Teacher slaps student: ହୋମୱାର୍କ ନକରିବାରୁ ଗାଳି ସହ ଚାପୁଡ଼ା, ଶିକ୍ଷୟତ୍ରୀଙ୍କ ମାଡ଼ରେ କ୍ଲାସ୍ରୁମରେ ଆଖି ବୁଜିଲା ଏଲକେଜି ଛାତ୍ର !

ବିଶାଖାପାଟଣା, ୨୧/୦୮: ଟିଚରଙ୍କ ଚାପୁଡାରେ ଛାତ୍ରର ମୃତ୍ୟୁ ! ପାଠ କରି ନଥିବାରୁ ଗାଳି ଦେବା ସହ ଛାତ୍ରଙ୍କୁ ଚାପୁଡା ମାରିଲେ ଶିକ୍ଷୟିତ୍ରୀ । କାନ୍ଦି କାନ୍ଦି କ୍ଲାସ୍ରୁମରେ ଟଳିପଡିଲା ପିଲାଟି । ଆନ୍ଧ୍ରପ୍ରଦେଶ ଭାଇଜାକ୍ ସିଟି ଟାଉନ ଅଞ୍ଚଳରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ମାଡ଼ ପରେ ଏଲ୍କେଜିରେ ପଢ଼ୁଥିବା ଜଣେ ୬ ବର୍ଷୀୟ ଛାତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯେଉଁ ବୟସରେ ପିଲାଟି ଖେଳକୁଦ କରିବା କଥା । ହସଖୁସିରେ ସ୍କୁଲ ଯିବା କଥା, ସେହି ବୟସରେ ପିଲାଟି ଦୁନିଆ ଛାଡି ଚାଲିଯାଇଛି । ଏହି ଦୁଃଖଦ ଘଟଣା ଗୋଟିଏ ପରିବାରର ସଂସାରକୁ ଉଡ଼ାଡ଼ି ଦେଇଛି । ହୋମୱାର୍କ ନ କରିବାରୁ ଏଲକେଜିରେ ପଢ଼ୁଥିବା ଜଣେ ୬ ବର୍ଷର ପିଲାକୁ ଶିକ୍ଷୟତ୍ରୀ ଗାଳି ଦେବା ସହ ଚାପୁଡ଼ା ମାରିଥିଲେ । ଏହାପରେ ପିଲାଟି କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ପଡ଼ିଗଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସିସିଟିଭି ଫୁଟେଜ୍ରେ ପିଲାଟିକୁ ଟିଚର ମାରୁଥିବାର ଭିଡିଓ ବି ଦେଖିବାକୁ ମିଳିଛି । ମୃତ ଛାତ୍ରର ନାମ ପ୍ରଣୟ ତେଜ ଏବଂ ସେ ଲିଟିଲ୍ ଗାର୍ଡେନ ସ୍କୁଲରେ ପଢ଼ୁଥିଲା ।
ସୂଚନା ଅନୁସାରେ, ହୋମ୍ ୱାର୍କ କରି ନଥିବାରୁ ଶିକ୍ଷୟିତ୍ରୀ ଜଣକ ପିଲାଟିକୁ ଧମକ ଦେବା ସହ ଚାପୁଡା ମାରିଥିଲେ । ଏହି ସମସ୍ତ ଦୃଶ୍ୟ ସ୍କୁଲ ରୁମ୍ରେ ଲାଗିଥିବା ସିସିଟିଭି ଫୁଟେଜରେ ରେକର୍ଡିଂ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିରେ ଦେଖିବାକୁ ମିଳିଛି କି ଶିକ୍ଷୟିତ୍ରୀ ଛାତ୍ରଟିକୁ ହୋମୱାର୍କ କାହିଁକି କରିନାହୁଁ ବୋଲି କହି ଧମକ ଦେଉଛନ୍ତି । ଏହା ପରେ ତାକୁ ଚାପୁଡା ମାରୁଛନ୍ତି । ପିଲାଟି କାନ୍ଦିବା ସହ ଶିକ୍ଷୟିତ୍ରୀଙ୍କୁ ହାତ ଦେଖାଇ ନ ମାରିବାକୁ ଅନୁନୟ ହେଉଛି । ଏହା ପରେ ସେ ହଠାତ୍ ଶିକ୍ଷୟିତ୍ରୀଙ୍କ କୋଳକୁ ଆଉଜି ହୋଇପଡୁଛି । ଶିକ୍ଷୟିତ୍ରୀ ଚୌକିରେ ବସିଥିବା ବେଳେ ଛାତ୍ରଟିକୁ ଠିଆ କରାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଛାତ୍ରଟିର କୌଣସି ଜବାବ ମିଳୁନାହିଁ । ତୁରନ୍ତ ଛାତ୍ରଟିକୁ ନିକଟସ୍ଥ କେ.ଜି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ସୌଜନ୍ୟ ପ୍ରମେୟ




