ଭୁବନେଶ୍ବର: ରାଜଧାନୀ ଏବେ ବିଳମ୍ବିତ ରାତିଯାଏ ରଙ୍ଗିନ ହେଉଛି। ବାର୍ରେ ଭୋର୍ଯାଏ ଜମୁଛି ମଦ ଆସର। ଡିଜେ ତାଳେ ତାଳେ ବାର୍ଗାର୍ଲଙ୍କ ନାଚ ସାଙ୍ଗକୁ ମତୁଆଲା ହେଉଛନ୍ତି ନିଶାସକ୍ତ ଯୁବକଯୁବତୀ। ମସ୍ଗୁଲ୍ ଗରାଖ ବଣ୍ଡଲ୍ ବଣ୍ଡଲ୍ ଟଙ୍କା ଉଡ଼ାଉଛନ୍ତି। କଳ୍ପନା ରୋଡ୍ରେ ଥିବା ଆଲିସାନ୍ ତଥା ରିଭର୍ ନୋ ଲିମିଟ୍ ବାର୍ରେ ଏଭଳି ଖୁଲମ୍ଖୁଲା ନିୟମ ଉଲ୍ଲଂଘନ ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଛି। ବାର୍କୁ ସିଲ୍ କରିବା ସହ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ପରେ ନୋଟିସ୍ ଦେଇ ଛାଡ଼ିଦେଇଛି। ଏମିତି କେବଳ ଗୋଟିଏ ଦୁଇଟି ଘଟଣାରେ ଅବକାରୀ ବିଭାଗ ଚେଇଁଉଠୁଛି। ହେଲେ କେବଳ ଆଲିସାନ୍ ନୁହେଁ, ସହରରେ ୭୬ଟି ବାର୍ ଆଣ୍ଡ୍ ରେସ୍ତୋରାଁ ଓ ୨୨ଟି ହୋଟେଲକୁ ମଧ୍ୟ ବାର୍ ଲାଇସେନସ୍ ମିଳିଛି। ଏଥିରୁ ମଧ୍ୟ ଅଧିକାଂଶ ବାର୍ ଓ କ୍ଲବ୍ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ଆସିଛି।
ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ଯାଏ ଆଲିସାନ୍ ବାର୍ ଡିଜେଶବ୍ଦ ଓ ବାର୍ଗାର୍ଲ ନୃତ୍ୟରେ କମ୍ପୁଥିଲା। ନିଶାସକ୍ତ ଯୁବକ ନକଲି ଟଙ୍କା ଉଡ଼ାଉଥିବା ନେଇ ଅଭିଯୋଗ ପାଇ ରାତି ପାଖାପାଖି ୨ଟାରେ ଅବକାରୀ ଟିମ୍ ଅତର୍କିତ ଚଢ଼ଉ କରିଥିଲା। ଅବକାରୀ ଟିମ୍କୁ ଦେଖି ଗ୍ରାହକଙ୍କ ଠାରୁ ବାର୍ଗାର୍ଲ ସବୁ ଦୌଡ଼ିଥିଲେ। ଟିମ୍ କିଛି କର୍ମଚାରୀଙ୍କୁ କାବୁ କରିବା ସହ ସିସିଟିଭି ଫୁଟେଜ୍କୁ ଜବତ କରିଥିଲା। ପରେ ବାର୍କୁ ସିଲ୍ କରି କର୍ମଚାରୀଙ୍କୁ ଅବକାରୀ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରି ନୋଟିସ୍ ଦେଇ ଛାଡ଼ିଥିବା ଜଣାପଡ଼ିଛି।
ସବୁ ନିୟମକୁ ଫୁ’
ଅଧିକାଂଶ ବାର୍ରେ ନାଚୁଥିବା ଯୁବତୀଙ୍କ ବୟସ ୨୧ ବର୍ଷରୁ କମ୍, ଯାହା ନିୟମ ବହିର୍ଭୂତ। ନିଶା ଚଢ଼ିବା ପରେ ବାର୍ ଗାର୍ଲଙ୍କ ଉପରେ ନକଲି ଟଙ୍କା ଉଡ଼ାଉଛନ୍ତି ଗରାଖ, ଯାହା ନିୟମର ଉଲ୍ଲଂଘନ। ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ପାଇଁ କେତେକ ବାର୍ମାଲିକ ବିଭିନ୍ନ ଭାଇ ଗ୍ୟାଙ୍ଗ୍ର ସହାୟତା ନେଉଛନ୍ତି। ଯଦିଓ ନିର୍ଦ୍ଧାରିତ ୧୨ଟା ପର୍ଯ୍ୟନ୍ତ ବାର୍ ଖୋଲିବା ନିୟମ ରହିଛି, ଯେଉଁମାନେ ଚାହିବେ, ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଅନୁମତି ନେଇ ଅତିବେଶୀରେ ରାତି ୧ଟା ୩୦ ଯାଏ ବାର୍ ଖୋଲିପାରିବେ। ହେଲେ ଶନି ଓ ରବିବାର ଭଳି ଛୁଟି ରାତିରେ ରଙ୍ଗିନ ଆସର ଅବଧି ଲମ୍ବି ଯାଉଛି। ଅଧିକାଂଶ ବାର୍ରେ ଗ୍ରାହକଙ୍କ ଖୁସି ପାଇଁ ଭୋର୍ ପର୍ଯ୍ୟନ୍ତ ମଦ ପରଷା ଯାଉଛି। ବେନିୟମ ଭାବେ ବାର୍ ଗାର୍ଲଙ୍କୁ ନୃତ୍ୟ ଜାରି ରଖିବାକୁ ବାଧ୍ୟ କରାଯାଉଛି। କେତେକ ବାର୍ ମାଲିକ ଅବକାରୀ ବିଭାଗ ଓ କମିସନରେଟ୍ ପୁଲିସର ନିୟମ ଓ ମାର୍ଗଦର୍ଶିକାକୁ ଫୁ’ କରି ପାହିବା ଯାଏ ବାର୍ ଚଳାଉଛନ୍ତି।
ବାର୍କୁ ଅପରାଧୀଙ୍କ ଆତଯାତ
ରାତି ଅଧରେ ବାର୍ରୁ ବାହାରୁଥିବା ଯୁବକଯୁବତୀ ମତୁଆଲା ହୋଇ ବାହାରେ ଉତ୍ପାତ କରୁଛନ୍ତି, ବିଚ୍ ରାସ୍ତାରେ ଆତଙ୍କ ରଚୁଛନ୍ତି। ପ୍ରତିଦିନ ଏଭଳି କିଛି ନା କିଛି ଘଟଣା ସାଧାରଣ ହୋଇଗଲାଣି। ତେବେ, ବିଳମ୍ବିତ ରାତି ଯାଏ ବାର୍ ଖୋଲା ରହିବା ହିଁ ଅପରାଧୀଙ୍କୁ ସୁହାଉଛି। ବାର୍ରେ ସେମାନଙ୍କ ଆତଯାତ ସହିତ ସେଠାରୁ ଅପରାଧ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଚନ୍ଦ୍ରଶେଖରପୁର, ପଟିଆ, କେଶୁରା, ସତ୍ୟନଗର ଅଞ୍ଚଳରେ ଥିବା କିଛି ବାର୍ରେ ହଣାକଟା ଓ ବନ୍ଧୁକ ଗର୍ଜିବା ଭଳି ଅପରାଧର ନଜିର ରହିଛି।
ସ୍ବତନ୍ତ୍ର ୪ଟି ଟିମ୍ ସ୍କାନରରେ ରାଜଧାନୀ ବାର୍
ଅନ୍ୟପଟେ ଅବକାରୀ ଅଧିକାରୀ ଦେବାଶିଷ ପଟେଲ୍ କହିଛନ୍ତି, ବାର୍ରେ ବେଆଇନ୍ ନୃତ୍ୟ ଓ ବିଳମ୍ବିତ ରାତିଯାଏ ଖୋଲା ରହିବା ଉପରେ ରୋକ୍ ଲଗାଇବାକୁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ସମସ୍ତ ବାର୍ ଉପରେ ନଜର ରଖାଯିବା ସହ ରାତି ୩ଟା ପର୍ଯ୍ୟନ୍ତ କଡ଼ାକଡ଼ି ଯାଞ୍ଚ ହେଉଛି। ଏମିତିକି ସନ୍ଦେହ ହେଲେ ବାର୍କୁ ଯାଇ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଯଦି କୌଣସି ବାର୍ର ନିୟମ ଉଲ୍ଲଂଘନ କରିଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ବାର୍କୁ ପୂରା ବନ୍ଦ କରିଦିଆଯିବ।
ସୌଜନ୍ୟ ସମ୍ବାଦ