଆଇଆର୍‌ ପରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ସରକାରୀ ତଥା ଜନକଲ୍ୟାଣକାରୀ ଯୋଜନାର ଲାଭ ମିଳିବ ନାହିଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ସରକାରୀ ଯୋଜନାର ବଣ୍ଟନରେ ହେଉଥିବା ଜାଲିଆତିକୁ ରୋକିବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଲାଭ ଉଠାଇବାରୁ ଦୂରେଇ ରଖିବା।

ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ପ୍ରଦାନ ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଦୂରେଇ ରଖିବାକୁ ଏସ୍‌ଆଇଆର୍‌ ଯାଞ୍ଚ ଡାଟାବେସ୍‌ ବ୍ୟବହାର କରିବ। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ବରମ୍‌ ପଶ୍ଚିମବଙ୍ଗ ଓ ବିହାରରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ଅପରାଧଜନକ ବୋଲି କହିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଗମ୍ଭୀର ପ୍ରଶ୍ନ ଉଠାଇଛି ବୋଲି କହି ଚିଦାମ୍ବରମ କହିଛନ୍ତି, ନାଗରିକତା ଭୋଟର ତାଲିକାରେ ଅନ୍ତର୍ଭୁକ୍ତିର ଆଧାର, ନା ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ନାଗରିକତାର ଆଧାର ସେ ଉପରେ ସୁପ୍ରିମକୋର୍ଟ ଚିନ୍ତା କରିବା ଉଚିତ।

ମେ ୧୦ ତାରିଖରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବା ପରେ ଘୋଷଣା କରିଥିଲା ଯେ, ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଓ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ମାମଲାର ହିତାଧିକାରୀଙ୍କୁ ଏବେ ପାଇଁ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ପରି ଯୋଜନାର ଲାଭ ମିଳିପାରିବ ନାହିଁ। ପଶ୍ଚିମବଙ୍ଗ ପରି ବିହାରରେ ଏନ୍‌ଡିଏ ସରକାର ମଧ୍ୟ ସମାନ ପଦକ୍ଷେପ ନେଇଛି। ବିହାର ସରକାର ଘୋଷଣା କରିଛନ୍ତି ଯେ, ଏସ୍‌ଆଇଆର୍‌ରେ ବାଦ୍‌ ପଡ଼ିଥିବା ନାଁ ସାମାଜିକ କଲ୍ୟାଣ ଯୋଜନା ଓ ରାସନ କାର୍ଡ଼ ଯୋଜନାରୁ ଲାଭ ଉଠାଇ ପାରିବେ ନାହିଁ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button