Tiranga Yatra: ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଦୀପକେ ଅଟକ: ଦିଲ୍ଲୀରେ ଉତ୍ତେଜନା, ପୁଲିସ ଗାଡ଼ି ଅଟକାଇବାକୁ ସମର୍ଥକଙ୍କ ଉଦ୍ୟମ
ଦିଲ୍ଲୀର କନ୍ନଟ୍ ପ୍ଲେସ୍ସ୍ଥିତ ସେଣ୍ଟ୍ରାଲ୍ ପାର୍କରେ ତ୍ରିରଙ୍ଗା ଶୋଭାଯାତ୍ରା କରିବା ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ। ଶୁକ୍ରବାର ସେ ରହୁଥିବା ଏକ ଘରୁ ବାହାରିବା ପରେ ପୁଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା।

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନଟ୍ ପ୍ଲେସ୍ସ୍ଥିତ ସେଣ୍ଟ୍ରାଲ୍ ପାର୍କରେ ତ୍ରିରଙ୍ଗା ଶୋଭାଯାତ୍ରା କରିବା ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ। ଶୁକ୍ରବାର ସେ ରହୁଥିବା ଏକ ଘରୁ ବାହାରିବା ପରେ ପୁଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଏହି ସମୟରେ ଦୀପକେ ‘ମୁଁ କ’ଣ କରିଛି’ ବୋଲି ପ୍ରଶ୍ନ କରୁଥିବା ଦେଖା ଯାଇଥିଲା। ତାଙ୍କୁ ନେଇ ଯାଉଥିବା ପୁଲିସ ଗାଡ଼ିକୁ ଅଟକାଇବା ପାଇଁ ସମର୍ଥକମାନେ ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ ଅଖିଳ ଭାରତୀୟ ଛାତ୍ର ସଂଘ (ଏଆଇଏସ୍ଏ) ସଭାପତି ନେହା ବୋରାଙ୍କ ସମେତ ଅନ୍ୟ ପ୍ରାୟ ୧୫୦ ଜଣ ସିଜେପି ସମର୍ଥକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଏହି ଘଟଣା ପରେ ଶୋଭାଯାତ୍ରାକୁ ନେଇ ଦିଲ୍ଲୀରେ ଉତ୍ତେଜନା ଦେଖାଦେଇଛି।
ଦୀପକେଙ୍କ ନେତୃତ୍ୱରେ ଶୁକ୍ରବାର ଅପରାହ୍ଣ ୫ଟାରେ ‘ଲେହରା ଦୋ ତିରଙ୍ଗା’ ନାମରେ ଏହି ଶୋଭାଯାତ୍ରା ଆୟୋଜନ କରାଯିବାର ଯୋଜନା ଥିଲା। କିନ୍ତୁ ଏଥିପାଇଁ ଅନୁମତି ମିଳିନଥିବା ଦର୍ଶାଇ ଦିଲ୍ଲୀ ପୁଲିସ ତାଙ୍କୁ ପୂର୍ବରୁ ନୋଟିସ୍ ଜାରି କରିଥିଲା। କନ୍ନଟ୍ ପ୍ଲେସ୍ ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ଅଞ୍ଚଳ ହୋଇଥିବାରୁ ବଡ଼ ଜନସମାଗମ ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହେବା, ଦଳାଚକଟା ଆଶଙ୍କା ଏବଂ ଜରୁରୀ ସେବା ପ୍ରଭାବିତ ହେବାର ସମ୍ଭାବନା ଥିବା ପୁଲିସ କହିଛି। ଏହି ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଲାଗୁ ରହିଛି।
ସୌଜନ୍ୟ ସମ୍ବାଦ




