Editorial

Editorial: ଡାହାଣୀ-ଗୁଣିଆ ନାଟକ

ଆନ୍ତରିକତାର ସହିତ ନିଶା ନିବାରଣ କାର୍ଯ୍ୟକାରୀ ହେଲେ ତାହା ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଚମକପ୍ରଦ ରୂପାନ୍ତର ଘଟାଇବା କ୍ଷମତା ବହନ କରିଥାଏ: ସ୍ବାସ୍ଥ୍ୟରେ ଉନ୍ନତି ସାଧନ, ଅପରାଧର ମୂଳୋତ୍ପାଟନ, ପାରିବାରିକ ହିଂସା ପ୍ରଶମନ, ପାରିବାରିକ ବନ୍ଧନ ଦୃଢ଼ୀକରଣ....

ଆନ୍ତରିକତାର ସହିତ ନିଶା ନିବାରଣ କାର୍ଯ୍ୟକାରୀ ହେଲେ ତାହା ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଚମକପ୍ରଦ ରୂପାନ୍ତର ଘଟାଇବା କ୍ଷମତା ବହନ କରିଥାଏ: ସ୍ବାସ୍ଥ୍ୟରେ ଉନ୍ନତି ସାଧନ, ଅପରାଧର ମୂଳୋତ୍ପାଟନ, ପାରିବାରିକ ହିଂସା ପ୍ରଶମନ, ପାରିବାରିକ ବନ୍ଧନ ଦୃଢ଼ୀକରଣ ଏବଂ କୋଟି କୋଟି ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ସୁଯୋଗ ପ୍ରଦାନ। ଡାହାଣୀ-ଗୁଣିଆ ନାଟକ ଏଇ ମଙ୍ଗଳକାରୀ ରୂପାନ୍ତର ପଥରେ ପ୍ରତିବନ୍ଧକ ସାଜିଥାଏ।

ରାଜ୍ୟ ସରକାର କରିଥିବା ଘୋଷଣା ଅନୁସାରେ ଆଜିଠାରୁ ରାଜ୍ୟରେ ଏକ ନୂତନ ଅବକାରୀ ନୀତି କାର୍ଯ୍ୟ କରିବା ଆରମ୍ଭ କରିଛି, ଯାହା ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବା ଥିଲା ବର୍ତ୍ତମାନର ସରକାରଙ୍କର ଏକ ମୁଖ୍ୟ ନିର୍ବାଚନୀ ପ୍ରତିଶ୍ରୁତି। ଆଶା କରାଯାଉଥିଲା ସରକାର ତରବରିଆ ଭାବରେ ସେଇ ପ୍ରତିଶ୍ରୁତି ପୂରଣ ନ କରି ସେଥିପାଇଁ ଏକ ସୁଚିନ୍ତିତ ପଦକ୍ଷେପ ନେବା ଲାଗି ଏକ ନୂତନ ଅବକାରୀ ନୀତି ପ୍ରଣୟନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ଏବେ କିନ୍ତୁ ଅବିଶ୍ବାସ୍ୟ ଭାବରେ ଦେଖାଯାଇଛି, ରାଜ୍ୟରେ ମଦ ବିକ୍ରୟକୁ ନିଷିଦ୍ଧ କରିବା ପରିବର୍ତ୍ତେ ଏଇ ନୂତନ ନୀତି ଅନୁସାରେ ପୂର୍ବରୁ ଯେଉଁ ଏକ ଜନଗହଳି ବ୍ୟବସାୟ କେନ୍ଦ୍ରରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଉ ନ ଥିଲା, ସେଠାରେ ଏଣିକି ମଦ ଦୋକାନ ଖୋଲା ଯାଇପାରିବ। ଏଇ ନୂତନ ସ୍ଥାନମାନ ହେଉଛନ୍ତି- ‘ସପିଙ୍ଗ୍ ମଲ୍’ମାନ।
ଏଥିସହିତ ଅବଶ୍ୟ ଧର୍ମକୁ ଆଖିଠାର ପରି ସରକାର ମଦ୍ୟପାନର କ୍ଷତିକାରକ ପ୍ରଭାବକୁ ସ୍ବୀକାର କରି ତା’ ଉପରୁ ୦.୫ ଶତାଂଶ ହାରରେ ‘ଡିଆଡିକ୍ସନ୍ ସେସ୍’ ବା ନିଶା ସେବନ ଅଭ୍ୟାସ ଛଡ଼ାଇବା ପାଇଁ ଉଦ୍ଦିଷ୍ଟ ନିଶା-ମୁକ୍ତି ମାହାସୁଲ ଆଦାୟ କରିବେ। ଏଥିରୁ ଆଦାୟ ଅର୍ଥ ସରକାରଙ୍କ ଘୋଷଣା ଅନୁସାରେ ଆଦର୍ଶ ନିଶା-ମୁକ୍ତି କେନ୍ଦ୍ରମାନ ସ୍ଥାପନ ଓ ସେଗୁଡ଼ିକୁ ସୁଦୃଢ଼ କରାଯିବାରେ ନିୟୋଜିତ ହେବ। ସରକାରଙ୍କର ଏଇ ନୀତି ଆକ୍ଷରିକ ଭାବରେ ଯେଉଁ ଏକ ଓଡ଼ିଆ ଢଗକୁ ଅନୁସରଣ କରୁଛି ବୋଲି କୁହାଯାଇପାରେ, ତାହା ହେଲା: ‘‘ଯିଏ ଡାହାଣୀ ହୋଇ ଲାଗୁଛି, ସେଇ ପୁଣି ଗୁଣିଆ ହୋଇ ଝାଡୁଛି।’’
ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବା ପାଇଁ କେବଳ ଓଡ଼ିଶା ନୁହେଁ, ଦେଶର ଅଧିକାଂଶ ରାଜ୍ୟ ସରକାର ସର୍ବଦା ପ୍ରଦର୍ଶନ କରୁଥିବା କୁଣ୍ଠା (ବିହାରର ନୀତୀଶ କୁମାର ହେଉଛନ୍ତି ଏକ ବିରଳ ସାହସିକ ବ୍ୟତିକ୍ରମ) ପଛରେ ନିହିତ ଥିବା କାରଣ ବୁଝିବା କଷ୍ଟ ନୁହେଁ: ରାଜସ୍ବ ହାନି। ସେମାନେ ନିୟମିତ ଭାବରେ ମଦ ଉପରୁ ଆଦାୟ ହେଉଥିବା ଅବକାରୀ ଟିକସକୁ ସରକାରଙ୍କ ସମ୍ବଳ ସଂଗ୍ରହର ଏକ ମୁଖ୍ୟ ଉତ୍ସ ରୂପେ ପ୍ରଦର୍ଶିତ କରି ନିଶା ନିବାରଣ କାର୍ଯ୍ୟକାରୀ ହେଲେ ତାହା ରାଜ୍ୟ ପାଇଁ ଘୋର ଆର୍ଥିକ ଦୁଃସ୍ଥିତି ସୃଷ୍ଟି କରିବ ବୋଲି ଭୟ ଦେଖାଇଥାନ୍ତି। ଯଦିବା ଉପର ଠାଉରିଆ ଭାବରେ ଦେଖିଲେ ଏହା ନିଶା ନିବାରଣ ବିରୁଦ୍ଧରେ ଏକ ଅକାଟ୍ୟ ଯୁକ୍ତି ଭଳି ପ୍ରତୀୟମାନ ହୋଇଥାଏ, ସାମାନ୍ୟ ତଳେଇ କରି ଦେଖିଲେ ଏଇ ଯୁକ୍ତି ନିମିଷକରେ ଭୁଶୁଡ଼ି ପଡ଼ିଥାଏ।
ଯେତେବେଳେ ମଦ୍ୟପାନର ସଂପୂର୍ଣ୍ଣ ଅର୍ଥନୈତିକ, ସାମାଜିକ ଓ ନୈତିକ ମୂଲ୍ୟକୁ ହିସାବକୁ ନିଆଯାଏ, ସେତେବେଳେ ନିଶା ନିବାରଣ ଆଉ କେବଳ ଏକ ନୀତି ଉପଦେଶ ରୂପେ ବିବେଚିତ ନ ହୋଇ ବାସ୍ତବ ସମାଜମଙ୍ଗଳ ସାଧନର ଏକ ପ୍ରଭାବଶାଳୀ ଉପାୟ ରୂପେ ଆବିର୍ଭୂତ ହୋଇଥାଏ। ନିଶା ନିବାରଣକୁ କେନ୍ଦ୍ର କରି ଏଇ ବିତର୍କର କେନ୍ଦ୍ରସ୍ଥଳରେ ଯାହା ରହିଥାଏ, ତାହା ହେଉଛି ଏଇ ମୌଳିକ ଅର୍ଥନୈତିକ ପ୍ରଶ୍ନ: କ’ଣ ‘ମୂଲ୍ୟ’ ରୂପେ ବିବେଚିତ ହୋଇଥାଏ? ମଦରୁ ସଂଗୃହୀତ ଅବକାରୀ ରାଜସ୍ବ ହେଉଛି ତତ୍‌କ୍ଷଣାତ ଦୃଶ୍ୟମାନ ଓ ସହଜରେ ପରିମାପ କରାଯାଇ ପାରୁଥିବା ଏକ ଅଙ୍କ। ସେ ତୁଳନାରେ ମଦ୍ୟପାନ ଯୋଗୁଁ ଦେବାକୁ ପଡୁଥିବା ମୂଲ୍ୟ ହେଉଛି ବିକ୍ଷିପ୍ତ ଓ ଅନେକ ସମୟରେ ଲୁକ୍‌କାୟିତ- ଯାହାକୁ ପରିବାରରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା, ଆଇନଶୃଙ୍ଖଳା ବ୍ୟବସ୍ଥା ଓ ବୃହତ୍ତର ଅର୍ଥନୀତି ପର୍ଯ୍ୟନ୍ତ ବହନ କରିଥାନ୍ତି। ମଦ୍ୟପାନ ଯୋଗୁଁ ଘଟୁଥିବା ଉତ୍ପାଦନଶୀଳତାରେ ହ୍ରାସ, କର୍ମସ୍ଥଳୀରେ ଅନୁପସ୍ଥିତି, ସଡ଼କ ଦୁର୍ଘଟଣା, ପାରିବାରିକ ହିଂସା, ଅପରାଧରେ ବୃଦ୍ଧି ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଆଦି ପାଇଁ ସମାଜକୁ ଯେଉଁ ମିଳିତ ମୂଲ୍ୟ ବହନ କରିବାକୁ ପଡ଼ିଥାଏ, ତାହା ସରକାର ମଦ ବିକ୍ରିରୁ ସଂଗ୍ରହ କରୁଥିବା ରାଜସ୍ବ ଠାରୁ ବହୁ ଗୁଣ ଅଧିକ ହୋଇଥାଏ।
ସ୍ବାସ୍ଥ୍ୟ ଗବେଷକମାନେ ମଦ୍ୟପାନର ଗୁରୁତର କ୍ଷତିକାରକ ପରିଣତିମାନ ସମ୍ବନ୍ଧରେ ସର୍ବଦା ସତର୍କବାଣୀ ଶୁଣାଇ ଚାଲିଛନ୍ତି। ଏହାର ଏକ ବିଶେଷ ଉଦାହରଣ ସ୍ବରୂପ ବାଇଡେନ୍ ପ୍ରଶାସନ ସମୟରେ ଆମେରିକାର ସର୍ଜନ୍ ଜେନେରାଲ୍ ଥିବା ବିବେକ ମୂର୍ତ୍ତି ସେ ଦେଶରେ ଏକ ସତର୍କ ସୂଚନା ଜାରି କରି ଚହଳ ସୃଷ୍ଟି କରିଥିଲେ ଯେ କୌଣସି କିସମର ତଥା କୌଣସି ମାତ୍ରାର ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ ଆଦୌ ନିରାପଦ ନୁହେଁ। ମଦ୍ୟପାନ ଲିଭର୍ ସିରୋସିସ୍‌ରୁ କ୍ୟାନ୍‌ସର ପର୍ଯ୍ୟନ୍ତ ଭୟଙ୍କର ବ୍ୟାଧି ସବୁର କାରଣ ରୂପେ କାର୍ଯ୍ୟ କରିଥାଏ ବୋଲି ଡକ୍ଟର ମୂର୍ତ୍ତି ସତର୍କ କରାଇ ଦେଇଥିଲେ। ମଦ୍ୟପାନ ଯୋଗୁଁ ବ୍ୟାଧିର ପ୍ରସାର ଘଟିଲେ ତାହା କେବଳ ସଂପୃକ୍ତ ମଦ୍ୟପ କିମ୍ବା ତା’ର ପରିବାର ପାଇଁ ଆର୍ଥିକ ବୋଝ ସୃଷ୍ଟି କରି ନ ଥାଏ, ଏକ ଜନମଙ୍ଗଳ ରାଷ୍ଟ୍ରରେ ତାହା ସଂପୃକ୍ତ ସରକାରଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଣଜନିତ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରିଥାଏ। ନିଶା ନିବାରଣ ବିରୁଦ୍ଧରେ ବ୍ୟବହୃତ ହେଉଥିବା ରାଜସ୍ବ ହାନି ଯୁକ୍ତି ମଦ୍ୟପାନର ଏଇ ନକାରାତ୍ମକ ଉଛୁଳା ପ୍ରଭାବକୁ ଅଣଦେଖା କରିଥାଏ, ଯେଉଁଠି ମଦ୍ୟପାନ ପରି ଏକ ବ୍ୟକ୍ତିଗତ କାର୍ଯ୍ୟର ମନ୍ଦ ପ୍ରଭାବ ସଂପୃକ୍ତ ମଦ୍ୟପ ମଧ୍ୟରେ ସୀମିତ ନ ରହି ତାହା ଉଛୁଳି ପଡ଼ି ବୃହତ୍ତର ସମାଜ ପାଇଁ ଆର୍ଥିକ ବୋଝ ସୃଷ୍ଟି କରିଥାଏ।

ଏହା ମଧ୍ୟ ଆଉ ଏକ ନିଷ୍ଠୁର ସତ୍ୟ ଯେ ଏକ ସମାଜରେ ମଦ୍ୟପାନଜନିତ ସର୍ବାଧିକ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ ତାହାର ଦୁଇ ଦୁର୍ବଳତମ ସଦସ୍ୟମ‌ାନଙ୍କୁ- ମହିଳା ଓ ଶିଶୁ। ସେମାନେ କେବଳ ମାତାଲ୍ ସ୍ବାମୀ କିମ୍ବା ପିତା ଦ୍ବାରା ଶାରୀରିକ ହିଂସାର ଶିକାର ହୋଇଥାନ୍ତି, ତାହା ନୁହେଁ, ‌ଅନେକ ସମୟରେ ‌ପରିବାରରେ ମଦ୍ୟପାନ ଯୋଗୁଁ ସୃଷ୍ଟି ହେଉଥିବା ଅର୍ଥାଭାବ କାରଣରୁ ସେମାନଙ୍କର ପୁଷ୍ଟି, ଚିକିତ୍ସା, ଶିକ୍ଷା ଆଦି ଗୁରୁତର ଭାବରେ ବ୍ୟାହତ ହୋଇଥାଏ। ଜଣାଶୁଣା ଭାବରେ ମଦ୍ୟପାନ ବ୍ୟକ୍ତିର ସଂଯମ ଓ ବିଚାରଶକ୍ତିକୁ ହୁଗୁଳା କରିଦେଇଥାଏ। ତେଣୁ ଏକ ମଦ୍ୟପ ଅଧ୍ୟୁଷିତ ସମାଜରେ ମହିଳାମାନେ ପରିବାର ବାହାରେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି। କାରଣ, ଏକ ମଦ୍ୟପ ସମାଜ ସ୍ବାଭାବିକ ଭାବରେ ଅଧିକ ଅପରାଧପ୍ରବଣ ହୋଇଥାଏ। ସେଭଳି ସମାଜରେ ଅପରାଧ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ମଧ୍ୟ ଅଧିକ ସମ୍ବଳ ବ୍ୟୟ କରିବାକୁ ପଡ଼ିଥାଏ।
ଏ ସମସ୍ତ କଥାକୁ ବିଚାରକୁ ନେଲେ କୌଣସି ସନ୍ଦେହ ରହେ ନାହିଁ ଯେ ନିଶା ନିବାରଣ କାର୍ଯ୍ୟକାରୀ କରିବା କୌଣସି ସରକାରଙ୍କ ପାଇଁ କେବଳ ଏକ ଉଚ୍ଚ ନୈତିକ ଆଦର୍ଶର ଅନୁଧାବନ ନୁହେଁ, ତାହା ମଧ୍ୟ ହେଉଛି ଏକ ବାସ୍ତବବାଦୀ ତଥା ବିଜ୍ଞ ଶାସନ ପରିଚାଳନା‌ର ଏକ ମୌଳିକ ଅଂଶ- ଯେଉଁଥିପାଇଁ କୃତଜ୍ଞ ବିହାରବାସୀ ନୀତୀଶ କୁମାରଙ୍କୁ ବାରମ୍ବାର ନିର୍ବାଚନରେ ବିଜୟୀ କରାଇବା ସହିତ ତାଙ୍କୁ ସ୍ନେହରେ ‘ସୁଶାସନ ବାବୁ’ ରୂପେ ସମ୍ବୋଧନ କରିଥାନ୍ତି। ଆନ୍ତରିକତାର ସହିତ ନିଶା ନିବାରଣ କାର୍ଯ୍ୟକାରୀ ହେଲେ ତାହା ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଚମକପ୍ରଦ ରୂପାନ୍ତର ଘଟାଇବା କ୍ଷମତା ବହନ କରିଥାଏ: ସ୍ବାସ୍ଥ୍ୟରେ ଉନ୍ନତି ସାଧନ, ଅପରାଧର ମୂଳୋତ୍ପାଟନ, ପାରିବାରିକ ହିଂସା ପ୍ରଶମନ, ପାରିବାରିକ ବନ୍ଧନ ଦୃଢ଼ୀକରଣ ଏବଂ କୋଟି କୋଟି ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ସୁଯୋଗ ପ୍ରଦାନ। ଡାହାଣୀ-ଗୁଣିଆ ନାଟକ ଏଇ ମଙ୍ଗଳକାରୀ ରୂପାନ୍ତର ପଥରେ ପ୍ରତିବନ୍ଧକ ସାଜିଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button