The number: ବଢ଼ୁଛି ଓଜନିଆ ଓ ମୋଟା ଶିଶୁଙ୍କ ସଂଖ୍ୟା
ଭାରତ ଏବେ ଓଜନିଆ ଓ ମେଦବହୁଳ ଶିଶୁଙ୍କ ସଂଖ୍ୟାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଧାରା ଜାରି ରହିଲେ ୨୦୪୦ ସୁଦ୍ଧା ଦେଶର ପ୍ରାୟ ୫୬ ନିୟୁତ ପିଲା ପ୍ରଭାବିତ ହୋଇପାରନ୍ତି। ରିପୋର୍ଟ.....

ଭାରତ ଏବେ ଓଜନିଆ ଓ ମେଦବହୁଳ ଶିଶୁଙ୍କ ସଂଖ୍ୟାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଧାରା ଜାରି ରହିଲେ ୨୦୪୦ ସୁଦ୍ଧା ଦେଶର ପ୍ରାୟ ୫୬ ନିୟୁତ ପିଲା ପ୍ରଭାବିତ ହୋଇପାରନ୍ତି। ରିପୋର୍ଟ ଅନୁସାରେ, ୨୦୧୦ ପରଠାରୁ ୧୮୦ରୁ ଅଧିକ ଦେଶରେ ଶାରୀରିକ ସ୍ଥୂଳତା ବୃଦ୍ଧି ପାଇଛି। ଏବେ ଭାରତର ପରିସ୍ଥିତି ଚିନ୍ତାଜନକ। ୫ରୁ ୧୧ ବର୍ଷର ପ୍ରାୟ ୪୧ ନିୟୁତ ପିଲା ଉଚ୍ଚ ବଡି ମାସ୍ ଇଣ୍ଡେକ୍ସ୍ (ବିଏମ୍ଆଇ) ନେଇ ବଞ୍ଚୁଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଏହି ସମସ୍ୟା କେବଳ ବୟସ୍କମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। କମ୍ ବୟସର ପିଲା ମଧ୍ୟ ପ୍ରଭାବିତ ହେଉଛନ୍ତି।
ଆସ୍ଥା ହସ୍ପିଟାଲ୍ର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଦିତି ସଚଦେବ କହନ୍ତି, ଏବେ ପିଲାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି। ଅଧିକାଂଶ ସମୟ ଗୋଟିଏ ଜାଗାରେ ବସିବାକୁ ସେମାନେ ଅଧିକ ଭଲ ପାଉଛନ୍ତି। ଏପରିକି ସ୍କ୍ରିନ୍ ଟାଇମ୍ ବି ଅଧିକ ରହୁଛି। ଖାଇବାରେ ଜଙ୍କ୍ ଫୁଡ୍, ତେଲ ମସଲା ଓ ମିଠା ମଧ୍ୟ ଏହାର କାରଣ ହୋଇଥାଏ। ଭଲ ନିଦ ନ ହେବା ଓ କେତେକ କ୍ଷେତ୍ରରେ ବଂଶଗତ ସମସ୍ୟାର ଭୂମିକା ମଧ୍ୟ ରହିଛି। ପିଏସ୍ଆର୍ଆଇ ହସ୍ପିଟାଲ୍ର ଏଣ୍ଡୋକ୍ରାଇନୋଲୋଜି ଓ ଡାଇବେଟୋଲୋଜିର ବରିଷ୍ଠ ପରାମର୍ଶଦାତା ଡକ୍ଟର ହିମିକା ଚାୱଲା କହନ୍ତି, “ଏହି ପିଲାଙ୍କର ଇନସୁଲିନ୍ ପ୍ରତିରୋଧ ଶକ୍ତି ବିକଶିତ ହେବାର ସମ୍ଭାବନା ଅଛି, ଯାହା ସ୍ଥୂଳକାୟ ପିଲାଙ୍କ ମଧ୍ୟରେ ଅତି ସାଧାରଣ। ୪୦ରୁ ୫୦ ପ୍ରତିଶତ ପିଲାଙ୍କଠାରେ ଭବିଷ୍ୟତରେ ପ୍ରି-ଡାଇବେଟିସ୍ ଓ ଡାଇବେଟିସ୍ର ବିପଦ ବୃଦ୍ଧି ପାଇପାରେ। ସେହିପରି ୨୦ରୁ ୨୫ ପ୍ରତିଶତ ପିଲାଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ।’’ ଏପରିକି ପିଲାମାନେ ପ୍ରାରମ୍ଭିକ ବୟସରେ ହୃଦ୍ରୋଗ ଓ ଫ୍ୟାଟି ଲିଭର୍ର ଶିକାର ହୋଇପାରନ୍ତି।
ଟ୍ରାଇଗ୍ଲିସେରାଇଡ୍ ଉଚ୍ଚ ସ୍ତରକୁ ଆସିବାର ବି ଆଶଙ୍କା ରହିଛି। ଟ୍ରାଇଗ୍ଲିସେରାଇଡ୍ର ଉଚ୍ଚ ସ୍ତରର ଅର୍ଥ ହେଉଛି, ରକ୍ତରେ ଅତ୍ୟଧିକ ଚର୍ବି ରହିବା। ଟ୍ରାଇଗ୍ଲିସେରାଇଡ୍ ଅବ୍ୟବହୃତ କ୍ୟାଲୋରି ସଂରକ୍ଷଣ କରେ। ଏହା ହୃଦ୍ରୋଗ, ଟାଇପ୍ ୨ ମଧୁମେହ, ଚର୍ବି ଯକୃତ ଓ ଅଗ୍ନାଶୟର ଆଶଙ୍କା ବଢ଼ାଇପାରେ। ଏଥିପାଇଁ ବିଶେଷଜ୍ଞ ସହରୀକରଣ, ସ୍କ୍ରିନ୍ ସମୟ ବୃଦ୍ଧି, ମିଠା ଓ ଚର୍ବିଜାତୀୟ ଖାଦ୍ୟକୁ ଦାୟୀ କରିଛନ୍ତି। ସମାଧାନର ପରାମର୍ଶ ଦେଇ ଡାକ୍ତର କହିଛନ୍ତି, “ଖାଦ୍ୟରେ କମ୍ ଚିନି ରଖିବା ଉଚିତ। ଆମକୁ ଟ୍ରାନ୍ସ ଫ୍ୟାଟ୍ ଓ ଡିପ୍ ଫ୍ରାଏଡ୍ ଖାଦ୍ୟ କମାଇବାକୁ ପଡ଼ିବ। ପିଲାଙ୍କୁ ଘରକାର୍ଯ୍ୟ, ଶାରୀରିକ ଶ୍ରମ ଓ ଖେଳକୁଦରେ ସାମିଲ୍ କରିବା ଦରକାର। ଶୋଇବା ଉପରେ ମଧ୍ୟ ଗୁରୁତ୍ବ ଦେଲେ ପିଲାଙ୍କ ମେଦ ବହୁଳତା କମିପାରିବ।’’
ସୌଜନ୍ୟ ସମ୍ବାଦ




