
କଟକ: ଓଡ଼ିଶା ଅଲିମ୍ପିକ୍ ସଂଘ ଓ ଏହା ଦ୍ବାରା ଅନୁବନ୍ଧିତ କ୍ରୀଡ଼ା ସଂଘମାନ କେନ୍ଦ୍ର ସରକାରଙ୍କ ନୂଆ କ୍ରୀଡ଼ା ନୀତିକୁ କାର୍ଯ୍ୟକାରୀ କରିବେ। ଆସନ୍ତା ଦୁଇ ମାସ ମଧ୍ୟରେ କ୍ଲବ୍ ହାଉସ୍ର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଚଳିତ ବର୍ଷରୁ ଅଲିମ୍ପିକ୍ ସଂଘର ଅନୁବନ୍ଧିତ ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ବର୍ଦ୍ଧିତ ଅନୁଦାନ ପାଇବେ। ବାର୍ଷିକ ୩୦ ହଜାର ଟଙ୍କା ପାଉଥିବା ସଂସ୍ଥା ୫୦ ହଜାର ଏବଂ ବାର୍ଷିକ ୧୫ ହଜାର ଟଙ୍କା ପାଉଥିବା ସଂଘ ଏବେ ୩୦ହଜାର ଟଙ୍କା ଅନୁବାଦ ପାଇବେ। ରବିବାର ଓଡ଼ିଶା ଅଲିମ୍ପିକ ସଂଘ (ଓଓଏ)ର ବାର୍ଷିକ ସାଧାରଣ ବୈଠକରେ ଏହା ଚୂଡ଼ାନ୍ତ ହୋଇଛି।
ଉପସଭାପତି କମଳାକାନ୍ତ ପାଣ୍ଡେଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ର ଅଡିଟ୍ ରିପୋର୍ଟ ପ୍ରଦାନ କରିଯିବା ସହ ୨୦୨୫-୨୬ବର୍ଷ ପାଇଁ ବଜେଟ ପ୍ରସ୍ତୁତି ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ଓଡ଼ିଶା ଅଲିମ୍ପିକ ସଂଘକୁ ସର୍ବଦା ସହଯୋଗ, ସମର୍ଥନ କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ବୈଠକରେ ସାଧାରଣ ସଂପାଦକ ଅଭିଜିତ ପାଲଙ୍କ ସମେତ ଉପସଭାପତି ପ୍ରତାପ ଶତପଥୀ, ବିନୋଦ ଦାଶ, ନଳିନୀ କୁମାର ଦାସ, ଦୁଲାଲ ପ୍ରଧାନ, କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ଯୁଗ୍ମସଂପାଦକ ହରିନାରାୟଣ ପୁଜାରୀ ଓ ଜେ. କାମେଶ୍ବର ରାଓଙ୍କ ସମେତ ବିଭିନ୍ନ ଅନୁବନ୍ଧିତ କ୍ରୀଡ଼ା ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।
ସୌଜନ୍ୟ ସମ୍ବାଦ




