Strike in Odisha :ଭାରତ ବନ୍ଦର ବଡ଼ ପ୍ରଭାବ: ଖାଁ ଖାଁ ଭୁବନେଶ୍ୱର ରାଜପଥ
୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି | ସମଗ୍ର ରାଜ୍ୟରେ ଧର୍ମଘଟର ପ୍ରଭାବ ପଡିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବି ରାସ୍ତାଘାଟ ଶୂନଶାନ ହୋଇପଡିଛି |

ଭୁବନେଶ୍ୱର: ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି | ସମଗ୍ର ରାଜ୍ୟରେ ଧର୍ମଘଟର ପ୍ରଭାବ ପଡିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବି ରାସ୍ତାଘାଟ ଶୂନଶାନ ହୋଇପଡିଛି | ବିଶେଷ କରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ବାହାର ରାଜ୍ୟର ଟ୍ରକଗୁଡିକୁ ଅଟକାଇ ଦିଆଯାଇଛି । ଭୁବନେଶ୍ୱରର ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରାସ୍ତାରେ ଗାଡି ଚଳାଚଳ କରୁନଥିବାବେଳେ ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି | ତେବେ ଭୁବନେଶ୍ୱରରେ ଆଜି ଜଣେ ବର ବିବାହ ପାଇଁ ଯାଉଥିବାବେଳେ ତାଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ |
ଉଲ୍ଲେଖ ଥାଉ କି ଓଡ଼ିଶାରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରୁଛନ୍ତି । ଶ୍ରମିକ ସଂଗଠନମାନଙ୍କ ଏହି ସର୍ବଭାରତୀୟ ଧର୍ମଘଟକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ସମର୍ଥନ କରୁଛନ୍ତି । ଅନ୍ୟ ସଂଗଠନମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଶ୍ରମ ଆଇନରେ ସଂଶୋଧନ, ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୫କୁ ପ୍ରତ୍ୟାହାର, ଭିବି-ଜି ରାମଜି ଆଇନ ବଦଳରେ ମନରେଗା ଲାଗୁ, ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ସହ ବିହନ ବିଲ୍ ୨୦୨୫ ପ୍ରତ୍ୟାହାର, ସ୍ବାମୀନାଥନ କମିସନ ଅନୁସାରେ ଏମ୍ଏସ୍ପି ଲାଗୁ, ସମାନ କାମକୁ ସମାନ ଦରମା, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ଆଇନଗତ ସୁରକ୍ଷା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଦରଦାମ ଓ ବେକାରୀ ନିୟନ୍ତ୍ରଣ, ସାଂପ୍ରଦାୟିକ ବିଦ୍ବେଷ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି।
ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏସ୍ଇଡବ୍ଲୁଏ, ଏଲ୍ପିଏଫ୍, ସଂଯୁକ୍ତ କିଷାନ ମୋର୍ଚ୍ଚା, ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




