ବିଶେଷ

The gas: ଧୂଳି ଖାଉଛି ଗୋବର ଗ୍ୟାସ ପ୍ଲାଣ୍ଟ ଟାଙ୍କି

ଘରେ ଗୋବର ଗ୍ୟାସ୍‌ ଟାଙ୍କି ଅଛି କିନ୍ତୁ କାର୍ଯ୍ୟକ୍ଷମ ନୁହେଁ। ବର୍ଷାଧିକ ସମୟ ଧରି ଉପଯୋଗ ନ ହେବାରୁ ଗଛ ଡାହି ମାଡ଼ି ଯାଇଛି। କିନ୍ତୁ ଆଜି ଯଦି ଗୋବର ଗ୍ୟାସ୍‌ ଟାଙ୍କି କାର୍ଯ୍ୟକ୍ଷମ....

ସମ୍ବଲପୁର: ଘରେ ଗୋବର ଗ୍ୟାସ୍‌ ଟାଙ୍କି ଅଛି କିନ୍ତୁ କାର୍ଯ୍ୟକ୍ଷମ ନୁହେଁ। ବର୍ଷାଧିକ ସମୟ ଧରି ଉପଯୋଗ ନ ହେବାରୁ ଗଛ ଡାହି ମାଡ଼ି ଯାଇଛି। କିନ୍ତୁ ଆଜି ଯଦି ଗୋବର ଗ୍ୟାସ୍‌ ଟାଙ୍କି କାର୍ଯ୍ୟକ୍ଷମ ଥାଆନ୍ତା, ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଅଭାବକୁ ନେଇ ଯେଉଁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି ସେ ସ୍ଥିତି ନଥାଆନ୍ତା। ଏହା କହିଛନ୍ତି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ସାତୁପାଲିର ଅଗ୍ରଣୀ ଚାଷୀ ଉମେଶ ମିଶ୍ର। କେବଳ ଉମେଶ ନୁହେଁ, କୃଷି ପ୍ରଧାନ ସମ୍ବଲପୁର ଜିଲ୍ଲାର ଅନେକ ଚାଷୀ ପରିବାରରେ ଗୋବର ଗ୍ୟାସ୍‌ ପ୍ଲାଣ୍ଟର ଗ୍ୟାସ୍‌ ଟାଙ୍କି ରହିଛି ସିନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ନୁହେଁ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ୮୮% ପରିବାର ପାଖରେ ଏଲ୍‌ପିଜି। ସହରରେ ତ ଅଧିକାଂଶ ପରିବାର ପାଇଁ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ହିଁ ସେମାନଙ୍କ ରନ୍ଧନର ମୁଖ୍ୟ ଉତ୍ସ। ସରକାରୀ ନୀତି ବ୍ୟବସ୍ଥାରେ ରନ୍ଧନ ପାଇଁ ଏଲ୍‌ପିଜି ବ୍ୟତୀତ ବିକଳ୍ପ ବ୍ୟବସ୍ଥାକୁ ପ୍ରୋତ୍ସାହିତ ହିଁ କରି ନାହାନ୍ତି। ଗୋବର ଗ୍ୟାସ୍‌ ଭଳି ପ୍ରଦୂଷଣମୁକ୍ତ ଯେଉଁ ବିକଳ୍ପ ଜାଳେଣି ବ୍ୟବସ୍ଥା ଥିଲା ତାକୁ ସମୟକ୍ରମେ ସରକାର ମାରି ଦେଇଛନ୍ତି। ଫଳରେ ବର୍ତ୍ତମାନର ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଓଡ଼ିଶାରେ ଚୁଲି ବନ୍ଦ ହେବାରେ ଲାଗିଛି। ଚାଷୀ ଉମେଶ ମିଶ୍ର କହିଛନ୍ତି, ୧୫ ବର୍ଷ ପୂର୍ବରୁ ସରକାରଙ୍କ ରିହାତି ପାଇ ଘରେ ଗୋବର ଗ୍ୟାସ୍‌ ପ୍ଲାଣ୍ଟ କରିଥିଲେ। ଏଥିରେ ଟାଙ୍କି ସହିତ ଚୁଲା ମିଳୁଥିଲା। ପ୍ରଶାସନ ପକ୍ଷରୁ ଟାଙ୍କି ନିର୍ମାଣ ସହିତ ରୋଷେଇ ଘରକୁ ପାଇପ ସଂଯୋଗ ଦିଆଯାଉଥିଲା। ଯେଉଁଥିରେ ୨୫ କେଜି ଗୋବର, ୨୫ କେଜି ପାଣିରେ ଯେତିକି ଗ୍ୟାସ ବାହାରୁଥିଲା, ଗୋଟିଏ ଛୋଟ ପରିବାର ପାଇଁ ଯଥେଷ୍ଟ ହେଉଥିଲା। ବଡ଼ ପରିବାର ପାଇଁ ସେହି ଅନୁଯାୟୀ ଗୋବର ବ୍ୟବହାର ହେଉଥିଲା। ଏଥିପାଇଁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁନଥିଲା। ୧୦ ବର୍ଷ ଧରି ଏହି ପ୍ଲାଣ୍ଟର ଗ୍ୟାସ୍‌ରୁ ରନ୍ଧା କାର୍ଯ୍ୟ ମଧ୍ୟ ହେଉଥିଲା।

କିନ୍ତୁ ସମୟ କ୍ରମେ ଗୋରୁ ଓ ଶ୍ରମିକ ଅଭାବରୁ ୫ ବର୍ଷ ହେଲା ଏହାର ବ୍ୟବହାରକୁ ବନ୍ଦ କରି ଦେଇଛନ୍ତି। କେବଳ ତାଙ୍କ ପରିବାର ନୁହେଁ ଅନେକ ପରିବାର ଗୋବର ଗ୍ୟାସ ଚାଲୁଥିଲା। ଅନେକ ଅନୁଷ୍ଠାନ ମଧ୍ୟ ଏହାର ବ୍ୟବହାର କରୁଥିଲେ। କିନ୍ତୁ ଆଜି ସବୁଠି ଏହା ଖତ ଖାଉଛି। ଯୁଯୁମୁରା ବ୍ଲକର ପୁରନ୍ଦର ସ୍ବାଇଁ ମଧ୍ୟ କହନ୍ତି, ୧୯୯୧ ମସିହା ବେଳକୁ ତାଙ୍କ ଗୋବର ଗ୍ୟାସ୍‌ ପ୍ଲାଣ୍ଟରୁ ଗ୍ୟାସ ମିଳୁଥିଲା। ‌ଗୋବର ଅଭାବରୁ ଏହା ବନ୍ଦ ହୋଇଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଗୋରୁ ପାଳନ ହ୍ରାସ, ଶ୍ରମିକ ଅଭାବ, ଗୋଚର ଜମି ନଥିବାରୁ ଏଥିପ୍ରତି ବଡ଼ ପ୍ରତିବନ୍ଧକ ରହିଛି। ଓରେଡ଼ାର ନିତୁ ପଣ୍ଡା କହିଛନ୍ତି, ବର୍ତ୍ତମାନ ଗୋବର ଗ୍ୟାସ ପ୍ଲାଣ୍ଟ ସମ୍ପର୍କିତ କୌଣସି ଯୋଜନା ସରକାରଙ୍କ ଚାଲୁ ନଥିବାରୁ ଜିଲ୍ଲାରେ ଏହା ବନ୍ଦ ହୋଇଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button