ଦେଶ ବିଦେଶ

Sukhoi: ୭୫ ସୁଖୋଇ-୫୭ କିଣିବ ଭାରତ, ଡିଲ୍‌ ମୂଲ୍ୟ ୧ ଲକ୍ଷ କୋଟି ଟଙ୍କା ହେବା ସମ୍ଭାବନା

ବ୍ରିକ୍ସଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ରୁଷ୍‌ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। ରୁଷ୍‌ର ପଞ୍ଚମ ପିଢ଼ିର ଷ୍ଟେଲ୍‌ଥ ଯୁଦ୍ଧବିମାନ ସୁଖୋଇ-୫୭ କିଣିବା ନେଇ ଭାରତ ସହ ଆଲୋଚନା ଚାଲିଛି।

ନୂଆଦିଲ୍ଲୀ: ବ୍ରିକ୍ସଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ରୁଷ୍‌ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। ରୁଷ୍‌ର ପଞ୍ଚମ ପିଢ଼ିର ଷ୍ଟେଲ୍‌ଥ ଯୁଦ୍ଧବିମାନ ସୁଖୋଇ-୫୭ କିଣିବା ନେଇ ଭାରତ ସହ ଆଲୋଚନା ଚାଲିଛି। ପ୍ରସ୍ତାବିତ ଚୁକ୍ତିରେ ପ୍ରାୟ ୭୫ଟି ବିମାନ ସାମିଲ ହୋଇପାରେ ଯାହାର ମୋଟ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ରିପୋର୍ଟ ଆସିଛି। ତେବେ ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆସନ୍ତା ୧୧ ତାରିଖ ଶୁକ୍ରବାର ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ। ୧୨ ଓ ୧୩ ତାରିଖରେ ଭାରତରେ ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀ ହେବ। ଏହି ବୈଠକରେ ସୁଖୋଇ-୫୭ ବିକ୍ରି ଓ ଏହାର ପ୍ରଯୁକ୍ତି ହସ୍ତାନ୍ତର ପ୍ରମୁଖ ଆଲୋଚନାର ବିଷୟ ହେବ ବୋଲି ରୁଷ୍‌ ସ୍ପଷ୍ଟ କରିଛି। ରୁଷ୍‌ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରି ପେସ୍କୋଭ୍‌ ମଙ୍ଗଳବାର ମସ୍କୋରୁ ଭାରତୀୟ ସାମ୍ବାଦିକଙ୍କ ସହ ଅନ୍‌ଲାଇନ୍‌ ଆଲୋଚନାରେ କହିଛନ୍ତି ଯେ ଭାରତକୁ ସୁଖୋଇ-୫୭ ବିକ୍ରି କରିବା ପ୍ରସଙ୍ଗ ପୁଟିନଙ୍କ ଆଲୋଚନା ସୂଚୀରେ ରହିଛି। ଭାରତୀୟ ପକ୍ଷ ଏହି ବିମାନର ଉତ୍ପାଦନ ପ୍ରଯୁକ୍ତି ଚାହୁଥିବାରୁ ଏ ନେଇ ଅଧିକ ଆଲୋଚନା ଚାଲିଥିବା ସେ କହିଛନ୍ତି।

ସୁଖୋଇ-୫୭ ହେଉଛି ରୁଷ୍‌ର ଉନ୍ନତ ପଞ୍ଚମ ପିଢ଼ିର ଷ୍ଟେଲ୍‌ଥ ଯୁଦ୍ଧବିମାନ। ଭାରତ ପାଇଁ ଏହାର ଆକର୍ଷଣ କେବଳ ବିମାନ କିଣିବାରେ ସୀମିତ ନୁହେଁ। ରୁଷ୍‌ ଭାରତରେ ଏହାର ଉତ୍ପାଦନ, ପ୍ରଯୁକ୍ତି ହସ୍ତାନ୍ତର ଓ ରକ୍ଷଣାବେକ୍ଷଣ କ୍ଷମତା ବିକାଶ ନେଇ ସହଯୋଗର ସମ୍ଭାବନା ମଧ୍ୟ ରଖିଛି। ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାଡ୍ରନ୍‌ ସଂଖ୍ୟା କମୁଥିବା ଏବଂ ସ୍ୱଦେଶୀ ଏଏମ୍‌ସିଏ ଯୁଦ୍ଧବିମାନ ଆସିବାକୁ ଆହୁରି ସମୟ ଲାଗିବା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଉଛି। ଏହି ବୈଠକରେ କେବଳ ସୁଖୋଇ-୫୭ ନୁହେଁ, ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ଉନ୍ନତୀକରଣ, ଦ୍ୱିପାକ୍ଷିକ ବାଣିଜ୍ୟ ଓ ଭାରତରେ ନୂଆ ପରମାଣୁ ଶକ୍ତି ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button