Supreme Court: ଆନ୍ଧ୍ରପ୍ରଦେଶର ୧୦୦ ପୌରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଆୟୋଗର ପଦକ୍ଷେପ
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ରପ୍ରଦେଶର ୧୦୦ଟି ପୌର ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ (ଏପିଏସ୍ଇସି)। ଏଥିରେ ୧୩ଟି ମହାନଗର ନିଗମ ଏବଂ ୮୭ଟି ପୌରପାଳିକା ଓ ନଗର ପଞ୍ଚାୟତ ରହିଛି।

ଅକ୍ଟୋବର ୧୪ରେ ଏହି ପୌର ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ ଏବଂ ୧୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହୋଇଥିଲା। ଅକ୍ଟୋବର ୨୧ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଥିଲା। କିନ୍ତୁ ନାମାଙ୍କନ ଦାଖଲରେ ବାଧା ଦିଆଯାଇଥିବା ଅଭିଯୋଗକୁ ନେଇ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବା ପରେ ନିର୍ବାଚନ ପ୍ରକ୍ରିୟା ଅଟକିଛି।
ନାମାଙ୍କନରେ ବାଧା
ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି) ଏବଂ ଅନ୍ୟ କେତେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନାମାଙ୍କନ କେନ୍ଦ୍ରରେ ପହଞ୍ଚିବାକୁ ବାଧା ଦିଆଯିବା, ଧମକ ଓ ହିଂସା ଯୋଗୁଁ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରି ନଥିବା ସେମାନେ ଦାବି କରିଥିଲେ। ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କହିଥିଲେ।
ସୁପ୍ରିମ୍କୋର୍ଟ ଅକ୍ଟୋବର ୨୫ ପୂର୍ବରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଅଭିଯୋଗକାରୀ ପ୍ରାର୍ଥୀଙ୍କ ଆବେଦନ ଓ ପ୍ରମାଣ ଯାଞ୍ଚ କରି ନାମାଙ୍କନ ଅବଧି ବଢ଼ାଯିବ କି ନାହିଁ, ସେ ସମ୍ପର୍କରେ ବିଚାର କରିବାକୁ ଆୟୋଗଙ୍କୁ କହିଥିଲେ। ପ୍ରାର୍ଥୀମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ନାମାଙ୍କନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




