ଦେଶ ବିଦେଶ

Trade agreement framework continues: ଭାରତ ସାମୟିକ ଆଶ୍ବସ୍ତ: ବାଣିଜ୍ୟ ରାଜିନାମା ଢାଞ୍ଚା ଜାରି

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଆଜି ଜାରି ହୋଇଛି। ଫଳରେ ଆମେରିକାର ଚଢ଼ା ଶୁଳ୍କକୁ ନେଇ ଲାଗି ରହିଥିବା ଦୀର୍ଘଦିନର ଚିନ୍ତା ଦୂର ହୋଇ ସାମୟିକ ଆଶ୍ବସ୍ତି ମିଳିଛି।

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଆଜି ଜାରି ହୋଇଛି। ଫଳରେ ଆମେରିକାର ଚଢ଼ା ଶୁଳ୍କକୁ ନେଇ ଲାଗି ରହିଥିବା ଦୀର୍ଘଦିନର ଚିନ୍ତା ଦୂର ହୋଇ ସାମୟିକ ଆଶ୍ବସ୍ତି ମିଳିଛି। ଗତ ଅଗଷ୍ଟ ମାସରୁ ଭାରତ ଉପରେ ଆମେରିକା ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲା ତାହା ୧୮ ପ୍ରତିଶତକୁ ହ୍ରାସ ପାଇବ। ୫୦ ପ୍ରତିଶତ ଶୁଳ୍କରେ ରୁଷ୍‌ ତେଲ କିଣା ବାବଦରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଆମେରିକାକୁ ଭାରତ ମସଲା, ଚା, କଫି, ନଡ଼ିଆ ତେଲ, କାଜୁ, କଦଳୀ, ଆମ୍ବ ଛତୁ ଭଳି କେତେକ ଫଳ, ପରିବା ଓ କିଛି ବେକେରି ସାମଗ୍ରୀ ବିନା ଶୁଳ୍କରେ ଭାରତରୁ ରପ୍ତାନି କରାଯାଇ ପାରିବ। ଭାରତ ଆସନ୍ତା ୫ ବର୍ଷରେ ଆମେରିକାରୁ ୫୦୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ କିଣିବ। ସେଥିରେ ଶକ୍ତି ଉତ୍ପାଦ, ବିମାନ ଓ ବିମାନର ଉପକରଣ, ମୂଲ୍ୟବାନ ଧାତୁ, ପ୍ରଯୁକ୍ତି ସାମଗ୍ରୀ ଓ କୋକିଂ କୋଲ୍‌ ରହିଛି।

ମିଳିତ ବିବୃତି ଜାରି ପରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା କୃଷି ସାମଗ୍ରୀ ଉପରେ ଶୁଳ୍କ ସଂପୂର୍ଣ୍ଣ ହଟିଯିବ। ଅନ୍ୟପକ୍ଷରେ ଭାରତକୁ ଆମେରିକାର କୃଷି ସାମଗ୍ରୀ ରପ୍ତାନି ଉପରେ କୌଣସି ଶୁଳ୍କ ରିହାତି ପ୍ରଦାନ କରାଯିବ ନାହିଁ। ଏହି ଢାଞ୍ଚା ଫଳରେ ଭାରତର ଚାଷୀ ଓ ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଉପକୃତ ହେବେ। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ଜେନେଟିକାଲି ମୋଡିଫାଏଡ୍‌ (ଜିଏମ୍‌) ଖାଦ୍ୟକୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ବରଂ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ରାଜିନାମା ଦ୍ବାରା ଭାରତର ରପ୍ତାନିକାରୀମାନଙ୍କ ପାଇଁ ଆମେରିକାର ୩୦ ଟ୍ରିଲିଅନ ଡଲାରର ଅର୍ଥନୀତି ବଜାର ଉନ୍ମୁକ୍ତ ହେବ। ଏହି ରାଜିନାମା ଉଭୟ ଦେଶ ପାଇଁ ପରସ୍ପର ପରିପୂରକ ବୋଲି ସେ କହିଛନ୍ତି।

ଭାରତ-ଆମେରିକାର ମିଳିତ ବିବୃତି ଅନୁଯାୟୀ, ଏହି ଢାଞ୍ଚା ୧୩ ଫେବ୍ରୁଆରିରେ ଆରମ୍ଭ ହୋଇଥିବା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଆଲୋଚନାକୁ ଆଗକୁ ବଢ଼ାଇବ। ଏହି ରାଜିନାମା ଫଳରେ ଭାରତର ରପ୍ତାନିକାରୀମାନେ ଆମେରିକାରେ ବଜାରରେ ପ୍ରବେଶ କରିପାରିବେ। ଏଥିସହ ଯୋଗାଣ ଶୃଙ୍ଖଳକୁ ମଧ୍ୟ ଏହା ମଜଭୁତ କରିବ। ସେହିଭଳି ବାଣିଜ୍ୟ ପ୍ରତିବନ୍ଧକକୁ କମ୍‌ କରିବାର ପ୍ରସ୍ତାବ ଏଥିରେ ରହିଛି। ଏହି ଢାଞ୍ଚା ଫଳରେ ଭାରତର ବୟନଶିଳ୍ପ ସାମଗ୍ରୀ, ଚମଡ଼ା, ଜୋତା, ପ୍ଲାଷ୍ଟିକ, ରବର, ମେସିନାରି, ଅର୍ଗାନିକ୍‌ କେମିକାଲ, ହୋମ୍‌ ଡେକୋର ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ଆମେରିକାକୁ ବୃଦ୍ଧି ପାଇବ।

ବାଣିଜ୍ୟ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ବାଣିଜ୍ୟ ରାଜିନାମା ସଂକ୍ରାନ୍ତରେ କିଛି ନିୟମ ପ୍ରସ୍ତୁତ କରିବେ। ଯାହାଦ୍ବାରା ସେହି ଲାଭ କେବଳ ଏହି ଦୁଇ ଦେଶକୁ ମିଳିବ। କୌଣସି ତୃତୀୟ ଦେଶ ଏଥିରେ ଲାଭବାନ ହେବେ ନାହିଁ। ବାଣିଜ୍ୟ ରାଜିନାମାରେ ଉଭୟ ଦେଶ ଅଣଶୁଳ୍କ ପ୍ରତିବନ୍ଧକ ହଟାଇବା ଉପରେ ଧ୍ୟାନ ଦେବେ। ଅଣଶୁଳ୍କ ପ୍ରତିବନ୍ଧକ ବ୍ୟବସାୟକୁ ଜଟିଳ କରୁଛି। ଆମେରିକାର ମେଡିକାଲ ଉପକରଣ ନିର୍ମାତାମାନେ ଭାରତରେ ଦୀର୍ଘବର୍ଷ ଧରି ସମ୍ମୁଖୀନ ହୋଇ ଆସୁଥିବା ଅସୁବିଧାକୁ ଦୂର କରାଯିବ। ଏହାଦ୍ବାରା ଭାରତର ହସ୍ପିଟାଲଗୁଡ଼ିକୁ ସହଜରେ ଉପକରଣ ମିଳିପାରିବ। ରୋଗୀସେବା ମଧ୍ୟ ସୁଲଭ ହେବ।

ସେହିଭଳି ଭାରତରେ ଆମେରିକାର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି କମ୍ପାନିଗୁଡ଼ିକ ସେମାନଙ୍କ ଉତ୍ପାଦ ବିକ୍ରିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ମଧ୍ୟ ଦୂର କରାଯିବ। ଏହାଦ୍ବାରା ସେମାନେ ସହଜରେ ଭାରତରେ ସେମାନଙ୍କ ଉପକରଣ ବିକ୍ରି କରିପାରିବେ। ଏହାଦ୍ବାରା ଆମେରିକାର ଆଇଟି ଓ ପ୍ରଯୁକ୍ତି ସାମଗ୍ରୀ ଭାରତରେ ଶସ୍ତା ହେବ। ଉନ୍ନତମାନର ପ୍ରଯୁକ୍ତି ମଧ୍ୟ ଭାରତରେ ଉପଲବ୍ଧ ହେବ। ବାଣିଜ୍ୟ ରାଜିନାମା ଲାଗୁ ହେବାର ୬ ମାସ ମଧ୍ୟରେ ନିର୍ଦ୍ଦି‌ଷ୍ଟ କେତେକ କ୍ଷେତ୍ରରେ ଆମେରିକାର ମାନଦଣ୍ଡକୁ ଭାରତରେ ସ୍ବୀକୃତି ଦିଆଯାଇ ପାରିବ କି ନାହିଁ ତାହା ଉପରେ ବିଚାର ହେବ। ବର୍ତ୍ତମାନ ଭାରତରେ କୌଣସି ଆମେରିକୀୟ କମ୍ପାନି ତାହାର ସାମଗ୍ରୀ ବିକ୍ରି କରିଲେ ଭିନ୍ନ ଭିନ୍ନ ମାନଦଣ୍ଡ ଏବଂ ଯାଞ୍ଚର ଆବଶ୍ୟକତା ରହିଛି। ଏହା ବ୍ୟବସାୟକୁ ବିଳମ୍ବ ଏବଂ ବ୍ୟୟସାପେକ୍ଷ କରୁଛି। ଉଭୟ ପକ୍ଷ ଏହା କହିଛନ୍ତି ଯେ ସେମାନେ ପରସ୍ପର ମଧ୍ୟରେ ଏ‌ ନେଇ ଆଲୋଚନା ଚଳାଇବେ, ଯାହାଦ୍ବାରା ସେଗୁଡ଼ିକୁ ପାଳନ କରିବା ସହଜ ହେବ। ଯଦି ଭବିଷ୍ୟତରେ କୌଣସି ଦେଶ ଧାର୍ଯ୍ୟ କରିଥିବା ଶୁଳ୍କରେ କୌଣସି ପରିବର୍ତ୍ତନ ଆଣିବ ତାହେଲେ ଅନ୍ୟ ଦେଶ ତାର ପ୍ରତିଶ୍ରୁତିକୁ ମଧ୍ୟ ବଦଳାଇବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button