The path of Sri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ
ବିହାର ରାମାୟଣକାଳ ସହିତ ବିହାରର ସମ୍ବନ୍ଧ ଅତ୍ୟନ୍ତ ଘନିଷ୍ଠ। ଏଣୁ ରାମଗମନ ପଥ ପରିଯୋଜନାର ଅନ୍ତର୍ଭୁକ୍ତ କରାଯାଇ ସଂପୃକ୍ତ ସ୍ଥାନଗୁଡ଼ିକର ବିକାଶ କରାଯାଉଛି। ଏଥି ମଧ୍ୟରୁ ପ୍ରମୁଖ ସ୍ଥଳ ହେଉଛି....

ବିହାର ରାମାୟଣକାଳ ସହିତ ବିହାରର ସମ୍ବନ୍ଧ ଅତ୍ୟନ୍ତ ଘନିଷ୍ଠ। ଏଣୁ ରାମଗମନ ପଥ ପରିଯୋଜନାର ଅନ୍ତର୍ଭୁକ୍ତ କରାଯାଇ ସଂପୃକ୍ତ ସ୍ଥାନଗୁଡ଼ିକର ବିକାଶ କରାଯାଉଛି। ଏଥି ମଧ୍ୟରୁ ପ୍ରମୁଖ ସ୍ଥଳ ହେଉଛି– ସୀତାମାଢ଼ୀ, ବକ୍ସର, ଦରଭଙ୍ଗା, ଅହଲ୍ୟା ସ୍ଥାନ, ପୁନୌରାଧାମ, ଫୁଲହର ଇତ୍ୟାଦି। ବକ୍ସାର: ବିହାର ପ୍ରଦେଶର ଗଙ୍ଗାନଦୀ ତଟଦେଶରେ ଥିବା ଜିଲା ବକ୍ସାର। ପ୍ରାଚୀନ କାଳରେ ଏହାର ନାମ ‘ବ୍ୟାଘ୍ରସର’ ଥିଲା। ଏଠାରେ ବିଶ୍ବାମିତ୍ର ମୁନିଙ୍କର ସିଦ୍ଧାଶ୍ରମ ଥିଲା। ଏଠାରେ ଶ୍ରୀରାମ ମାରୀଚ ଓ ସୁବାହୁ ସହିତ ଯୁଦ୍ଧ କରିଥିଲେ। ‘ବ୍ରହ୍ମପୁରାଣ’ ଓ ‘ବରାହ ପୁରାଣ’ରେ ଏହାର ଉଲ୍ଲେଖ ଅଛି। େସଥିରେ କୁହାଯାଇଛି ଏଠାରେ ଆଠହଜାର ମୁନି ଏକତ୍ର ହୋଇ ଯଜ୍ଞ କରିଥିଲେ। ଏହା ନିକଟରେ ଗଙ୍ଗାନଦୀ ପ୍ରବାହିତ ହୋଇଛି। ଏଠାରେ ବହୁ ସଂଖ୍ୟାରେ ଶିବମନ୍ଦିର ଥିବାରୁ ଏହାକୁ େଛାଟୀକାଶୀ କୁହାଯାଏ। ଏଠାର ମିଥିଳା ମଧ୍ୟ ଏହି ପରିକ୍ରମାର ଅନ୍ତର୍ଭୁକ୍ତ।
ରାମରେଖା ଘାଟ: ତାଡ଼କା ବଧ ପରେ ରାମ ଏଠାରେ ସ୍ନାନ କରିଥିଲେ।
ସୀତାମାଢ଼ୀ: ଏହା ସୀତାଙ୍କର ଜନ୍ମଭୂମି ଭାବରେ ପ୍ରସିଦ୍ଧ।
ଦରଭଙ୍ଗା: େଗୗତମ କୁଣ୍ଡ ଓ ଅହଲ୍ୟାସ୍ଥାନ ନିମିତ୍ତ ଏହା ପ୍ରସିଦ୍ଧ। କଥିତ ଅଛି, ଗୌତମ କୁଣ୍ଡ ତଳେ ପାତାଳଗଙ୍ଗା ପ୍ରବାହିତ ହୋଇଛନ୍ତି। ଏଣୁ ଏହି କୁଣ୍ଡକୁ ଅତି ପବିତ୍ର ମନେକରାଯାଏ। ଏଥିରେ ସ୍ନାନ କଲେ ସମସ୍ତ ବ୍ୟାଧି ଦୂର ଓ ପାପ ନଷ୍ଟ ହୁଏ ବୋଲି ବିଶ୍ବାସ ରହିଛି। ଏଠାରେ ନବନିର୍ମିତ ଗୌତମ ମୁନିଙ୍କ ଆଶ୍ରମ ରହିଛି। ଶ୍ରୀରାମ ଏଠାକୁ ଆସି ଦେବୀ ଅହଲ୍ୟାଙ୍କୁ ଉଦ୍ଧାର କରିଥିଲେ। ଚମ୍ପାରନ-ବିରାଟ ରାମାୟଣ ମନ୍ଦିର: ହିନ୍ଦୁଧର୍ମର ବିକାଶ ଓ ସଂରକ୍ଷଣରେ ବିହାର ପ୍ରଦେଶର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ବିଶେଷ କରି ତ୍ରେତୟା ଯୁଗ ସହିତ ସଂପର୍କ ଅତ୍ୟନ୍ତ ନିବିଡ଼। ଏହି ଦୃଷ୍ଟିରୁ ଏଠାରେ ନିର୍ମାଣାଧୀନ ‘ବିରାଟ ରାମାୟଣ ମନ୍ଦିର’ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ।
ବିହାରର ପୂର୍ବ-ଚମ୍ପାରନ ଜିଲାରେ ଏହା ଅବସ୍ଥିତ। ଏହି ମନ୍ଦିରର ଉଚ୍ଚତା ପ୍ରାୟ ୪୦୫ଫୁଟ ହେବ। କାମ୍ବୋଡ଼ିଆ ସ୍ଥିତ ଆଙ୍କରଭାଟ ହିନ୍ଦୁ ମନ୍ଦିରର ଏହା ପ୍ରାୟ ଦୁଇଗୁଣ ହେବ। ରାମ-ଲକ୍ଷ୍ମଣ-ସୀତା-ହନୁମାନଙ୍କ ବ୍ୟତୀତ ଏହାର ପରିସରରେ ଆହୁରି ଅନେକ ଦେବଦେବୀଙ୍କର ମନ୍ଦିର ରହିବ। ସଂପୂର୍ଣ୍ଣ ରାମାୟଣର ଚିତ୍ର ଏଥିରେ ଖୋଦିତ ହେବ। ଏହା ମଧ୍ୟରେ ଏପରି ଏକ ସଭାଗୃହର ଯୋଜନା ରହିଛି, ଯେଉଁଠାରେ ୨୦ ହଜାର ଭକ୍ତ ଏକତ୍ର ବସି ପାରିବେ। ରାମ ନବମୀ, ଦୀପାବଳୀ ଓ ବିଜୟା ଦଶମୀ ଏଠାରେ ମହା ସମାେରାହରେ ପାଳିତ ହେବ। ଏହି ମନ୍ଦିର ୧୦୮୦ ଫୁଟ ଲମ୍ବ ଓ ୫୪୦ ଫୁଟ ଓସାର ହେବ। ଏଠାରେ ମଧ୍ୟ ଏକ ୩୩ ଫୁଟ ଉଚ୍ଚର କଳାମୁଗୁନି ପଥରର ଶିବଲିଙ୍ଗ ପ୍ରତିଷ୍ଠା ହେବାର ଯୋଜନା ରହିଛି
ମଧୁବନୀ-ଫୁଲହର: ଭାରତର ମିଥିଳା କ୍ଷେତ୍ର, ବିହାରର ମଧୁବନୀ ଜିଲାର ଏକ ପୌରାଣିକ ସ୍ଥାନ ଫୁଲହର। ଏକଦା ଏହି ସ୍ଥାନ ମିଥିଳା ରାଜାଙ୍କର ଫୁଲଫଳଭରା ଉଦ୍ୟାନ ଥିଲା। ଏହି ଫୁଲବନ ମଧ୍ୟରେ ଦେବୀ ଗିରିଜାଙ୍କର ଏକ ମନ୍ଦିର ରହିଛି। ଦେବୀ ଗିରିଜା ମହାରାଜା ଜନକଙ୍କର କୁଳଦେବୀ ଥିଲେ। ଗୋସ୍ବାମୀ ତୁଳସୀ ଦାସଙ୍କ ‘ରାମଚରିତ ମାନସ’ ଅନୁଯାୟୀ, ସୀତା ପ୍ରତ୍ୟହ ଏହି କୁଳଦେବୀଙ୍କୁ ପୂଜା କରୁଥିଲେ। ପୂଜା ସାରି ଫେରିବା ବେଳେ ମହର୍ଷି ବିଶ୍ବାମିତ୍ରଙ୍କ ପୂଜାପାଇଁ ଫୁଲ ସଂଗ୍ରହ କରିବାକୁ ଆସିଥିବା ରାମ-ଲକ୍ଷ୍ମଣଙ୍କ ସହିତ ଏଠାରେ ସୀତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏଣୁ ଏହି ସ୍ଥାନକୁ ଏକ ପବିତ୍ର ସ୍ଥାନର ମର୍ଯ୍ୟାଦା ଦେବାପାଇଁ ବିହାର ସରକାର ଏହାକୁ ରାମାୟଣ ପରିଯୋଜନାର ଅନ୍ତର୍ଭୁକ୍ତ କରିଛନ୍ତି।
କଷ୍ଟହାରିଣୀ ଘାଟ: ଏହା ବିହାରର ମୁଙ୍ଗେର ଜିଲାେର ପ୍ରବାହିତ ଗଙ୍ଗାନଦୀର ଏକ ଘାଟ। ପୌରାଣିକ ମାନ୍ୟତା ଅନୁସାରେ ଏହା ଏପରି ଏକ ପବିତ୍ର ଘାଟ, ଯେଉଁଠାରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ଦୂରୀଭୂତ ହୁଏ। ଏଠାର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଅତ୍ୟନ୍ତ ମନୋରମ। ଏହା ନିକଟରେ ଶ୍ରୀକୃଷ୍ଣ ବାଟିକା ଓ ସୀତାକୁଣ୍ଡ ରହିଛି।
ମାନ୍ୟତା ଅନୁସାରେ, ଶ୍ରୀରାମ ମିଥିଳାରୁ ସୀତାଙ୍କୁ ବିବାହ କରି ଫେରିଲା ବାଟରେ ନିଜର କ୍ଳାନ୍ତି ଦୂର କରିବା ପାଇଁ ଏଠାରେ ସ୍ନାନ କରିଥିଲେ। ଏଠାରେ ପ୍ରବାହିତା ଗଙ୍ଗା ନଦୀକୁ ଉତ୍ତରବାହିନୀ ଗଙ୍ଗା କୁହାଯାଏ। ଏହି ଘାଟ ନିକଟରେ ଏକ ଜଗନ୍ନାଥ ମନ୍ଦିର ରହିଛି। ଅନ୍ୟ କିଂବଦନ୍ତି ଅନୁସାରେ, ତାଡ଼କାବଧ ପରେ ରାମ-ଲକ୍ଷ୍ମଣ ଏହିଠାରେ ବିଶ୍ରାମ ନେଇ ଗଙ୍ଗା ସ୍ନାନ କରିଥିଲେ। ରାମଙ୍କର କ୍ଳାନ୍ତି ହରଣ ହେତୁ ଏହି ଘାଟର ନାମ କଷ୍ଟହାରିଣୀ ଘାଟ।
– ଡକ୍ଟର ତୁଳସୀ ଓଝା
ସୌଜନ୍ୟ ସମ୍ବାଦ




