Tarksi is a cultural responsibility for us: ତାରକସି ଆମ ପାଇଁ ଏକ ସାଂସ୍କୃତିକ ଦାୟିତ୍ବ: ଲିପ୍ସା
ଆବେଗ ଓ ଦୂରଦୃଷ୍ଟି ଦ୍ବାରା ପ୍ରେରିତ ଜଣେ ଉଚ୍ଚଶିକ୍ଷିତା ତରୁଣୀ ନିଜର ସ୍ବତନ୍ତ୍ର ବ୍ରାଣ୍ଡଟିଏ ତିଆରି କରିବାକୁ ଚାହାନ୍ତି। ଆଧୁନିକ ନାରୀର ପସନ୍ଦ ମୁତାବକ ବିବିଧ, ସୁନ୍ଦର, ସହଜଲଭ୍ୟ ରୁପାକୁ ନେଇ ସେ ଗହଣା ପ୍ରସ୍ତୁତ କରନ୍ତି।

ଆବେଗ ଓ ଦୂରଦୃଷ୍ଟି ଦ୍ବାରା ପ୍ରେରିତ ଜଣେ ଉଚ୍ଚଶିକ୍ଷିତା ତରୁଣୀ ନିଜର ସ୍ବତନ୍ତ୍ର ବ୍ରାଣ୍ଡଟିଏ ତିଆରି କରିବାକୁ ଚାହାନ୍ତି। ଆଧୁନିକ ନାରୀର ପସନ୍ଦ ମୁତାବକ ବିବିଧ, ସୁନ୍ଦର, ସହଜଲଭ୍ୟ ରୁପାକୁ ନେଇ ସେ ଗହଣା ପ୍ରସ୍ତୁତ କରନ୍ତି। ଯାହାକୁ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶୈଳୀର ପୋଷାକରେ ପିନ୍ଧାଯାଇ ପାରିବ। ସଫଳ ଯୁବ ଶିଳ୍ପୋଦ୍ୟୋଗୀ ଲିପ୍ସା ହଂସଙ୍କ ମାନସ ସନ୍ତାନ ଚାନ୍ଦି ଭଣ୍ଡାର। ଲିପ୍ସାଙ୍କ ସହ ଆଳାପରେ ଶୁଭଶ୍ରୀ ଲେଙ୍କା…
ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବରେ ଆପଣ ବେଶ୍ ଜଣାଶୁଣା। ତେବେ ଆପଣଙ୍କର ବ୍ୟବସାୟ ଚଳାଇବାର ଆଗ୍ରହ ଥିଲା ନା ସଫଳ ପାରିବାରିକ ପୃଷ୍ଠଭୂମି ହେତୁ ଏ କ୍ଷେତ୍ରକୁ ଆସିଲେ?
ଲିପ୍ସା ହଂସ: ସବୁବେଳେ ଇଚ୍ଛା ଥିଲା ନିଜର କିଛି କରିବା ପାଇଁ। ଆଇଆଇଏମ୍ ଅହମ୍ମଦାବାଦରେ ଅଧ୍ୟୟନ ମୋତେ ବ୍ୟାବସାୟିକ ଚିନ୍ତାଧାରା ଏବଂ ନେତୃତ୍ବ ନେବା ପାଇଁ ମୂଳଦୁଆ ପ୍ରଦାନ କରିଥିଲା। ମୋର କର୍ପୋରେଟ୍ ଅଭିଜ୍ଞତା ବ୍ରାଣ୍ଡିଂ, ଅପରେସନ୍ ଓ ଗ୍ରାହକ ମନୋବିଜ୍ଞାନକୁ ବୁଝିବାର ଶକ୍ତି ବଢ଼ାଇଥିଲା! ଯଦିଓ ମୁଁ ଏକ ବ୍ୟବସାୟ ପରିବାରରେ ବିବାହ କରିଛି, ଚାନ୍ଦି ଭଣ୍ଡାରକୁ ଆରମ୍ଭ କରିବାର ନିଷ୍ପତ୍ତି ମୋର ନିଜ ଦୂରଦୃଷ୍ଟି ଓ ଆବେଗ ଦ୍ୱାରା ପ୍ରେରିତ। ମୁଁ ସବୁବେଳେ ଏଭଳି ଏକ ବ୍ରାଣ୍ଡ୍ ତିଆରି କରିବା ପାଇଁ ଚାହୁଥିଲି, ଯାହା ରୁପା ଗହଣାକୁ ଆଧୁନିକ, ସୁଲଭ ତଥା ଅର୍ଥପୂର୍ଣ୍ଣ ଉପାୟରେ ପାଳନ କରୁଥିବ। ଚାନ୍ଦି ଭଣ୍ଡାର ଏକ ପାରିବାରିକ ବ୍ୟବସାୟ ନୁହେଁ। ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ, ଏହା ଏକ ସ୍ବପ୍ନ, ଯାହା ଏକ ସ୍କ୍ରାଚ୍ରୁ ନିର୍ମିତ ହୋଇ ଆଜି ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଏକ ପ୍ଲାଟ୍ଫର୍ମ ପାଲଟିଛି।
ସାଧାରଣତଃ ମହିଳାମାନେ ଝଲମଲ ସୁନା ପ୍ରତି ଅଧିକ ଆକୃଷ୍ଟ ଥାଆନ୍ତି କିନ୍ତୁ ଆପଣ ରୁପାକୁ ବାଛିଲେ, କାରଣ କ’ଣ?
ଲିପ୍ସା ହଂସ: ସୁନା ସବୁବେଳେ ଲୋକଙ୍କ ପସନ୍ଦ ରହିଆସିଛି; କିନ୍ତୁ ମୁଁ ଭାବିଲି ରୁପାରେ ବ୍ୟାପକ ସମ୍ଭାବନା ରହିଛି, ବିଶେଷକରି ଦୈନନ୍ଦିନ ଓ ବିଭିନ୍ନ ପ୍ରକାର ଅବସରରେ ରୁପା ଏକ ଭଲ ବିକଳ୍ପ। ଏହା ବିବିଧ, ସୁନ୍ଦର ଓ ଆଧୁନିକ ମହିଳାମାନଙ୍କ ପାଇଁ ଅଧିକ ସୁଲଭ। ରୁପା ହେଉଛି ଏଭଳି ଗହଣା ଯେଉଁଥିରେ ନିବେଶ କରି ଆଧୁନିକ ମହିଳା ଏହାକୁ ବାରମ୍ବାର ପିନ୍ଧିପାରିବେ। ମୁଁ ଏପରି ଗହଣା ପ୍ରସ୍ତୁତ କରିବା ପାଇଁ ଚାହିଲି, ଯାହାକି ବ୍ୟକ୍ତିଗତ, ପିନ୍ଧିବାଯୋଗ୍ୟ ଓ ଦାମୀ ମନେହୁଏ। ଯାହାକୁ ମହିଳା ଉଭୟ ଏଥେନିକ୍ ଓ ୱେଷ୍ଟର୍ଣ୍ଣ ଆଉଟଫିଟ୍ରେ ପିନ୍ଧିପାରିବେ।
ଓଡ଼ିଶାର ତାରକସି କାମ ଓ ଏହାର ବଜାର ବିଷୟରେ ଆପଣଙ୍କ ଧାରଣା କ’ଣ?
ଲିପ୍ସା ହଂସ: ତାରକସି ହେଉଛି ଓଡ଼ିଶାର ଅତି ସୁନ୍ଦର ଓ ସୂକ୍ଷ୍ମ କଳା ମଧ୍ୟରୁ ଅନ୍ୟତମ ଏବଂ ଏହାକୁ ଜାତୀୟ ଓ ବିଶ୍ବସ୍ତରରେ ବଡ଼ ମାତ୍ରାରେ ସ୍ବୀକୃତି ମିଳିବା ଦରକାର। ଏହା ଅନନ୍ୟ କାରିଗରି, ଧୈର୍ଯ୍ୟ ଓ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଚାନ୍ଦି ଭଣ୍ଡାରରେ ଆମେ ତାରକସିକୁ କେବଳ ଏକ ପ୍ରଡକ୍ଟ ଭାବେ ଦେଖି ନ ଥାଉ, ବରଂ ଏକ ସାଂସ୍କୃତିକ ଦାୟିତ୍ବ ଭାବେ ଦେଖୁ। ଆମେ ତାରକସିକୁ ଉଭୟ ପାରମ୍ପରିକ ଓ ଆଧୁନିକ ଫର୍ମାଟ୍ରେ ଉପସ୍ଥାପନ କରିବାକୁ ଚାହୁ। ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଏହାକୁ ଜୀବନ୍ତ ରଖିବା ହେଉଛି ଲକ୍ଷ୍ୟ। କାରିଗରମାନେ ଯେଉଁ ମାନ୍ୟତା ପାଇବାକୁ ଯୋଗ୍ୟ, ସେମାନେ ଯେପରି ପାଇବେ ତାହାକୁ ସୁନିଶ୍ଚିତ କରିବାକୁ ଚାହେ।
ଏବେ ବଜାରରେ ରୁପା ଦର ଆକାଶଛୁଆଁ। ଓଡ଼ିଶା ଓ ଓଡ଼ିଶା ବାହାରେ ଆପଣଙ୍କ ଅଭିଜ୍ଞତା କ’ଣ?
ଲିପ୍ସା ହଂସ: ହଁ, ରୁପା ଦର ବଡ଼ ଆକାରରେ ବୃଦ୍ଧି ପାଇଛି ଏବଂ ଏହା ନିଶ୍ଚିତଭାବେ ଉଭୟ ଉତ୍ପାଦନ ଓ ଗ୍ରାହକଙ୍କ ହାବଭାବକୁ ପ୍ରଭାବିତ କରିଛି। ତଥାପି ମୁଁ ଲକ୍ଷ୍ୟ କରୁଛି ଯେ, ସମ୍ପ୍ରତି ଗ୍ରାହକ ଶୁଦ୍ଧତା, କାରିଗରି ଏବଂ ଦୀର୍ଘକାଳୀନ ମୂଲ୍ୟକୁ ନେଇ ଅଧିକ ସଚେତନ। ଓଡ଼ିଶାରେ ରୁପା ସହ ଗ୍ରାହକଙ୍କର ଏକ ମଜଭୁତ ଆବେଗ ରହିଛି। ଓଡ଼ିଶା ବାହାରେ ଲୋକେ ରୁପାକୁ ଏକ ଷ୍ଟାଇଲିସ୍ ଏବଂ ସୁଲଭ ଲଗ୍ଜ୍ୟୁରି ଭାବେ ଗ୍ରହଣ କରିଛନ୍ତି। ଦରରେ ଅସ୍ଥିରତା ଲାଗି ରହିଥିବା ସତ୍ତ୍ୱେ ଅଥେଣ୍ଟିକ୍, ଉତ୍ତମ କାରିଗରିଯୁକ୍ତ ରୁପା ଗହଣାର ଚାହିଦା କାହିଁରେ କ’ଣ।
ଚାନ୍ଦି ଭଣ୍ଡାରରେ ବିକ୍ରି ହେଉଥିବା ସବୁଠାରୁ ଲୋକପ୍ରିୟ ଗହଣାଶ୍ରେଣୀ କ’ଣ?
ଲିପ୍ସା ହଂସ: ଚାନ୍ଦି ଭଣ୍ଡାରରେ ଆମେ ବ୍ରାଇଡାଲ୍ ରୁପା ଗହଣାଠାରୁ ଆରମ୍ଭ କରି ଲାଇଫ୍ଷ୍ଟାଇଲ୍ ଓ ଦୈନନ୍ଦିନ ବ୍ୟବହାର ଲାଗି ବ୍ୟାପକ ସମ୍ଭାର ରଖିଛୁ। ଆମେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଗହଣା ଡିଜାଇନ୍ କରୁଛୁ। ଏହି ଗହଣା ପିସ୍ଗୁଡ଼ିକ ଅତ୍ୟନ୍ତ ଚିନ୍ତାଶୀଳ ଭାବେ ପ୍ରସ୍ତୁତ କରାଯାଇଛି। ବିବାହ ହେଉ କିମ୍ବା ପାର୍ବଣ ସେଲିବ୍ରେସନ୍, ଅଫିସ୍ ୱେର୍ ଅବା ନିତିଦିନିଆ ଷ୍ଟାଇଲିଂ, ସବୁ ଅବସର ପାଇଁ ଗହଣାଗୁଡ଼ିକ ଉପଯୁକ୍ତ।
ଭବିଷ୍ୟତର ଯୋଜନା କ’ଣ?
ଲିପ୍ସା ହଂସ: ମୋର ଭିଜନ୍ ହେଉଛି ଚାନ୍ଦି ଭଣ୍ଡାରକୁ ଓଡ଼ିଶା ବାହାରକୁ ନେଇ ଏହାକୁ ଏକ ଜାତୀୟସ୍ତରରେ ମାନ୍ୟତାପ୍ରାପ୍ତ ରୁପା ଗହଣା ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ କରିବା। ଆମେ ଆମର ରିଟେଲ୍ ଉପସ୍ଥିତି ବଢ଼ାଇବା ନେଇ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ ଏବଂ ଚିନ୍ତନଶୀଳ ଭାବେ ଡିଜାଇନ୍ ହୋଇଥିବା ସମସାମୟିକ କଲେକ୍ସନକୁ ସଭିଙ୍କ ପାଇଁ ବଜାର ପ୍ରବେଶ କରାଉଛୁ, ଯାହାକି ପ୍ରତ୍ୟେକ ବୟସ, ଷ୍ଟାଇଲ୍ ଓ ଅବସରକୁ ଖାପ ଖାଇବ।
ଲିପ୍ସାଙ୍କୁ ପଚାରିଲେ ସେ ପାଠକମାନଙ୍କୁ ନିଜକୁ କେମିତି ଚିହ୍ନେଇବେ?
ଲିପ୍ସା ହଂସ: ମୁଁ ଚାହେ ଲୋକେ ମୋତେ ଏଭଳି ଜଣେ ମହିଳା ଭାବେ ଚିହ୍ନନ୍ତୁ, ଯିଏ ଶିକ୍ଷା, ଆତ୍ମବିଶ୍ବାସ ଓ ଦୃଢ଼ ସଂକଳ୍ପ ମାଧ୍ୟମରେ ନିଜ ସ୍ୱପ୍ନକୁ ହାସଲ କରିପାରିଛି। ଜୀବନ ହେଉଛି ଉତ୍ଥାନ ଓ ପତନରେ ଭରା। ପତନକୁ ସାମ୍ନା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ଏହାସହିତ ମନେରଖିବା ଉଚିତ ଯେ, ଆଗକୁ ଉତ୍ଥାନ ଆସୁଛି। ମୋର ମାର୍ଗଦର୍ଶକ ହେଲା- ସଚ୍ଚୋଟତା ସହ କଠିନ ପରିଶ୍ରମ କରିଚାଲ। ଭଗବାନ ଏହାର ଉଚିତ ଫଳ ଦେବେ। ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାର ଜିଜ୍ଞାସା ଯୋଗୁଁ ମୁଁ ଏହି ବ୍ରାଣ୍ଡ୍ ଆରମ୍ଭ କରିଥିଲି କିନ୍ତୁ ଆଜି ଏହି ବ୍ରାଣ୍ଡ୍ ମୋ ପାଇଁ କିମ୍ବା ମୋ ପରିଚୟ ସହ ଜଡ଼ିତ ନାହିଁ ବରଂ ଉକ୍ତ ଶହ ଶହ ପୁରୁଷ ଓ ମହିଳାଙ୍କ ସହ ଜଡ଼ିତ, ଯେଉଁମାନେ ହୃଦୟର ସହ ମୋ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ଏହା ହେଉଛି ସେମାନଙ୍କ ପେସାଗତ ଜୀବନକୁ ଅର୍ଥପୂର୍ଣ୍ଣ କରିବା; ଯାହାଦ୍ୱାରା ସେମାନେ, ସେମାନଙ୍କ ପରିବାର ଏବଂ ମୋ ରାଜ୍ୟ ଓଡ଼ିଶା ସେମାନଙ୍କ କାର୍ଯ୍ୟ ଓ ଶିକ୍ଷା ପାଇଁ ଗର୍ବିତ। ମୁଁ ଭାବେ, ମୁଁ ହେଉଛି ଜଣେ, ଯିଏକି ସବୁବେଳେ କିଛି ନୂଆ ଶିଖିଥାଏ ଏବଂ କିଛି ନୂଆ କରିବାକୁ ଲକ୍ଷ୍ୟ ରଖିଥାଏ। ମୁଁ ମାତ୍ର ଜଣେ ଜ୍ଞାନ ଜିଜ୍ଞାସୁ।
ସୌଜନ୍ୟ ସମ୍ବାଦ




