ମହାନଗର

Swamiji: ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣ ଓ ଚାରିତ୍ରିକ ମୂଲ୍ୟବୋଧର ପ୍ରତୀକ: ମୁଖ୍ୟମନ୍ତ୍ରୀ

ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜ ପାଇଁ ଅସୀମ ପ୍ରେରଣାର ଉତ୍ସ। ଯୁବବର୍ଗ ପ୍ରତି ତାଙ୍କର ଅତୁଟ ଭରସା ଥିଲା। ସେ ସବୁବେଳେ କହୁଥିଲେ ଯୁବ ସମାଜ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ.....

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜ ପାଇଁ ଅସୀମ ପ୍ରେରଣାର ଉତ୍ସ। ଯୁବବର୍ଗ ପ୍ରତି ତାଙ୍କର ଅତୁଟ ଭରସା ଥିଲା। ସେ ସବୁବେଳେ କହୁଥିଲେ ଯୁବ ସମାଜ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ କରିପାରିବ। ସ୍ୱାମୀଜୀଙ୍କ ପ୍ରଦତ୍ତ ଶିକ୍ଷା କହିଲେ କେବଳ ଯଥାର୍ଥ ଜ୍ଞାନ ଅର୍ଜନ କିମ୍ୱା ପୋଥିଗତ ବିଦ୍ୟା ନୁହେଁ। ବରଂ ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା, ଶୃଙ୍ଖଳା ଓ ଆତ୍ମବିଶ୍ୱାସକୁ ଶିକ୍ଷାର ମୂଳମନ୍ତ୍ର ବୋଲି ସେ କହୁଥିଲେ। ପାଶ୍ଚାତ୍ୟ ବିଜ୍ଞାନ ସହ ବେଦାନ୍ତର ସମନ୍ୱୟକୁ ସେ ଗୁରୁତ୍ୱ ଭାବେ ଗ୍ରହଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସ୍ୱାମୀଜୀଙ୍କୁ ରାଷ୍ଟ୍ର ନିର୍ମାଣର ଆଧାର ଓ ଚାରିତ୍ରିକ ମୂଲ୍ୟବୋଧର ଆଧାର ବୋଲି ମୁଖ୍ୟମନ୍ତ୍ରୀ ଅଭିିହିତ କରିବା ସହ ତାଙ୍କ ଜୀବନୀ କିପରି ଯୁବ ସମାଜକୁ ପ୍ରେରଣା ପ୍ରଦାନ କରୁଛି, ସେବିଷୟରେ ବର୍ଣ୍ଣନା କରିଥିଲେ। ଯୁବ ସଶକ୍ତୀକରଣ ପାଇଁ ଶିକ୍ଷା ସହିତ ସରକାର ବିଭିନ୍ନ ଯୁବ ସେବାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି, ଖେଳକୁଦରେ ଉତ୍କର୍ଷ ଏବଂ ସାଂସ୍କୃତିକ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅନେକ ଯୋଜନା ରୂପାୟନ କରାଯାଇଛି। ଆଜି ଓଡ଼ିଶା ଦେଶର ‘ଖେଳ ରାଜଧାନୀ’ ଭାବେ ପରିଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କହିଲେ, ଓଡ଼ିଶାର ଯୁବବର୍ଗ ଆଜି ବିଶ୍ୱସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିଟ୍‌ ଇଣ୍ଡିଆ ମିସନ ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି। ପ୍ରତ୍ୟେକ ଭାରତୀୟଙ୍କୁ ସୁସ୍ଥ ଓ ସଫଳ ଜୀବନଶୈଳୀ ନିମନ୍ତେ ଅନୁପ୍ରାଣିତ କରୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button