The capital: ରାତିରେ କୁକୁରଙ୍କ କବ୍ଜାରେ ରାଜଧାନୀ
ରାଜଧାନୀବାସୀଙ୍କୁ ବୁଲାକୁକୁରଙ୍କ ଆତଙ୍କରୁ ନିସ୍ତାର ମିଳୁନି। ଘରକୁ ଫେରିବା ବେଳେ ରାତିରେ ବୁଲାକୁକୁରମାନେ ହିଂସ୍ର ହୋଇ କାମୁଡ଼ି ଗୋଡ଼ାଉଛନ୍ତି। ଦେବେଳେ ବେଳେ ରାସ୍ତାରେ....

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ବୁଲାକୁକୁରଙ୍କ ଆତଙ୍କରୁ ନିସ୍ତାର ମିଳୁନି। ଘରକୁ ଫେରିବା ବେଳେ ରାତିରେ ବୁଲାକୁକୁରମାନେ ହିଂସ୍ର ହୋଇ କାମୁଡ଼ି ଗୋଡ଼ାଉଛନ୍ତି। ଦେବେଳେ ବେଳେ ରାସ୍ତାରେ ବୁଲୁଥିବା ଅବା ଶୋଇଥିବା କୁକୁରମାନେ ହଠାତ୍ ଏମିତି ଗୋଡ଼ାଉଛନ୍ତି, ଗାଡ଼ିଚାଳକମାନେ ଛାନିଆ ହୋଇ ଏଣେତେଣେ ଗାଡ଼ି ପିଟି ଦେଉଛନ୍ତି। ଅପରାଧୀ, ଅସାମାଜିକଙ୍କ ଆତଙ୍କଠାରୁ ଟପିଗଲାଣି କୁକୁର ଆତଙ୍କ।ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ଉପରେ କଡ଼ା ନଜର ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଅପରପକ୍ଷେ, ବନ୍ଧ୍ୟାକରଣ ଅସ୍ତେ୍ାରପଚାର ଓ ଆଣ୍ଟିରାବିଜ୍ ଟିକାକରଣ ମଧ୍ୟ ଅତ୍ୟନ୍ତ ମାନ୍ଦାରେ ଚାଲିଥିବା ଅଭିଯୋଗ ହେଉଛି।
ରାଜଧାନୀରେ କୁକୁରଙ୍କ ଆତଙ୍କ କମାଇବାକୁ ଗତ ବର୍ଷ ମେ ମାସଠାରୁ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡ଼ିଲାଣି। କୁକୁର ବନ୍ଧ୍ୟାକରଣ, ଟିକାକରଣ ପାଇଁ ହାଇଦ୍ରାବାଦର ଭେଟ୍ସ ସୋସାଇଟି ଫର୍ ଆନିମଲ୍ ୱେଲ୍ଫେୟାର ଆଣ୍ଡ୍ ରୁରାଲ୍ ଡେଭ୍ଲପ୍ମେଣ୍ଟ ସଂସ୍ଥା ସହ ଚୁକ୍ତି କରିଛି। ଚୁକ୍ତି ସମୟରେ ମାସିକ ୨ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରାୟ ୭୦ହଜାର କୁକୁରଙ୍କ ବନ୍ଧ୍ୟାକରଣ ୩ ବର୍ଷରେ ସାରିବାକୁ ଚୁକ୍ତି ହୋଇଥିଲା। ଗୋଟିଏ କୁକରକୁ ବନ୍ଧ୍ୟାକରଣ ପାଇଁ ସଂପୃକ୍ତ ସଂସ୍ଥା ୧୬୫୦ ଟଙ୍କା ନେଉଛି। ୨ଶହ ଟଙ୍କା ପରିବହନ ବାବଦରେ, ବାକି ଟଙ୍କା ଅସ୍ତ୍ରୋପଚାର, କୁକୁରଙ୍କୁ ୫ ଦିନର ଖାଦ୍ୟ, ଔଷଧ ଆଦି ବାବଦରେ ଦିଆଯାଉଛି। ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ମଞ୍ଚେଶ୍ବର ଓ ଅନ୍ୟାନ୍ୟ ସ୍ଥାନରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।
ଇତିମଧ୍ୟରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁକୁର ଗଣନା ଶେଷ ହୋଇଛି। ପୂର୍ବରୁ ୭୦ହଜାର ବୁଲା କୁକୁର ଥିବା ଆକଳନ କରାଯାଇଥିଲା, ଗଣନା ପରେ ବୁଲା କୁକୁର ସଂଖ୍ୟା ୪୭ହଜାରକୁ ଖସି ଆସିଛି। ଏଥିରେ କେତେ ମାଈ ଓ ଅଣ୍ଡିରା, କେତେ ଛୁଆ, କେତେଜଣଙ୍କୁ ଆଣ୍ଟି ରାବିଜ୍ ଟିକା ଦିଆଯାଇଛି, ସବୁର ତଥ୍ୟ ପ୍ରସ୍ତୁତ କରାଯାଇଛି। ଏଣୁ ୩ ବର୍ଷର ହିସାବ ଦେଖିଲେ, ପ୍ରତି ମାସରେ ପ୍ରାୟ ୧୩୦୦ କୁକୁରଙ୍କ ବନ୍ଧ୍ୟାକରଣ ହେବା କଥା। କିନ୍ତୁ ବନ୍ଧ୍ୟାକରଣ ସଂଖ୍ୟା ୫ଶହ ଡେଇଁ ପାରୁନି। ସବୁଠୁ ଅଧିକ ମାନ୍ଦାରେ ଚାଲିଛି ଆଣ୍ଟିରାବିଜ୍ ଟିକାକରଣ। ପରିଣାମ ସ୍ବରୂପ କୁକୁର କାମୁଡ଼ା ସଂଖ୍ୟା ବି କମିବାର ନାଁ ଧରୁନି। ରାଜଧାନୀରେ ପ୍ରତି ମାସରେ ୧୦୦ରୁ ୨୫୦ ପର୍ଯ୍ୟନ୍ତ କୁକୁରକାମୁଡ଼ା ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି। ୬୫ ନମ୍ବର ୱାର୍ଡ ଉଦୟଗିରିବିହାରର ବରିଷ୍ଠ ନାଗରିକ ଚନ୍ଦ୍ରଶେଖର ରାଓ କହିଛନ୍ତି, ଆମ ଅଞ୍ଚଳରେ ବୁଲାକୁକୁରଙ୍କ ସଂଖ୍ୟା ଏତେ ବଢ଼ିଯାଇଛି, ରାତିରେ ଏମାନେ ଶୋଇ ଦେଉନାହାନ୍ତି। ସେପଟେ ରାତିରେ ଘରକୁ ଫେରିବାକୁ ବି ଡର ଲାଗୁଛି। ସେ ଗାଡ଼ି ହେଉ କି ସାଇକେଲ ଅବା ଚାଲିଚାଲି, ଏମାନେ ହଠାତ୍ ଗୋଡ଼ାଇ ଆସି ଗୋଡ଼କୁ କାମୁଡ଼ି ପକାଉଛନ୍ତି। ଡେପୁଟି କମିସନର୍(ଏବିସି) ଅଶୋକ କୁମାର ଦାସ କହିଛନ୍ତି, ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିୟମିତ ବନ୍ଧ୍ୟାକରଣ ଚାଲିଛି। ଯେଉଁ ଅଞ୍ଚଳରୁ ବି କୁକୁର କାମୁଡ଼ା ସଂପର୍କିତ ଅଭିଯୋଗ ଆସୁଛି, ତତ୍କାଳ ପଦକ୍ଷେପ ନିଆଯାଉଛି।
ସୌଜନ୍ୟ ସମ୍ବାଦ




