Tamil Nadu: ତାମିଲନାଡୁ ସରକାରଙ୍କ ‘ଭେଟ୍ରି ୧୫୦’ ଯୋଜନା ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର, ଗ୍ରାମୀଣ ଶ୍ରମିକଙ୍କୁ ବଡ଼ ଉପହାର
ଗ୍ରାମୀଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟର ଯୋଗ୍ୟ ଗ୍ରାମୀଣ ପରିବାରଙ୍କୁ ବର୍ଷକୁ ଅତିରିକ୍ତ ୨୫ ଦିନର ମଜୁରିଭିତ୍ତିକ କାମ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଚେନ୍ନାଇ: ଗ୍ରାମୀଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟର ଯୋଗ୍ୟ ଗ୍ରାମୀଣ ପରିବାରଙ୍କୁ ବର୍ଷକୁ ଅତିରିକ୍ତ ୨୫ ଦିନର ମଜୁରିଭିତ୍ତିକ କାମ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ନିର୍ଦ୍ଦିଷ୍ଟ ବର୍ଗର ପରିବାରଙ୍କ ପାଇଁ ବାର୍ଷିକ ନିଯୁକ୍ତି ସୁଯୋଗ ୧୨୫ ଦିନରୁ ୧୫୦ ଦିନକୁ ବୃଦ୍ଧି ପାଇବ।
ଏହି ଯୋଜନାର ନାମ ‘ଭେଟ୍ରି ୧୫୦’ ରଖାଯାଇଛି। ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ରର ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିଶନ୍ (ଗ୍ରାମୀଣ) ବା ଭିବି-ଜି ରାମ୍ ଜି ଯୋଜନା ଅଧୀନରେ ୧୨୫ ଦିନର କାମ ସମ୍ପୂର୍ଣ୍ଣ କରିଥିବା ଯୋଗ୍ୟ ପରିବାର ଏହି ଅତିରିକ୍ତ ସୁବିଧା ପାଇପାରିବେ।
ବର୍ଷକୁ ମିଳିବ ୧୫୦ ଦିନର କାମ
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପରେ ଦୁର୍ବଳ ବର୍ଗର ପରିବାରଙ୍କୁ ପ୍ରାଥମିକତା ଦିଆଯିବ। ମହିଳା ମୁଖିଆ ଥିବା ପରିବାର, ଏକାକୀ ମହିଳା, ଦିବ୍ୟାଙ୍ଗ ସଦସ୍ୟ ଥିବା ପରିବାର ଏବଂ ଅନୁସୂଚିତ ଜାତି ଓ ଜନଜାତିର ପରିବାର ଏହି ଯୋଜନାର ପ୍ରମୁଖ ହିତାଧିକାରୀ ହେବେ। ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆସୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ।
ମୁଖ୍ୟମନ୍ତ୍ରୀ ବିଜୟ ଜୁଲାଇ ୩ ତାରିଖରେ ଏକ ସମୀକ୍ଷା ବୈଠକ ସମୟରେ ଯୋଗ୍ୟ ପରିବାରଙ୍କୁ ଅତିରିକ୍ତ ୨୫ ଦିନର କାମ ଯୋଗାଇଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ଏଥିପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛି।
ସୌଜନ୍ୟ ସମ୍ବାଦ




