ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଆଜି ଜାରି ହୋଇଛି। ଫଳରେ ଆମେରିକାର ଚଢ଼ା ଶୁଳ୍କକୁ ନେଇ ଲାଗି ରହିଥିବା ଦୀର୍ଘଦିନର ଚିନ୍ତା ଦୂର ହୋଇ ସାମୟିକ ଆଶ୍ବସ୍ତି ମିଳିଛି। ଗତ ଅଗଷ୍ଟ ମାସରୁ ଭାରତ ଉପରେ ଆମେରିକା ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲା ତାହା ୧୮ ପ୍ରତିଶତକୁ ହ୍ରାସ ପାଇବ। ୫୦ ପ୍ରତିଶତ ଶୁଳ୍କରେ ରୁଷ୍ ତେଲ କିଣା ବାବଦରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଆମେରିକାକୁ ଭାରତ ମସଲା, ଚା, କଫି, ନଡ଼ିଆ ତେଲ, କାଜୁ, କଦଳୀ, ଆମ୍ବ ଛତୁ ଭଳି କେତେକ ଫଳ, ପରିବା ଓ କିଛି ବେକେରି ସାମଗ୍ରୀ ବିନା ଶୁଳ୍କରେ ଭାରତରୁ ରପ୍ତାନି କରାଯାଇ ପାରିବ। ଭାରତ ଆସନ୍ତା ୫ ବର୍ଷରେ ଆମେରିକାରୁ ୫୦୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ କିଣିବ। ସେଥିରେ ଶକ୍ତି ଉତ୍ପାଦ, ବିମାନ ଓ ବିମାନର ଉପକରଣ, ମୂଲ୍ୟବାନ ଧାତୁ, ପ୍ରଯୁକ୍ତି ସାମଗ୍ରୀ ଓ କୋକିଂ କୋଲ୍ ରହିଛି।

