Supreme Court: ହିନ୍ଦୁ-ଶିଖ୍-ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣକାରୀ ଅନୁସୂଚିତ ଜାତି ମାନ୍ୟତା ପାଇପାରିବେ ନାହିଁ
ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତି (ଏସ୍ସି) ମାନ୍ୟତା ପାଇପାରିବେ ନାହିଁ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ଅନୁଯାୟୀ ସୁରକ୍ଷା ଦାବି...

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତି (ଏସ୍ସି) ମାନ୍ୟତା ପାଇପାରିବେ ନାହିଁ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ଅନୁଯାୟୀ ସୁରକ୍ଷା ଦାବି କରିପାରିବେ ନାହିଁ। କେବଳ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମର ବ୍ୟକ୍ତି ଏସ୍ସି ମାନ୍ୟତା ଦାବି କରିବାର ଅଧିକାର ପାଇଛନ୍ତି ବୋଲି କୋର୍ଟ ରାୟ ଦେଇଛନ୍ତି।
ଜଷ୍ଟିସ୍ ପିକେ ମିଶ୍ର ଓ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖି କହିଛନ୍ତି ଯେ, ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଥିବା ଏବଂ ସକ୍ରିୟ ଭାବରେ ଧର୍ମ ଅନୁସରଣ କରୁଥିବା ବ୍ୟକ୍ତିଙ୍କୁ ଏସ୍ସି ସମ୍ପ୍ରଦାୟର ସଦସ୍ୟ ଭାବରେ ସ୍ୱୀକୃତି ଦିଆଯାଇପାରିବ ନାହିଁ। ଚିନ୍ତଡା ଆନନ୍ଦ ନାମକ ଜଣେ ପାଦ୍ରୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ମେ ୨୦୨୫ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ କରିଥିବା ଆବେଦନ ଉପରେ ଏହି ରାୟ ଆସିଛି। ସେ ଅଭିଯୋଗ କରିଛନ୍ତି ଯେ, ସେ କିଛି ବ୍ୟକ୍ତିଙ୍କ ଜାତିଆଣ ଭେଦଭାବ ଓ ଦୁର୍ବ୍ୟବହାରର ସମ୍ମୁଖୀନ ହୋଇଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମର ବ୍ୟକ୍ତି ଅନୁସୂଚିତ ଜାତିର ସଦସ୍ୟ ହେବେ ନାହିଁ। ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୂଚିତ ଜାତି ମାନ୍ୟତା ହରାଇବାକୁ ପଡ଼େ।
ଆନନ୍ଦ ନାମକ ଜଣେ ପାଦ୍ରୀ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ଗାଁରେ ରବିବାର ପ୍ରାର୍ଥନା କରୁଥିବା ବେଳେ ଆକ୍କାଲା ରାମିରେଡ୍ଡୀ ଓ ଅନ୍ୟମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ, ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଇଥିଲେ ଏବଂ ତାଙ୍କୁ ଜାତିଗତ ଆଧାରରେ ଦୁର୍ବ୍ୟବହାର କରିଥିଲେ। ଆନନ୍ଦ ସେମାନଙ୍କ ବିରୋଧରେ ଏସ୍ସି/ଏସ୍ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତମାନେ ଯୁକ୍ତି ବାଢ଼ିଥିଲେ ଯେ, ଆନନ୍ଦ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ଏବଂ ସକ୍ରିୟ ଭାବରେ ତାହା ପାଳନ କରୁଛନ୍ତି, ତେଣୁ ସେ ଏସ୍ସିଙ୍କ ପାଇଁ ଉପଲବ୍ଧ ସୁରକ୍ଷା ପାଇବାକୁ ହକଦାର ନୁହନ୍ତି। ଜଷ୍ଟିସ୍ ଏନ୍ ହରିନାଥ ଏଫ୍ଆଇଆର୍କୁ ଖାରଜ କରି କହିଛନ୍ତି ଯେ, ଅଭିଯୋଗକାରୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ତାଙ୍କର ଏସ୍ସି ମାନ୍ୟତା ହରାଇଛନ୍ତି। ତେଣୁ ସେ ଏସ୍ସି/ଏସ୍ଟି ଆକ୍ଟ ଅନୁଯାୟୀ ସୁରକ୍ଷା ଦାବି କରିପାରିବେ ନାହିଁ। ଏହା ପରେ ଆନନ୍ଦ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯିଏ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି।
ସୌଜନ୍ୟ ସମ୍ବାଦ




