ୱାସିଂଟନ: କୋଟି କୋଟି ଡଲାର ମୂଲ୍ୟର ଇରାନୀ ତେଲ କ୍ରୟ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଚୀନ୍ର ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ କଟକଣା ଲଗାଇଛି। ଏହି ପଦକ୍ଷେପକୁ ଇରାନର ମୁଖ୍ୟ ଆୟ ଉତ୍ସ ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିବା ପାଇଁ ହ୍ୱାଇଟ୍ ହାଉସ୍ର ବଡ଼ ଅଭିଯାନର ଏକ ଅଂଶ ବୋଲି କୁହାଯାଉଛି। ଆମେରିକାର ଅର୍ଥ ବିଭାଗ କହିଛି ଯେ, ଡାଲିଆନ୍ ବନ୍ଦର ସହରସ୍ଥିତ ହେଙ୍ଗଲି ପେଟ୍ରୋକେମିକାଲ୍ ରିଫାଇନାରୀକୁ ଟାର୍ଗେଟ କରାଯାଇଛି। ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ପାଇଁ ଇରାନର ସବୁଠାରୁ ବଡ଼ ଗ୍ରାହକମାନଙ୍କ ମଧ୍ୟରୁ ଏହା ଗୋଟିଏ ବୋଲି କୁହାଯାଉଛି। ଏହାର ଦୈନିକ ପ୍ରାୟ ୪ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ପ୍ରକ୍ରିୟାକରଣ କ୍ଷମତା ରହିଛି। ହେଙ୍ଗଲି ୨୦୨୩ ମସିହାରୁ ଇରାନରୁ ଅଶୋଧିତ ତୈଳ ଗ୍ରହଣ କରୁଛି। ଅର୍ଥ ବିଭାଗ ଇରାନର ଛାୟା ନୌବାହିନୀ ଭାବରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ଟି ଜାହାଜ କମ୍ପାନି ଏବଂ ଜାହାଜ ଉପରେ ମଧ୍ୟ କଟକଣା ଲଗାଇଛି। ଏସବୁ ଜାହାଜ ଛାୟା ନୌବାହିନୀ ଭାବେ ଇରାନ ପାଇଁ କାର୍ଯ୍ୟ କରୁଥିବା ନୌବାହିନୀ। ଏସବୁ ଜାହାଜରେ କୌଣସି ପତାକା ଲଗାଯାଇ ନଥାଏ। ଏହି ଛାୟା ନୌବାହିନୀ କଟକଣାକୁ ଏଡ଼ାଇ ଇରାନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହିତ ବେଜିଂଂରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ପୂର୍ବରୁ ଏହି କଟକଣା ଲାଗୁ ହୋଇଛି।
ଆମେରିକା ଇରାନ ସରକାରଙ୍କ ଉପରେ ଆର୍ଥିକ ନିୟନ୍ତ୍ରଣକୁ କଡ଼ାକଡ଼ି କରୁଛି। ଅର୍ଥ ବିଭାଗ ବିଶ୍ୱ ବଜାରକୁ ତେଲ ପରିବହନ ପାଇଁ ଇରାନ ଉପରେ ନିର୍ଭର କରୁଥିବା ପରିବହନକାରୀ, ମଧ୍ୟସ୍ଥି ଏବଂ କ୍ରେତାଙ୍କ ନେଟୱାର୍କକୁ ପ୍ରତିବନ୍ଧିତ କରିବା ଜାରି ରଖିବ ବୋଲି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି। ଚଳିତ ମାସର ଆରମ୍ଭରେ, ବେସାଣ୍ଟ ଚୀନ୍, ହଂକଂ, ୟୁଏଇ ଏବଂ ଓମାନର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏକ ଚିଠି ପଠାଇ ଇରାନ ସହିତ ବ୍ୟବସାୟ କରୁଥିବା ଯୋଗୁଁ ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ। ବେସାଣ୍ଟ ଏପ୍ରିଲ ୧୫ ରେ କହିଥିଲେ ଯେ, ପ୍ରଶାସନ ଦେଶଗୁଡ଼ିକୁ କହିଛି, ଯଦି ସେମାନେ ଇରାନ ତେଲ କିଣୁଛନ୍ତି କିମ୍ବା ଯଦି ଇରାନ ଟଙ୍କା ସେମାନଙ୍କ ବ୍ୟାଙ୍କରେ ଜମା ହୋଇଛି, ତେବେ ସେମାନେ ଏବେ ଦ୍ୱିତୀୟ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରୁହନ୍ତୁ। ଏହା ଏକ ଅତ୍ୟନ୍ତ କଠିନ ପଦକ୍ଷେପ ହେବ।
ତଥ୍ୟ ଦର୍ଶାଉଛି ଯେ, ଚୀନ୍ ଇରାନର ରପ୍ତାନି ହୋଇଥିବା ଅଧିକାଂଶ ତେଲ କିଣୁଛି। ୨୦୨୫ପାଇଁ ବିଶ୍ଳେଷଣକାରୀ ଫାର୍ମ କେପଲାର୍ର ତଥ୍ୟ ଅନୁସାରେ ଚୀନ୍ ଇରାନର ରପ୍ତାନି ହୋଇଥିବା ତେଲର ୮୦% ରୁ ଅଧିକ କିଣିଛି। କଟକଣା ବିଶେଷଜ୍ଞମାନେ କହିଛନ୍ତି, ସ୍ୱାଧୀନ ରିଫାଇନାରୀଗୁଡ଼ିକ ଆମେରିକାର କଟକଣାର ପ୍ରଭାବରୁ କିଛି ପରିମାଣରେ ଦୂରରେ ଅଛନ୍ତି କାରଣ ସେମାନଙ୍କର ଆମେରିକାର ଆର୍ଥିକ ବ୍ୟବସ୍ଥା ସହିତ କମ୍ ସମ୍ପର୍କ ଅଛି। ବିଶେଷଜ୍ଞମାନଙ୍କ ଅନୁସାରେ ଏହି କ୍ରୟଗୁଡ଼ିକୁ ସହଜ କରୁଥିବା ଚୀନ୍ ବ୍ୟାଙ୍କଗୁଡ଼ିକ ଉପରେ କଟକଣା ଲଗାଇବା ଦ୍ୱାରା ଇରାନର ତୈଳ କ୍ରୟ ଉପରେ ଅଧିକ ପ୍ରଭାବ ପଡ଼ିବ।
ସୌଜନ୍ୟ ସମ୍ବାଦ

