ବିଶେଷ

The train: ନଦୀ ତଳେ ଦୌଡୁଛି ରେଳ

ନଦୀ ଶଯ୍ୟା ତଳେ କିମ୍ବା ପାଣି ଭିତରେ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଆମ ଦେଶର ପ୍ରଥମ ଉପଲବ୍‌ଧି ହେଉଛି କୋଲକାତାର ଅଣ୍ଡର୍‌ ୱାଟର୍‌ ମେଟ୍ରୋ। କୋଲକାତା ମେଟ୍ରୋ ରେଳ କର୍ପୋରେସନ୍‌ର ପୂର୍.....

ନଦୀ ଶଯ୍ୟା ତଳେ କିମ୍ବା ପାଣି ଭିତରେ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଆମ ଦେଶର ପ୍ରଥମ ଉପଲବ୍‌ଧି ହେଉଛି କୋଲକାତାର ଅଣ୍ଡର୍‌ ୱାଟର୍‌ ମେଟ୍ରୋ। କୋଲକାତା ମେଟ୍ରୋ ରେଳ କର୍ପୋରେସନ୍‌ର ପୂର୍ବ-ପଶ୍ଚିମ ମେଟ୍ରୋ କରିଡର୍‌ର ଏହା ହେଉଛି ଅଂଶବିଶେଷ। ଏଥିରେ ରହିଛି ୪.୫ କି.ମି.ର ଅଣ୍ଡର୍‌ ଗ୍ରାଉଣ୍ଡ ଟନେଲ୍‌, ଯାହାର ୫୨୦ ମିଟର୍‌ ଅଂଶ ହୁଗୁଳି ନଦୀଶଯ୍ୟା ତଳେ ଯାଇଛି। ମାତ୍ର ୪୫ ସେକେଣ୍ଡ୍ ମଧ୍ୟରେ ୫.୫ ମିଟର ବ୍ୟାସ ବିଶିଷ୍ଟ ଟନେଲ୍‌ରେ ଟ୍ରେନ୍‌ଟି ପାଣି ତଳେ ଘଣ୍ଟା ପ୍ରତି ୮୦ କି.ମି. ବେଗରେ ନଦୀକୁ ଅତିକ୍ରମ କରିଯାଏ। ପାଣି ଭିତରେ ଭୂମିରୁ ୩୩ ମିଟର୍‌ ତଳେ ଏହି ଟନେଲ୍‌ ରହିଛି। ଏହା ହାଓଡ଼ା ରେଳ ଷ୍ଟେସନ୍‌ରୁ ଏସ୍‌ପ୍ଲାନେଡ୍‌କୁ ସଂଯୋଗ କରିଥାଏ। ହାଓଡ଼ା ମୁଖ୍ୟ ଷ୍ଟେସନ୍‌ର ୩୦ ମିଟର୍‌ ତଳେ ଆଉ ଏକ ‌ଭୂତଳ ଷ୍ଟେସନ ନିର୍ମାଣ କରାଯାଇଛି।

ପାଣି ତଳେ ରେଳ ଟନେଲ୍‌ ନିର୍ମାଣ ପାଇଁ ସ୍ବତନ୍ତ୍ର ନିର୍ମାଣଶୈଳୀ ବିନିଯୋଗ କରାଯାଇଛି। ଦୁଇଟି ଭିନ୍ନ ଭିନ୍ନ ପଦ୍ଧତିରେ ଏହି ଟନେଲ୍‌ ନିର୍ମାଣ କରାଯାଇଥାଏ। ତାହା ହେଲା, ଟର୍ବାଇନ୍‌ ବୋରିଂ ପଦ୍ଧତି ଓ ଇମର୍ଜଡ୍‌ ଟ୍ୟୁବ୍‌ ପଦ୍ଧତି। ଉଭୟ ପଦ୍ଧତିରେ ପାଣି ଟନେଲ୍‌କୁ ଯେପରି ନପଶିବ ସେଥିପାଇଁ ହାଇଡ୍ରୋଲିକ୍‌ ଗ୍ୟାସ୍‌କେଟ୍‌ର ବ୍ୟବସ୍ଥା ରହିଛି, ଯାହାକି ଟନେଲ୍‌ରେ କୌଣସି ଛିଦ୍ର ଦେଇ ନଦୀର ପାଣିକୁ ଟନେଲ୍‌ ଭିତରକୁ ପ୍ରବେଶରୁ ରୋକିଥାଏ। କୌଣସି କାରଣରୁ ଟନେଲ୍‌ ଭିତରେ ପାଣି ପଶିଲେ ତତ୍‌କ୍ଷଣାତ୍‌ ଗ୍ୟାସ୍‌କେଟ୍‌ ଖୋଲିଯାଏ ଏବଂ ପାଣି ବାହାରକୁ ଚାଲିଯାଏ। ଅଘଟଣ ବେଳେ ଜରୁରୀକାଳୀନ ଉଦ୍ଧାର ପାଇଁ ହାଓଡ଼ା ପୋଲ ପାଖରେ ନିୟନ୍ତ୍ରଣକକ୍ଷ ରହିଛି।  କୋଲକାତାର ପାଣି ତଳ ମେଟ୍ରୋ ଭିତ୍ତିଭୂମିର ସଫଳତା ପରେ ଭାରତ ସରକାର ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ କିଛି ବାଟ ସମୁଦ୍ର ଶଯ୍ୟାରେ ମଧ୍ୟ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରିଛନ୍ତି।

ଭାରତରେ ପାଣି ତଳ ରେଳପଥ ପାଇଁ ପ୍ରଥମେ ୧୯୨୧ରେ ସାର୍‌ ହାର୍ଲେ ନାମକ ଜ‌ଣେ ବ୍ରିଟିସ୍‌ ଇଂଜିନିୟରଙ୍କ ମନକୁ ଭାବନା ଆସିଥିଲା। ପରେ ଲଣ୍ଡନ୍‌ ଓ ପ୍ୟାରିସ୍‌ ମଧ୍ୟରେ ଇଂଲିସ୍‌ ଚ୍ୟାନେଲ୍‌ ଦେଇ ୟୁରୋଷ୍ଟାର୍‌ ନାମକ ରେଳ ସେବା ଆରମ୍ଭ ହୋଇଥିଲା। ୨୦୦୮ରେ ‌କୋଲକାତା ମେଟ୍ରୋରେ ୪ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ହୁଗୁଳି ନଦୀ ଭିତର ଦେଇ ଟନେଲ୍‌ରେ ରେଳ ଚଳାଚଳ ପାଇଁ ନୀଳ ନକ୍ସା ଅଙ୍କା ଯାଇଥିଲା। ତେବେ ବହୁବର୍ଷ ପରେ ଏହାର ବାସ୍ତବ ରୂପାୟନ ହୋଇଥିଲା। ଭାରତୀୟ ଓ ଜାପାନୀ ଇଂଜିନିୟର୍‌ମାନଙ୍କ ପ୍ରଚେଷ୍ଟାରେ ଜଳଭାଗରେ ରେଳ ଟନେଲ୍‌ କାର୍ଯ୍ୟ ହୋଇଥିଲା।  ଗଭୀର ନଦୀ ଶଯ୍ୟା ତଳେକଂକ୍ରିଟର ୨ଟି ଟନେଲ୍‌ କରାଗଲା। ୨୦୨୪ରେ ହୁଗୁଳି ନଦୀ ଶଯ୍ୟାରେ ଟ୍ରେନ୍‌ ଚାଲିଥିଲା, ଯାହା ଭାରତରେ ରେଳ ସେବାରେ ପାଣି ତଳ ମେଟ୍ରୋର ନୂଆ ଅଧ୍ୟାୟ ଯୋଡ଼ିଲା।

ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button