Supreme Court: କର୍ପୋରେଟ୍ ଚାପରେ ପଡ଼ି ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଇପାରିବନି: ସୁପ୍ରିମ୍ କୋର୍ଟ
ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକ୍ କରାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ ଚେତାବନୀ ଲେବୁଲ୍ ଲଗାଇବା ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଏଫଏସଏସଏଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକ୍ କରାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ ଚେତାବନୀ ଲେବୁଲ୍ ଲଗାଇବା ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଏଫଏସଏସଏଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ସରକାର ଏହି ନିୟମ ନିଜେ ତୁରନ୍ତ ଲାଗୁ ନକରନ୍ତି, ତେବେ କୋର୍ଟ ନିଜେ ଏହାକୁ ନେଇ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କଡ଼ା ଚେତାବନୀ ଦେଇଛନ୍ତି। ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଫଏସଏସଏଆଇ ଓ କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥାଗୁଡ଼ିକର ଚାପରେ କାମ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲା ଦେଶର ନାଗରିକ, ବିଶେଷ କରି ବଢ଼ୁଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ। ଏଥିରେ କୌଣସି ଶିଳ୍ପସଂସ୍ଥାର ଚାପ ଅଧୀନରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ।
ଭାରତ ସବୁବେଳେ ଅବିକଶିତ ହୋଇ ରହିବ କି?
ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ଏଫଏସଏସଏଆଇ ସିଭିଲ୍ ସୋସାଇଟିର ପ୍ରମାଣଗୁଡ଼ିକୁ ଅଣଦେଖା କରି କେବଳ ଖାଦ୍ୟ ଶିଳ୍ପସଂସ୍ଥାର ବିରୋଧକୁ ପ୍ରାଧାନ୍ୟ ଦେଉଛି। ଏହାର ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ବ୍ରିଜେନ୍ଦ୍ର ଚାହର ଭାରତୀୟ ପାରମ୍ପରିକ ଖାଦ୍ୟର ଉଦାହରଣ ଦେଇ କହିଥିଲେ ଯେ, ବିକଶିତ ଦେଶଗୁଡ଼ିକର ମାନଦଣ୍ଡ ଭାରତୀୟ ଖାଦ୍ୟ ଉପରେ ସିଧାସଳଖ ଲଗାଯାଇପାରିବ ନାହିଁ। ଏହାକୁ ଖାରଜ କରି କୋର୍ଟ ପ୍ରଶ୍ନ କରିଥିଲେ, ଭାରତ ସବୁବେଳେ ଅବିକଶିତ ହୋଇ ରହିବ କି?
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ୱାର୍ଣ୍ଣିଂ ଲେବୁଲର ଉଦ୍ଦେଶ୍ୟ ବିକ୍ରି ବନ୍ଦ କରିବା ନୁହେଁ, ବରଂ ଗ୍ରାହକଙ୍କୁ ସଚେତନ କରାଇବା। ଉତ୍ପାଦକମାନେ ଏହାକୁ ପସନ୍ଦ ନକରିପାରନ୍ତି, ମାତ୍ର ଗ୍ରାହକଙ୍କର ଜାଣିବାର ଅଧିକାର ରହିଛି। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେବା ସହ ପରବର୍ତ୍ତୀ ଶୁଣାଣିରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




