ରାଜ୍ୟ
Supreme Court: ପୁଣି ସୁପ୍ରିମ୍କୋର୍ଟ ଯିବ ଓଡ଼ିଶା: ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ
Supreme Court: ପୁଣି ସୁପ୍ରିମ୍କୋର୍ଟ ଯିବ ଓଡ଼ିଶା: ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ

କୋରାପୁଟ/ସମ୍ବଲପୁର/ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଓଡ଼ିଶାରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ବିଭିନ୍ନ ମହଲରୁ ଏହାକୁ କଡ଼ା ସମାଲୋଚନା ହେଲା ପରେ ଆଇନଗତ ଲଢ଼େଇ ସହ ପ୍ରଶାସନିକ ସ୍ତରରେ ନିର୍ବାଚନକୁ ରୋକିବା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନର ଦୁଇ ଜଣ ବରିଷ୍ଠ ଅଧିକାରୀ କୋଟିଆରେ ରହିବେ। ଆନ୍ଧ୍ରର ଗତିବିଧି ଉପରେ ନିୟମିତ ନଜର ରଖିବା ସହ ପ୍ରତିଦିନ ରିପୋର୍ଟ ଦେବାକୁ କୋରାପୁଟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଆସନ୍ତା ୪ ତାରିଖରେ ଭୁବନେଶ୍ବରରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ଡାକରା ଦିଆଯାଇଛି।
କୋଟିଆ: ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା
ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତକୁ ବିଭକ୍ତ କରି ଗଞ୍ଜେଇପଦର, ଫାଟୁସିନେରି ଏବଂ ଧୂଳିପଦର ପଞ୍ଚାୟତ ଗଠନ କରାଯାଇଛି। ସାଲୁର ମଣ୍ଡଳରେ ଏହି ତିନିଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଗୁଡ଼ିକରେ ଜେଡ୍ପିଟିସି (ଜିଲ୍ଲା ପରିଷଦ ସଭ୍ୟ) ଏବଂ ଏମ୍ପିଟିସି (ସମିତି ସଭ୍ୟ) ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସମିତିସଭ୍ୟ ପଦ ପାଇଁ ଆଜି ନେରେଡିବାଲସା ଓ ଉପରସେମ୍ବୀ ଗାଁର ଜଣେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ସାଲୁର ଯାଇଥିଲେ। ୨୩ ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବ ଏବଂ ୩ ତାରିଖରେ ନିର୍ବାଚନ ହେବ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆଭାସୀ ମାଧ୍ୟମରେ ଏହି ପ୍ରସଙ୍ଗର ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଆଇନଗତ ଦୃଷ୍ଟିକୋଣରୁ ଉଚିତ ପଦକ୍ଷେପ ନେବା ଦିଗରେ ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ସହ ସବିଶେଷ ଆଲୋଚନା କରିବା ସହ ପରାମର୍ଶ ଲୋଡ଼ିଛନ୍ତି l ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମନ୍ତ୍ରୀ ଶ୍ରୀ ପୂଜାରୀ କରିଥିବା ଏହି ଆଭାସୀ ବୈଠକରେ ଆଡ୍ଭୋକେଟ୍ ଜେନେରାଲଙ୍କ ସମେତ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ରୋହିତ ବର୍ମା ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ।
ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ
ଜିଲ୍ଲାପାଳ, ଏସ୍ପି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବେ
ଜିଲ୍ଲାପାଳ, ଏସ୍ପି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବେ
ମନ୍ତ୍ରୀ କହିଛନ୍ତି, କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ଗ୍ରାମଗୁଡ଼ିକୁ ନେଇ ରହିଥିବା ଏହି ବିବାଦ ଦୀର୍ଘବର୍ଷ ଧରି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ଆଇନଗତ ପ୍ରକ୍ରିୟାର ବିଷୟ ହୋଇରହିଛି। ୨୦୦୬ ମସିହାରେ ଆନ୍ତଃରାଜ୍ୟ ସୀମା ବିବାଦରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା ଦାୟର କେସ୍ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହେବା ପରେ ଏହା ଉପରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଓ କ୍ୟୁରେଟିଭ୍ (ସଂଶୋଧନ) ପିଟିସନ୍ ମଧ୍ୟ ଖାରଜ ହୋଇଥିଲା। ମାତ୍ର ତୁରନ୍ତ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଦୀର୍ଘ ଷୋହଳ ବର୍ଷ ବ୍ୟବଧାନରେ ୨୦୨୨ ମସିହାରେ ତତ୍କାଳୀନ ସରକାର ପୁନଶ୍ଚ ଆଉ ଏକ କେସ୍ ଦାଖଲ କରିଥିଲେ; ଯାହା ଏବେ ବିଚାରାଧୀନ ରହିଛି। ୨୦୨୧ ମସିହା ଫେବ୍ରୁଆରିରେ ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବାରୁ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ସମ୍ପର୍କିତ ଆବେଦନ ଦାଖଲ କରାଯାଇଥିଲା।
ଏହି କେସ୍ ସବୁ ଅଦାଲତରେ ବିଚାରାଧୀନ ଥିବା କାରଣରୁ ଆଇନଗତ ଦିଗରୁ ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ଆଡ୍ଭୋକେଟ୍ ଜେନେରାଲଙ୍କୁ ଦାୟିତ୍ୱ ଦିଆଯିବା ସହ ତାଙ୍କୁ ସମସ୍ତ ଆବଶ୍ୟକ ଦଲିଲପତ୍ର ଯୋଗାଇ ଦିଆଯିବ। ଏହା ଏକ ସମ୍ବେଦନଶୀଳ ଓ ଆଇନଗତ ପ୍ରସଙ୍ଗ ହୋଇଥିବାରୁ ଏହାର ସମାଧାନ ପାଇଁ ଆଇନଗତ ତଥ୍ୟ, ଐତିହାସିକ ଦଲିଲ, ଜନଗଣନା ତଥ୍ୟ ଓ ପ୍ରଶାସନିକ ରେକର୍ଡ ଆଧାରରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳର ଲୋକଙ୍କୁ ବେଆଇନ ଭାବେ ଅତିରିକ୍ତ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ପ୍ରଦାନ କରି ନିର୍ବାଚନରେ ତାହାର ବ୍ୟବହାର ମାଧ୍ୟମରେ ନିଜ ଦାବିକୁ ମଜଭୁତ କରିବାକୁ ଚକ୍ରାନ୍ତ କରୁଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନରେ ଏଭଳି ଉଦ୍ୟମକୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ବିବାଦର ଶୀଘ୍ର, ସ୍ଥାୟୀ ଓ ସାମ୍ବିଧାନିକ ସମାଧାନ ପାଇଁ ଆଇନଗତ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା ସହ କୋଟିଆ ଅଞ୍ଚଳର ଲୋକଙ୍କ ନିକଟରେ ସରକାରୀ ସେବା, ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ମୌଳିକ ସୁବିଧା ନିରବଚ୍ଛିନ୍ନ ଭାବେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ



