ଜୀବନଚର୍ଯ୍ୟା

The name of God: ଭଗବତ୍‌ ପ୍ରାପ୍ତିର ସରଳ ସୂତ୍ର: ଭଗବାନଙ୍କ ନାମ

‘ଶିକ୍ଷାଷ୍ଟକମ୍‌’ ଶ୍ରୀଚୈତନ୍ୟଙ୍କର ଏକ ଆଠଶ୍ଳୋକବିଶିଷ୍ଟ ସଂସ୍କୃତ ରଚନା। ଯଦିଓ ଶ୍ରୀ ଅାଦିଶଙ୍କରାଚାର୍ଯ୍ୟଙ୍କ ରଚନା ରୂପେ ପ୍ରସିଦ୍ଧ ‘ଶ୍ରୀଜଗନ୍ନାଥାଷ୍ଟକମ୍‌’କୁ କେହି କେହି ଶ୍ରୀଚୈତନ୍ୟଙ୍କ ରଚନା ବୋଲି କହନ୍ତି, ତାହା କିନ୍ତୁ ପ୍ରମାଣିତ ହୋଇ ପାରି ନାହିଁ।

ନାମ୍ନାମକାରି ବହୁଧା ନିଜ ସର୍ବ ଶକ୍ତିସ୍ତତ୍ରାର୍ପିତା
ନିୟମିତଃ ସ୍ମରଣୋ ନ କାଳଃ।
ଏତାଦୃଶୀ ତବ କୃପା ଭଗବନ୍ମମାପି
ଦୁଃଦୈବ ମିଦୃଶମିହାଜନି ନାନୁରାଗଃ ାା
-ଶ୍ରୀଚୈତନ୍ୟ, ଶିକ୍ଷାଷ୍ଟକମ୍‌, ୨
‘ଶିକ୍ଷାଷ୍ଟକମ୍‌’ ଶ୍ରୀଚୈତନ୍ୟଙ୍କର ଏକ ଆଠଶ୍ଳୋକବିଶିଷ୍ଟ ସଂସ୍କୃତ ରଚନା। ଯଦିଓ ଶ୍ରୀ ଅାଦିଶଙ୍କରାଚାର୍ଯ୍ୟଙ୍କ ରଚନା ରୂପେ ପ୍ରସିଦ୍ଧ ‘ଶ୍ରୀଜଗନ୍ନାଥାଷ୍ଟକମ୍‌’କୁ କେହି କେହି ଶ୍ରୀଚୈତନ୍ୟଙ୍କ ରଚନା ବୋଲି କହନ୍ତି, ତାହା କିନ୍ତୁ ପ୍ରମାଣିତ ହୋଇ ପାରି ନାହିଁ। ସେ ଦୃଷ୍ଟିରୁ ‘ଶିକ୍ଷାଷ୍ଟକମ୍‌’ ଶ୍ରୀଚୈତନ୍ୟଙ୍କର ଏକମାତ୍ର ରଚନା ବୋଲି ସ୍ବୀକୃତ ହୋଇଛି। ଦୋଳପୂର୍ଣ୍ଣିମା ଦିନ ସେ ଜନ୍ମଗ୍ରହଣ କରିଥିବା ଜଣାଯାଏ। ‘ଶିକ୍ଷାଷ୍ଟକମ୍‌’ର ତୃତୀୟ ଶ୍ଳୋକ ‘ତୃଣାଦପି ସୁନୀଚେନ…’ଠାରୁ ଆରମ୍ଭ କରି ଅଷ୍ଟମ ଶ୍ଳୋକ ‘ଆଶ୍ଳିଷ୍ୟ ବା ପାଦରତାଂ ପିନଷ୍ଟୁ…’ ପର୍ଯ୍ୟନ୍ତ ଛଅଟି ଶ୍ଳୋକ ଅତ୍ୟନ୍ତ ପ୍ରସିଦ୍ଧ। କିନ୍ତୁ ଏହି ‘ଅଷ୍ଟଶ୍ଳୋକୀ’ ରଚନାର ପ୍ରଥମ ଦୁଇଟି ଶ୍ଳୋକ ମଧ୍ୟ ବିଶେଷ ମହତ୍ତ୍ବପୂର୍ଣ୍ଣ।

ସେଥି ମଧ୍ୟରୁ ପ୍ରଥମ ଶ୍ଳୋକରେ ଶ୍ରୀଚୈତନ୍ୟ କହିଛନ୍ତି–ଶ୍ରୀକୃଷ୍ଣଙ୍କ ନାମ ସଂକୀର୍ତ୍ତନର ପରମ ବିଜୟ ହେଉ। ଏହି ନାମ ସଂକୀର୍ତ୍ତନ ହୃଦୟରେ ବର୍ଷ ବର୍ଷ ଧରି ସଞ୍ଚିତ ମଇଳାକୁ ସଫା କରିଦିଏ। ଏହା ବାରମ୍ବାର ଏହି ସଂସାରର ଜନ୍ମ-ମୃତ୍ୟୁ-ଜନିତ ମହା ଅନଳକୁ ଶାନ୍ତ କରିଥାଏ। ଏହି ନାମ ସଂକୀର୍ତ୍ତନ ଯଜ୍ଞ ମନୁଷ୍ୟ ନିମନ୍ତେ ପରମ କଲ୍ୟାଣକାରୀ। କାରଣ, ଏହା ଚନ୍ଦ୍ରଙ୍କ କିରଣ ପରି ଶୀତଳତା ପ୍ରଦାନ କରେ। ସମସ୍ତ ଅପ୍ରାକୃତବିଦ୍ୟାରୂପୀ ବଧୂର ଏହା ଜୀବନସ୍ବରୂପ। ଏହା ଆନନ୍ଦ-ସମୁଦ୍ରକୁ ବୃଦ୍ଧି କରେ ଏବଂ ପ୍ରତିଦିନ ଅମୃତର ଆସ୍ବାଦନ କରାଏ।

ଉପରୋକ୍ତ ସୁଭାଷିତ ହେଉଛି–ଏହା ପରର ଦ୍ବିତୀୟ ଶ୍ଳୋକ। ଏଥିରେ କୁହାଯାଇଛି–ହେ ଭଗବାନ! ଏକମାତ୍ର ଆପଣଙ୍କର ନାମ ହିଁ ଜୀବର ସବୁପ୍ରକାରର ମଙ୍ଗଳକାରୀ। କୃଷ୍ଣ, ଗୋବିନ୍ଦ ଆଦି ଆପଣଙ୍କର ଅନେକ ନାମ। ଆପଣ ଏହିସବୁ ନାମକୁ ଆପଣଙ୍କର  ସମସ୍ତ ଅପ୍ରାକୃତ ଶକ୍ତି ସମର୍ପିତ କରିଛନ୍ତି। ଆପଣଙ୍କର ଏହି ସବୁ ନାମଙ୍କର ସ୍ମରଣ ନିମନ୍ତେ ଦେଶ, କାଳ, ଆଦିର କୌଣସି ନିୟମ ନାହିଁ। ଆପଣ ଆପଣଙ୍କର କୃପା ହେତୁ ମୋତେ ଆପଣଙ୍କୁ ପାଇବାର ଏହି ସରଳ ସୂତ୍ର ବତାଇ ଦେଇଛନ୍ତି। କିନ୍ତୁ ମୁଁ ଏପରି ଦୁର୍ଭାଗା ଯେ ଆପଣଙ୍କର ନାମ ପ୍ରତି ମୋର ଏବେ ବି ଅନୁରାଗ ଆସିନାହିଁ।
ଏଣୁ ଏହା ମାଧ୍ୟମରେ ଶ୍ରୀଚୈତନ୍ୟ ଆମକୁ କହିଛନ୍ତି–ଭଗବାନଙ୍କ ନାମ ପ୍ରତି ଅନୁରାଗ ଆସିଲେ ଏବଂ ତାଙ୍କର ନାମ ନେଲେ ଭଗବାନଙ୍କୁ ପାଇହେବ। ଏହା ତାଙ୍କୁ ପାଇବାର ସରଳସୂତ୍ର।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button