ଦେଶ ବିଦେଶ

Supreme Court: ଓଡ଼ିଶା ନ୍ୟାୟପାଳିକାଙ୍କ ଜାମିନ ସର୍ତ୍ତାବଳୀକୁ ସୁପ୍ରିମ‌କୋର୍ଟଙ୍କ ତୀବ୍ର ନିନ୍ଦା

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ଏବଂ ରାୟଗଡ଼ାର କେତେକ କୋର୍ଟ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଭିଯୁକ୍ତଙ୍କୁ ଦୁଇ ମାସ ପାଇଁ ପୁଲିସ ଥାନା ସଫା କରିବା ପରି ବାଧ୍ୟତାମୂଳକ ଜାମିନ ସର୍ତ୍ତାବଳୀ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ରାୟ ଦେଇ ସୋମବାର ସୁପ୍ରିମକୋର୍ଟ ଓଡ଼ିଶା ନ୍ୟାୟପାଳିକାଙ୍କ ନିର୍ଦ୍ଦେଶାବଳୀକୁ ଅତ୍ୟନ୍ତ ଘୃଣ୍ୟ ବୋଲି କହିଥିଲେ। କୋର୍ଟ ଆହୁରି କହିଥିଲେ ଯେ ଏହା ନ୍ୟାୟପାଳିକାଙ୍କ ଦ୍ବାରା ଜାତିଗତ ପକ୍ଷପାତକୁ ପ୍ରତିଫଳିତ କରୁଛି।

ଦଳିତ-ଆଦିବାସୀ ଅଭିଯୁକ୍ତଙ୍କୁ ଥାନା ସଫା କରିବା ନିର୍ଦ୍ଦେଶ ନିଷ୍ଠୁରତା, ଉପନିବେଶବାଦୀ ମାନସିକତା

କୋର୍ଟ କହିଛନ୍ତି ‌ଯେ, ଓଡ଼ିଶା ନ୍ୟାୟପାଳିକା ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ ସହ କଠୋର, ଅପମାନଜନକ ସର୍ତ୍ତାବଳୀ ପ୍ରବର୍ତ୍ତନ କରି ଉପନିବେଶବାଦୀ ମାନସିକତା ପ୍ରଦର୍ଶନ କରିଛି। ଏପରି ରାୟ ଅଭିଯୁକ୍ତଙ୍କ ମର୍ଯ୍ୟାଦା ଉପରେ ଆଘାତ କରେ। ଜାମିନ ସର୍ତ୍ତାବଳୀକୁ ‘ଅବୈଧ’ ଘୋଷଣା କରି ଭବିଷ୍ୟତରେ ଅନ୍ୟ କୌଣସି ରାଜ୍ୟ ନ୍ୟାୟପାଳିକା ଏପରି ଜାତିଗତ ଓ ଦମନକାରୀ ସର୍ତ୍ତାବଳୀ ଲାଗୁ କରିବା ଉଚିତ ନୁହେଁ, ଯାହା ଗୁରୁତର ସାମାଜିକ ଘୃଣା ସୃଷ୍ଟି କରିବାର ସମ୍ଭାବନା ରଖେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇ ସମସ୍ତ ହାଇକୋର୍ଟଙ୍କୁ ଏହି ରାୟର କପି ପଠାଇଛନ୍ତି। କୋର୍ଟ କହିଛନ୍ତି, ଅଭିଯୁକ୍ତମାନେ ଅବହେଳିତ ସମ୍ପ୍ରଦାୟର ହୋଇଥିବାରୁ ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଏକ ଧାରଣା ସୃଷ୍ଟି ହୁଏ ଯେ, ରାଜ୍ୟ ନ୍ୟାୟପାଳିକା ଜାତିଗତ ପକ୍ଷପାତିତା କରୁଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଓଡ଼ିଶାର ହାଇକୋର୍ଟ ଓ କିଛି ଟ୍ରାଏଲ୍ କୋର୍ଟ ଏହି ଜାମିନ ସର୍ତ୍ତାବଳୀ ଲାଗୁ କରୁଛନ୍ତି, ଯାହା ଘୃଣା ଏବଂ ଜାତିଭିତ୍ତିକ ପକ୍ଷପାତିତାକୁ ପ୍ରତିଫଳିତ କରୁଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରକାଶିତ ଏକ ରି‌ପୋର୍ଟ ଅନୁଯାୟୀ ୨୮ ମେ ୨୦୨୫ରେ ଓଡ଼ିଶା ହାଇକୋର୍ଟ ଏପରି ରାୟ ପ୍ରଦାନ କରିଥିଲେ। କୁମେଶ୍ବର ନାଏକଙ୍କୁ କାଶୀପୁର ପୁଲିସ ଷ୍ଟେସନ୍‌ ସଫା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ ୨୦୨୫ରୁ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଏପରି ଆଠଟି ରାୟ ପ୍ରକାଶ ପାଇଥିବାବେଳେ ୭ଟି ରାୟ ରାୟଗଡ଼ା ଜିଲ୍ଲାର ବିଭିନ୍ନ କୋର୍ଟ ଓ ଗୋଟିଏ
ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button