The sexual harassment: ଯୌନ ନିର୍ଯାତନା ଅଭିଯୋଗ ମିଛ ଥିଲା!

ଲୋକପ୍ରିୟ ଧାରାବାହିକ ‘ଭାବୀଜୀ ଘର ପର ହୈଁ’ରେ ‘ଅଙ୍ଗୁରୀ ଭାବୀ’ ଚରିତ୍ର ଲାଗି ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଘରେ ଘରେ ସୁପରିଚିତ। ତେବେ ୨୦୧୬ରେ ହଠାତ୍‌ ସେହି ଧାରାବାହିକର ନିର୍ମାତାଙ୍କ ସହିତ ତାଙ୍କର ବିବାଦ ଆରମ୍ଭ ହୋଇଯାଇଥିଲା। ସେ ଉକ୍ତ କାର୍ଯ୍ୟକ୍ରମ ଛାଡ଼ିବା ସହିତ ପ୍ରଯୋଜକ ସଞ୍ଜୟ କୋହଲିଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ପ୍ରଯୋଜକ ମଧ୍ୟ ପାଲଟା ଅଭିଯୋଗ କରିଥିଲେ ଯେ ଶିଳ୍ପା ଅଣପେସାଦାର ଆଚରଣ ପ୍ରଦର୍ଶନ କରୁଥିଲେ। ତେବେ ଏ ଘଟଣାର ଏକ ଦଶନ୍ଧି ପରେ ଅଭିନେତ୍ରୀ ଶିଳ୍ପାଙ୍କର ଏକ ସ୍ବୀକାରୋକ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବାସ୍ତବରେ ଶିଳ୍ପା ସେବେ ସଞ୍ଜୟଙ୍କ ନାମରେ ଯେଉଁ ସାଂଘାତିକ ଅଭିଯୋଗ କରିଥିଲେ ତାହା ମିଛ ଥିଲା ବୋଲି ସେ ଏକ ପଡ୍‌କାଷ୍ଟରେ କହିଛନ୍ତି। ସେ ନିଜର ଦୋଷ ସ୍ବୀକାର କରି କହିଛନ୍ତି ଯେ ସେତେବେଳେ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତାଙ୍କୁ ତାଙ୍କର ପାରିତୋଷିକ ନ ମିଳିବା ଯୋଗୁଁ ସେ ପୁଲିସ ପାଖରେ ଅଭିଯୋଗ ଦାଖଲ କରିବାକୁ ଯାଇଥିଲେ। ତେବେ ପୁଲିସ କହିଲା ଯେ ଏତଲା ଦାଖଲ ଲାଗି କୌଣସି ସାଂଘାତିକ ଅଭିଯୋଗ କରିବାକୁ ହେବ। ତେଣୁ ଉକ୍ତ ଜଟିଳ ସ୍ଥିତିରୁ ମୁକୁଳିବା ପାଇଁ ସେ ମିଛରେ ପ୍ରଯୋଜକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ କଲେ। ଶେଷରେ ଉଭୟ ପକ୍ଷ ସହମତି ଭିତ୍ତିରେ ମାମଲାକୁ ରଫାଦଫା କରିଥିଲେ। ଘଟଣାର ପ୍ରାୟ ଏକ ଦଶନ୍ଧି ପରେ ସେ ‘ଭାବୀଜୀ ଘର ପର ହୈଁ’ କାର୍ଯ୍ୟକ୍ରମକୁ ଫେରିଥିଲେ। ଏବେ ‘ଭାବୀଜୀ’ ଟିମ୍‌ ସହିତ ତାଙ୍କର ଭଲ ସମ୍ପର୍କ ଅଛି ବୋଲି ଶିଳ୍ପା କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ