ଦେଶ ବିଦେଶ

Supreme Court : ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ସୁପ୍ରିମ୍‌କୋର୍ଟରେ ଜବାବ ରଖିଲା କେନ୍ଦ୍ର

ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ସମୟରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦିଲ୍ଲୀ ପୁଲିସ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ କିଏ ରିଲ୍‌ ମେକର୍‌ ଏବଂ କିଏ ସ୍ୱାଧୀନ ସାମ୍ବାଦିକ, ତାହା ଜାଣିବା କଷ୍ଟକର ହୋଇପଡ଼ିଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ସମୟରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦିଲ୍ଲୀ ପୁଲିସ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ କିଏ ରିଲ୍‌ ମେକର୍‌ ଏବଂ କିଏ ସ୍ୱାଧୀନ ସାମ୍ବାଦିକ, ତାହା ଜାଣିବା କଷ୍ଟକର ହୋଇପଡ଼ିଛି।

ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଆବେଦନର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଅନେକ ଲୋକ ନିଜକୁ ଫ୍ରିଲାନ୍ସ ସାମ୍ବାଦିକ ବୋଲି ପରିଚୟ ଦେଉଛନ୍ତି। ସେମାନଙ୍କ ପାଖରେ ମାଇକ୍‌ ରହୁଛି ଏବଂ ରେକର୍ଡିଂ କରିବା ପରେ ତାହାକୁ ରିଲ୍‌ରେ ପରିଣତ କରୁଛନ୍ତି। ଆନ୍ଦୋଳନ ସ୍ଥଳରେ ମଧ୍ୟ ରିଲ୍‌ ତିଆରି କରାଯାଉଛି। ତେଣୁ କିଏ ରିଲ୍‌ ମେକର୍‌ ଓ କିଏ ସ୍ୱାଧୀନ ସାମ୍ବାଦିକ, ତାହା ଜାଣିବା ସମ୍ଭବ ହେଉନାହିଁ। ତେବେ ମହିଳା ପୁଲିସଙ୍କ ସମେତ କୌଣସି ମହିଳାଙ୍କ ପ୍ରତି ଖରାପ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସାମ୍ବାଦିକାଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ

ଅନ୍ୟପକ୍ଷରେ, ମହିଳା ସାମ୍ବାଦିକଙ୍କ ପ୍ରତି ପୁଲିସର ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ନେଇ ସୁପ୍ରିମ୍‌କୋର୍ଟ ସଙ୍କେତ ଦେଇଛନ୍ତି। ସିଜେଆଇ କହିଛନ୍ତି, ଅଭିଯୋଗଗୁଡ଼ିକ ଅତ୍ୟନ୍ତ ସାଂଘାତିକ। ଏହାର ତଦନ୍ତ ପାଇଁ ପ୍ରସ୍ତାବିତ କମିଟିରେ ପୂର୍ବତନ ମହିଳା ବିଚାରପତି ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ସାମିଲ କରିବାକୁ ସେ ସୁପାରିସ କରିଛନ୍ତି। ଆଇନଜୀବୀ ଜୟସିଂହ ମହିଳା ସାମ୍ବାଦିକାଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ। ସାମ୍ବାଦିକା ଏସିପି ବିବେକ ଭଗତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ବେଳେ ଭଗତ ତାଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ନିର୍ଯାତନା ନିବାରଣ ଆଇନ ଅଧୀନରେ ଏତଲା ରୁଜୁ କରିଛନ୍ତି। ଉଭୟ ଅଭିଯୋଗ ଓ ପ୍ରତି-ଅଭିଯୋଗର ତଦନ୍ତ ଚାଲିଥିବାରୁ ସାମ୍ବାଦିକାଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ଜୟସିଂହ ନିବେଦନ କରିଥିଲେ। ଏହାପରେ ସିଜେଆଇ ସୂର୍ଯ୍ୟକାନ୍ତ ସାମ୍ବାଦିକାଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ପ୍ରକ୍ରିୟାରେ ସାମ୍ବାଦିକା ଯୋଗ ଦେଲେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଶ୍ଚିତ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button