ଦେଶ ବିଦେଶବାଣିଜ୍ୟ

Stock Markets: ଦଲାଲ୍‌ ଷ୍ଟ୍ରିଟ୍‌ରେ କମ୍ପନ; ୧୪୫୬ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ: ଦଲାଲ୍‌ ଷ୍ଟ୍ରିଟ୍‌ରେ ଆଜି ବଡ଼ଧରଣର କମ୍ପନ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୪୫୬ ପଏଣ୍ଟ (୧.୯୨%) ତଳକୁ ଖସି ୭୪,୫୫୯.୨୪ ପଏଣ୍ଟରେ ବନ୍ଦ ହୋଇଛି। ଏଥିଯୋଗୁ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ୪୫୬ ଲକ୍ଷ କୋଟି ଟଙ୍କାକୁ କମିଯାଇଛି। ଏଥିପାଇଁ ଗୋଟିଏ ଦିନରେ ନିବେଶକମାନଙ୍କର ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଧୋଇଯାଇଛି।

ନ୍ୟାସନାଲ ‌ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ବି ୪୩୬ ପଏଣ୍ଟ ହ୍ରାସ ପାଇ ୨୩,୩୭୯.୫୫ ପଏଣ୍ଟରେ ବନ୍ଦ ହୋଇଛି।ସେନସେକ୍ସ ଲଗାତାର ଭାବେ ଗତ ୪ଟି କାରବାର ଦିବସରେ ୩୪୦୦ ପଏଣ୍ଟ ବା ୪.୪ ପ୍ରତିଶତ କମିଛି। ନିଫ୍‌ଟି ବି ଏହି ସମୟ ମଧ୍ୟରେ ୪ ପ୍ରତିଶତ ତଳକୁ ଖସିଛି। ଏଥିପାଇଁ ଉପରୋକ୍ତ ୪ ଦିନରେ ନିବେଶକମାନଙ୍କୁ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ହୋଇଛି। ଗତ ୬ ତାରିଖରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୪୭୩ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଆଜି ଏହା ୪୫୬ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଛି।

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତିର ସ୍ଥାୟିତ୍ବ ନେଇ ଅନିଶ୍ଚିତତା ଜାରି ରହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଦୀର୍ଘ ପ୍ରାୟ ୨ ମାସ ହେଲା ୧୦୦ ଡଲାର ଉପରେ ରହିବା, ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ ଚାଲିବା ଏବଂ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଇ ନେବା ଆଦି କାରଣରୁ ଦଲାଲ ଷ୍ଟ୍ରିଟ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ନେଇ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ରାଜିନାମାର ସ୍ଥାୟିତ୍ବ ଅନିଶ୍ଚିତତାରେ ଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୭ ଡଲାରରୁ ଅଧିକ ହୋଇଯାଇଛି। ସେହିଭଳି ଡଲାର ତୁଳନାରେ ଟଙ୍କା ମୂଲ୍ୟ ମଧ୍ୟ ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button