କଟକ: ଚୌଦ୍ବାର ସର୍କଲ ଜେଲ୍ରେ ବେଆଇନ ଭାବେ ଲକ୍ଅପ୍ ଖୋଲି ରାତିଅଧରେ ୪ ଜଣ ବିଚାରାଧୀନ କଏଦୀଙ୍କୁ ନିର୍ଘାତ ମାଡ଼ ମରାଯାଇଛି। ଜଣେ ଆସିଷ୍ଟାଣ୍ଟ ଜେଲର୍ ଏଭଳି କାଣ୍ଡ ଘଟାଇଛନ୍ତି। ବିଳମ୍ବିତ ରାତିରେ ଏଭଳି ବେଆଇନ କାମକୁ ନେଇ ଜେଲ୍ରେ ଉତ୍ତେଜନା ସୃଷ୍ଟି ହୋଇଛି। କଏଦୀମାନେ ଏବେ ଆସିଷ୍ଟାଣ୍ଟ ଜେଲର୍ଙ୍କ ବିରୋଧରେ ମେଳି ବାନ୍ଧିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି।
ଚୌଦ୍ବାର ସର୍କଲ ଜେଲ୍ର ୪ ଓ ୫ ନମ୍ବର ବ୍ଲକ୍ର ୪୬ ନମ୍ବର ରୁମ୍ରେ ପାଖାପାଖି ୨୫ ଜଣ କଏଦୀ ରୁହନ୍ତି। ନିକଟରେ ରାତି ପ୍ରାୟ ୧୨ଟା ବେଳେ ଉକ୍ତ ରୁମ୍ରେ ତିନି ଜଣ କଏଦୀ ବିଡ଼ି ଟାଣୁଥିଲେ। ଏହି ଘଟଣାକୁ ନେଇ ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ଜେଲର୍ ଜଣେ ଜମାଦାର ଓ ଜଣେ ୱାର୍ଡରଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ। ଲକ୍ଅପ୍ ଖୋଲି ଭିତରେ ପଶିବା ପରେ ବିଡ଼ି ଟାଣୁଥିବା ତିନି କଏଦୀଙ୍କୁ ଲାଠିରେ ନିର୍ଘାତ ମାଡ଼ ମାରିଥିଲେ। ଏହି ତିନି ଜଣଙ୍କ ନିକଟରେ ବସିଥିବା ଆଉ ଜଣେ କଏଦୀ କଥାବାର୍ତ୍ତା ହେଉଥିବା ବେଳେ ସେ ମଧ୍ୟ ମାଡ଼ରୁ ବର୍ତ୍ତି ନଥିଲେ। ଉକ୍ତ ରୁମ୍ରେ ଲାଗିଥିବା ସିସି କ୍ୟାମେରାରେ ଏହି ଘଟଣା ରେକର୍ଡ ହୋଇଥିଲା। ଯେଉଁ କଏଦୀ ବିଡ଼ି ଟାଣୁ ନଥିଲେ ତାଙ୍କ ଗୋଡ଼ରେ ବି ଗଭୀର କ୍ଷତ ହୋଇଥିଲା।
ଆସିଷ୍ଟାଣ୍ଟ ଜେଲର୍ଙ୍କୁ ନେଇ ଉତ୍ତେଜନା
ବିନା ଅନୁମତିରେ ଖୋଲିଲା ଲକ୍ଅପ୍
ସେ ଚଲାବୁଲା କରି ନ ପାରିବାରୁ ପରଦିନ ତାଙ୍କୁ ଜେଲ୍ ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି କଏଦୀଙ୍କ ମାମୁ ଜେଲ୍ରେ ସର୍ଦ୍ଦାର ଦାୟିତ୍ବରେ ଥିବା ବେଳେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ନେଇ ଅଧିକ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଜେଲ୍ ପରିସରରେ ଆସିଷ୍ଟାଣ୍ଟ ଜେଲରଙ୍କ ଏଭଳି ଆଚରଣକୁ ତୀବ୍ର ବିରୋଧ କରାଯାଇଛି। ପରେ ସମ୍ପୃକ୍ତ ଆସିଷ୍ଟାଣ୍ଟ ଜେଲର୍ କଏଦୀଙ୍କୁ ମାମଲା ରଫାଦଫା କରିବାକୁ ଏକ ପ୍ରକାର ଚାପ ପକାଇଥିଲେ। ତଥାପି ଏହି ଘଟଣାକୁ ନେଇ ବିବାଦ ଥମୁନାହିଁ। ଜେଲ୍ର ଲକ୍ଅପ୍ ରାତି ୭ଟା ବେଳେ ବନ୍ଦ ହୁଏ। ଲକ୍ ଥରେ ପଡ଼ିବା ପରେ କୌଣସି ପରିସ୍ଥିତିରେ ରାତିରେ ଖୋଲାଯିବ ନାହିଁ। ଯଦି ଜରୁରି ପରିସ୍ଥିତି ସୃଷ୍ଟି ହୁଏ, ଜେଲ୍ ଅଧୀକ୍ଷକ ଓ ଜେଲରଙ୍କ ଉପସ୍ଥିତିରେ ଲକ୍ଅପ୍ ଖୋଲାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ନିୟମ ଭାଙ୍ଗି କେଉଁ ପରିସ୍ଥିତିରେ ଲକ୍ଅପ୍ ଖୋଲାଗଲା ଏବଂ କଏଦୀଙ୍କୁ ମାଡ଼ ମରାଗଲା ଏହାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ସୂଚନାଯୋଗ୍ୟ ଯେ ଚୌଦ୍ବାର ସର୍କଲ ଜେଲ୍ରୁ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାରେ ଜେଲ୍ ଦସ୍ତାବିଜ ଜାଲିଆତି କରିବା ଅଭିଯୋଗରେ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ ହୋଇଛନ୍ତି। ନିକଟରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀ ଲିଟୁଆ ବେହେରା ଜେଲ୍ରୁ ମୁକୁଳିବା ପରେ ଏକ ଥାର୍ ଗାଡ଼ି ଜେଲ୍ ପରିସରକୁ ପଶି ତାକୁ ଆଣିବା ଘଟଣାରେ ଜେଲ୍ର ଭାବମୂର୍ତ୍ତି ନଷ୍ଟ ହୋଇଥିଲା। ଏବେ ଏ ପ୍ରକାର ଘଟଣାରେ ଚୌଦ୍ବାର ଜେଲ୍ ପୁଣି ବିବାଦରେ ଫସିଛି।