Stockyard: ହଣ୍ଡପାରେ ବେଆଇନ କୋଇଲା ଷ୍ଟକ୍ୟାର୍ଡ: ଘରୋଇ ଜମିରେ ଗଦା କରାଯାଉଛି କୋଇଲା
ଅନୁଗୋଳରେ ବେଆଇନ ଭାବେ ଚାଲିଛି କୋଲ୍ ଷ୍ଟକ୍ୟାର୍ଡ। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ କୋଇଲା ଗଦା କରାଯାଉଛି। ପ୍ରଦୂଷିତ ହେଉଛି ଗାଁ ପରିବେଶ। ଏନେଇ ତଦନ୍ତ ଚାଲିଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଛି ଖଣି ବିଭାଗ।

ଅନୁଗୋଳ/ତାଳଚେର: ଅନୁଗୋଳରେ ବେଆଇନ ଭାବେ ଚାଲିଛି କୋଲ୍ ଷ୍ଟକ୍ୟାର୍ଡ। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ କୋଇଲା ଗଦା କରାଯାଉଛି। ପ୍ରଦୂଷିତ ହେଉଛି ଗାଁ ପରିବେଶ। ଏନେଇ ତଦନ୍ତ ଚାଲିଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଛି ଖଣି ବିଭାଗ। ଅନୁଗୋଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ବେଆଇନ ଭାବେ ବିପୁଳ ପରିମାଣର କୋଇଲା ଗଦା କରାଯାଇଥିବା ନେଇ ଅଭିଯୋଗ ଆସିଛି। ସରକାରୀ ନିୟମକୁ ବେଖାତିର କରି ଘରୋଇ ଜମିରେ କୋଇଲା ଷ୍ଟକୟାର୍ଡ କରାଯାଇଥିବା ଦେଖିବାକୁ ମିଳିଛି। ସରକାରୀ ନିୟମ ଅନୁସାରେ, କେବଳ ରେଲୱେ ସାଇଡିଂରେ ହିଁ କୋଇଲା ଷ୍ଟକୟାର୍ଡ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ହଣ୍ଡପା ରେଳଷ୍ଟେସନ ନିକଟରେ ସରକାରୀ ନିୟମକୁ ଫୁ କରି ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ରଖାଯାଇଛି। ତେବେ କିଏ ଓ କେବେଠାରୁ ଏଠାରେ କୋଇଲା ଷ୍ଟକୟାର୍ଡ କରିଛି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବହୁଦିନ ହେଲା ଘରୋଇ ଜମିରେ କୋଇଲା ମହଜୁଦ ହେଉଥିବା ସେମାନେ ଦେଖିବାକୁ ପାଉଛନ୍ତି। ଏଥିପାଇଁ ଗାଁ ଧୂଳି ଧୂଆଁରେ ପ୍ରଦୂଷିତ ହେବାସହ ନିକଟସ୍ଥ ନାଳ ପାଣି ବି ଦୂଷିତ ହେଉଛି। ଏନେଇ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
ଘରୋଇ ଜମିରେ ଗଦା କରାଯାଉଛି କୋଇଲା
ତଦନ୍ତ କରି ନିଆଯିବ କାର୍ଯ୍ୟାନୁଷ୍ଠାନ: ଖଣି ବିଭାଗ
ଏବେ କୋଲ୍ ଷ୍ଟକ୍ୟାର୍ଡ ହୋଇଥିବା ପ୍ଲଟ୍କୁ ପୂର୍ବରୁ ଭେଜାଲ ଓ ଚାରକୋଲ୍ ମିଶ୍ରଣ ଭଳି ବେଆଇନ କାର୍ଯ୍ୟକଳାପ ପାଇଁ ସରକାରଙ୍କ ଦ୍ୱାରା ବନ୍ଦ କରାଯାଇଥିଲା। ତେବେ ସରକାରୀ ସିଲ୍ ଭାଙ୍ଗି ଏବେ ସେହି ସ୍ଥାନରେ ପୁଣିଥରେ ବେଆଇନ ଅନୁପ୍ରବେଶ କରିବା ଏକ ଗୁରୁତର ଅପରାଧ। ଏହା ସିଧାସଳଖ ରାଜ୍ୟ ସରକାରଙ୍କ ଇଣ୍ଟିଗ୍ରେଟେଡ୍ ମାଇନ୍ସ ଆଣ୍ଡ ମିନେରାଲ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି। ଅପରପକ୍ଷରେ ଗାଁ ରାସ୍ତା ଦେଇ ବେଆଇନ ଭାବେ କୋଇଲା ପରିବହନ ହେଉଥିବାରୁ ରାସ୍ତା ନଷ୍ଟ ହେବା ସହ ସରକାରୀ ରାଜସ୍ୱ ହାନି ହେଉଛି।
ବୁଦ୍ଧିଜୀବୀଙ୍କ କହିବା କଥା, ବର୍ଷ ବର୍ଷ ଧରି ରେଳ ଷ୍ଟେସନ ନିକଟରେ ବେଆଇନ କୋଇଲା ଷ୍ଟକୟାର୍ଡ ଚାଲିଥିବା ବେଳେ କିଭଳି ଜାଣିପାରୁନି ଖଣି ବିଭାଗ? କାହା ଛତ୍ରଛାୟାରେ ଚାଲିଛି ଏ ବେଆଇନ କୋଇଲା ଷ୍ଟକ୍ୟାର୍ଡ? ତାଳଚେର ଖଣି ଉପ ନିର୍ଦ୍ଦେଶକ ଦେବେନ୍ଦ୍ର ନାଥ ଦଳାଇ କହିଛନ୍ତି, ଏ ପ୍ରସଙ୍ଗରେ ଖଣି ବିଭାଗ ସଂଜ୍ଞାନ ଅଛି। ଯାଞ୍ଚ ପାଇଁ ଏକ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଖଣି ବିଭାଗ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦଳାଇ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




