ରାଜ୍ୟ

Sunscreen Lotion: ମହିଳାଙ୍କୁ ବିପଦ ସନ୍‌ସ୍କ୍ରିନ୍‌ ଲୋସନ୍‌: ୨୭ ବର୍ଷରୁ ମହିଳାଙ୍କୁ ଗ୍ରାସୁଛି ଅଷ୍ଟିଓପୋରୋସିସ୍‌

ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଅସ୍ଥିଶଲ୍ୟ ବିଭାଗରେ ଚିହ୍ନଟ ହେଉଥିବା ଅଷ୍ଟିଓପୋରୋସିସ୍ ରୋଗୀଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ମହିଳା। ସାଧାରଣତଃ ମାସିକ ଋତୁସ୍ରାବ ବନ୍ଦ ପରେ ୫୦ ବର୍ଷ ବୟସରେ ଏହି ରୋଗ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

କଟକ (ଚିରଂଜୀବୀ କର): ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଅସ୍ଥିଶଲ୍ୟ ବିଭାଗରେ ଚିହ୍ନଟ ହେଉଥିବା ଅଷ୍ଟିଓପୋରୋସିସ୍ ରୋଗୀଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ମହିଳା। ସାଧାରଣତଃ ମାସିକ ଋତୁସ୍ରାବ ବନ୍ଦ ପରେ ୫୦ ବର୍ଷ ବୟସରେ ଏହି ରୋଗ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ୨୭ ବର୍ଷ ବୟସରୁ ମୁଖ୍ୟତଃ ସହରୀ ମହିଳାଙ୍କ କ୍ଷେତ୍ରରେ ଏଭଳି ରୋଗ ଦେଖାଯାଉଛି। ମହିଳାଙ୍କ ଅଣ୍ଟା, ଜଂଘ, ମେରୁଦଣ୍ଡରେ ଭୀଷଣ ଯନ୍ତ୍ରଣା ହେଉଛି। ହାଡ଼ କ୍ରମାଗତ ଭାବେ ଦୁର୍ବଳ ହୋଇଯାଉଛି। ଶରୀରରେ ଭିଟାମିନ୍ ଡି କମ୍ ରହୁଛି। ଏହାପଛର ଏକ ଉଦ୍‌ବେଗଜନକ କାରଣ ସାମନାକୁ ଆସିଛି। ସହରୀ ମହିଳା ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିବା ଦ୍ବାରା ଶରୀରରେ ସୂର୍ଯ୍ୟ କିରଣ ପଡ଼ୁନାହିଁ। ସୂର୍ଯ୍ୟ କିରଣ ପଡ଼ୁ ନ ଥିବାରୁ ଶରୀରକୁ ପର୍ଯ୍ୟାପ୍ତ ଭିଟାମିନ୍ ଡି’ ମିଳିପାରୁନାହିଁ।

ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ବନ୍ଦ ପରେ ଇଷ୍ଟ୍ରୋଜେନ୍ ହରମୋନ୍ କମିଯିବା ଦ୍ୱାରା ହାଡ଼ ଦ୍ରୁତଗତିରେ ଦୁର୍ବଳ ହୁଏ। ପୁରୁଷଙ୍କ କ୍ଷେତ୍ରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କମିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ। ମହିଳାମାନେ ସାଧାରଣତଃ ୫୦ ବର୍ଷ ଏବଂ ପୁରୁଷମାନେ ୭୦ ବର୍ଷ ପରେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଏବେ ମହିଳାମାନେ ୨୭ ବର୍ଷରୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଭଳି ଉଦ୍‌ବେଗଜନକ ଚିତ୍ର ଏସ୍‌ସିବି ମେଡିକାଲରେ ସାମନାକୁ ଆସିଛି। ପୋଷକ ତତ୍ତ୍ୱର ଅଭାବ, ଖାଦ୍ୟରେ କ୍ୟାଲସିୟମ୍ ଓ ଭିଟାମିନ୍-ଡି’ର ଅଭାବ, ଲମ୍ବା ସମୟ ଧରି ଷ୍ଟେରଏଡ୍ ଔଷଧ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟା ଦେଖା ଦେଉଥିବା ଡାକ୍ତରୀ ଟିମ୍ ଜାଣିବାକୁ ପାଇଛି।

୨୭ ବର୍ଷରୁ ମହିଳାଙ୍କୁ ଗ୍ରାସୁଛି ଅଷ୍ଟିଓପୋରୋସିସ୍‌
ଆକ୍ରାନ୍ତଙ୍କ ମଧ୍ୟରୁ ୪୦% ସହରୀ ମହିଳା

ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗ ଆଉଟଡୋରକୁ ଦୈନିକ ପ୍ରାୟ ୫୦୦ ରୋଗୀ ଆସୁଥିବା ବେଳେ ଏଥିରୁ କେବଳ ୧୫୦ ଜଣ ହେଉଛନ୍ତି ଅଷ୍ଟିଓପୋରୋସିସ୍‌ ରୋଗୀ। ଏଥିରେ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ସହରାଞ୍ଚଳର। ମହିଳାଙ୍କ ଇଷ୍ଟ୍ରୋଜେନ୍ ହରମୋନ୍ କମିଗଲେ ଏହି ରୋଗ ହେଉଥିବାରୁ ଏସ୍‌ସିବି ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ସେମାନେ ଚିକିତ୍ସିତ ହେଉଛନ୍ତି। ହାଡ଼ର ଘନତ୍ବ ମାପିବାକୁ ବ୍ୟବହାର ହେଉଥିବା ‘ଡେକ୍ସା’ ମେସିନ୍ ଖୁବ୍‌ଶୀଘ୍ର ଏସ୍‌ସିବିକୁ ଆସିବ। ଏସ୍‌ସିବି ମେଡିକାଲ କଲେଜ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟଜିତ ରାୟଙ୍କ କହିବା ଅନୁଯାୟୀ, ଦିନକୁ ଅତି କମ୍‌ରେ ୨୦ରୁ ୨୫ ମିନିଟ୍‌ ଖରା ସଂସ୍ପର୍ଶରେ ଆସିବା ଉଚିତ। ମହିଳାମାନେ ବାହାରକୁ ଆସିଲେ ଟ୍ୟାନ୍‌ରୁ ବର୍ତ୍ତିବା ପାଇଁ ସନ୍‌ସ୍କ୍ରିନ୍‌ ଲୋସନ ଲଗାଇବା ଦ୍ବାରା ଶରୀରକୁ ଭିଟାମିନ୍ ଡି ମିଳିପାରୁନାହିଁ। ଶାରୀରିକ ବ୍ୟାୟାମ ମଧ୍ୟ ସେହି ଅନୁପାତରେ ହୋଇ ପାରୁନାହିଁ। ବାହାର ଖାଦ୍ୟରୁ ପର୍ଯ୍ୟାପ୍ତ ପୋଷକତତ୍ତ୍ବ ମିଳିପାରୁନାହିଁ। ଏଭଳି ବିଭିନ୍ନ କାରଣରୁ ସହରୀ ମହିଳାମାନେ କମ୍‌ ବୟସରୁ ଅଧିକ ମାତ୍ରାରେ ଅଷ୍ଟିଓପୋରୋସିସ୍‌ର ଶିକାର ହେଉଛନ୍ତି ବୋଲି ଡାକ୍ତର ରାୟ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button