ନୂଆଦିଲ୍ଲୀ: ତାମିଲନାଡ଼ୁର ତଞ୍ଜାଭୁରସ୍ଥିତ ଶାସ୍ତ୍ର ବିଶ୍ୱବିଦ୍ୟାଳୟ ବିରୋଧରେ ୩୧.୩୭ ଏକର ସରକାରୀ ଜମି ଦଖଲ ଅଭିଯୋଗରେ କୌଣସି କଠୋର ପଦକ୍ଷେପ ନେଇପାରିବେ ନାହିଁ ରାଜ୍ୟ ସରକାର। ସୋମବାର ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତରେ ପୂର୍ବରୁ ଦେଇଥିବା ଅନ୍ତରୀଣ ରୋକ୍କୁ ଜାରି ରଖିବା ସହ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଏଥିସହ ବିଶ୍ୱବିଦ୍ୟାଳୟର ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟଦୀପ ଗୁପ୍ତା କହିଥିଲେ ଯେ, ରାଜ୍ୟ ସରକାର ଏହି ବିବାଦର ଆପୋସ ସମାଧାନ ଚାହୁନାହାନ୍ତି ଏବଂ ନିଜ ଜମି ଫେରିପାଇବାକୁ ଚାହୁଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁକୁଲ ରୋହତଗୀ ଓ ଅଭିଷେକ ସିଂଘଭି ଯୁକ୍ତି ରଖି କହିଥିଲେ ଯେ, ବିବାଦୀୟ ଜମି ବଦଳରେ ଅନ୍ୟ ଜମି ଦେବାକୁ ଅନୁଷ୍ଠାନ ପ୍ରସ୍ତୁତ। କିନ୍ତୁ ରାଜ୍ୟ ସରକାର ଏହି ପ୍ରସ୍ତାବ ଗ୍ରହଣ କରିବାକୁ ରାଜି ନାହାନ୍ତି।
ସେପ୍ଟେମ୍ବର ୨୧ରେ ମଧ୍ୟ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ବିକଳ୍ପ ଜମି ଗ୍ରହଣ କରି ବିବାଦର ସମାଧାନ କରିବା ସମ୍ଭାବନା ଅନୁଧ୍ୟାନ କରିବାକୁ କହିଥିଲେ। ଶିକ୍ଷାନୁଷ୍ଠାନଟି ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବାରୁ ଏହାକୁ ଉଚ୍ଛେଦ କରିବା ଓ ନିର୍ମାଣ ଭାଙ୍ଗିବା ଉପରେ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଏହା ପୂର୍ବରୁ ଜାନୁଆରି ୧୫ରେ ମାଦ୍ରାସ ହାଇକୋର୍ଟଙ୍କ ଉଚ୍ଛେଦ ନିର୍ଦ୍ଦେଶ ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଥିଲେ। ଜାନୁଆରି ୯ରେ ହାଇକୋର୍ଟ ବିଶ୍ୱବିଦ୍ୟାଳୟକୁ ସରକାରୀ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶ୍ୱବିଦ୍ୟାଳୟର କହିବା ଅନୁଯାୟୀ, ବିବାଦୀୟ ଜମି କ୍ୟାମ୍ପସ୍ର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ଏଠାରେ ଶିକ୍ଷାଗୃହ, ଛାତ୍ରାବାସ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ରହିଛି। ଏହି ଅନୁଷ୍ଠାନରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତେବେ ଜମିର ମାଲିକାନା ଓ ଦଖଲକୁ ନେଇ ମୂଳ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏଁ ହୋଇନାହିଁ। ସୁପ୍ରିମ୍କୋର୍ଟ ଏବେ କେବଳ ଅନ୍ତରୀଣ ସୁରକ୍ଷା ଜାରି ରଖିଛନ୍ତି।