Trump: ତୁମେ ମୋତେ ସାହାଯ୍ୟ କର, ମୁଁ ତୁମକୁ କରିବି: ପୁଟିନଙ୍କ ସହ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ

ୱାସିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଏକ ଲମ୍ବା ଏବଂ ଗୁରୁତ୍ୱପୂର୍ଣ୍ଣ ଫୋନ୍ ଆଲୋଚନା ହୋଇଛି। ଏହି ଆଲୋଚନାରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଏବଂ ଇରାନ ସହିତ ଉତ୍ତେଜନା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ଏହି ଆଲୋଚନାକୁ ବହୁତ ଭଲ ଏବଂ ସକାରାତ୍ମକ ବୋଲି କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ମୁଁ ପୁଟିନଙ୍କୁ ୟୁକ୍ରେନ ବିବାଦରେ ଏକ ଅସ୍ଥାୟୀ ଯୁଦ୍ଧବିରତି ପରାମର୍ଶ ଦେଇଛନ୍ତି। ମୁଁ ଭାବୁଛି ପୁଟିନ ଏହା କରିପାରିବେ।

ଟ୍ରମ୍ପ ପୁଟିନଙ୍କ ସହ ତାଙ୍କର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସେମାନେ ପରସ୍ପରକୁ ଦୀର୍ଘ ଦିନ ଧରି ଜାଣନ୍ତି, ଏହା ଏକ କୂଟନୈତିକ ସମାଧାନ ଖୋଜିବାରେ ସହାୟକ ହୋଇପାରେ। ୟୁକ୍ରେନ ବ୍ୟତୀତ, ଦୁଇ ନେତା ଇରାନରେ ଚାଲିଥିବା ଉତ୍ତେଜନା ଏବଂ ସେଠାରେ ସମୃଦ୍ଧ ୟୁରାନିୟମ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଏହି ଉତ୍ତେଜନା ସମାଧାନ ପାଇଁ ପୁଟିନ ରୁଷର ସହାୟତା ପ୍ରଦାନ କରିବାକୁ କହିଥିବା ଟ୍ରମ୍ପ ସୂଚିତ କରିଛନ୍ତି। ପୁଟିନଙ୍କୁ ଟ୍ରମ୍ପ ପ୍ରାଥମିକତା ଦେଇ କହିଛନ୍ତି, ସେ ଚାହାଁନ୍ତି ଯେ ରୁଷ ରାଷ୍ଟ୍ରପତି ପ୍ରଥମେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଉପରେ ଧ୍ୟାନ ଦିଅନ୍ତୁ।

ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଏହି ଲମ୍ବା ଆଲୋଚନାକୁ କ୍ରେମଲିନ୍ ପରାମର୍ଶଦାତା ୟୁରି ଉଶାକୋଭ୍ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ୯୦ ମିନିଟରୁ ଅଧିକ ସମୟ ଧରି ଚାଲିଥିଲା। ପୁଟିନ ମେ’ ୯ ତାରିଖରେ ପାଳିତ ହେବାକୁ ଥିବା ବିଜୟ ଦିବସରେ ଅସ୍ତ୍ରବିରତି ଘୋଷଣା କରିବାକୁ ପ୍ରସ୍ତୁତ ଅଛନ୍ତି। ଟ୍ରମ୍ପ ଖୋଲାଖୋଲି ଭାବରେ ଏହି ଧାରଣାକୁ ସମର୍ଥନ କରିଛନ୍ତି, କାରଣ ଏହି ଦିନଟି ରୁଷ ଏବଂ ଆମେରିକା ପାଇଁ ଏକ ଐତିହାସିକ ବିଜୟର ପ୍ରତୀକ।

ଉଷାକୋଭ କହିଛନ୍ତି, ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ବିଷୟରେ ସୂଚନା ମାଗିଥିଲେ, ଯାହା ଉପରେ ପୁଟିନ ତାଙ୍କୁ କହିଥିଲେ ଯେ ଯୁଦ୍ଧକ୍ଷେତ୍ରରେ ରୁଷ ସେନା ଆଗୁଆ ରହିଛନ୍ତି। ରୁଷ ସୈନିକମାନେ ୟୁକ୍ରେନ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁଛନ୍ତି। ଦୁଇ ନେତା ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନ୍ସକିଙ୍କ ପ୍ରତି ସମାନ ମତ ରଖିଥିଲେ। କ୍ରେମଲିନ୍ ଅନୁଯାୟୀ, ଟ୍ରମ୍ଫ ଏବଂ ପୁଟିନ୍ ଉଭୟ ବିଶ୍ୱାସ କରୁଛନ୍ତି ଯେ, ବର୍ତ୍ତମାନର ୟୁକ୍ରେନ ପ୍ରଶାସନ ଉତ୍ତେଜନାକୁ ଶେଷ କରିବା ପରିବର୍ତ୍ତେ ଏହାକୁ ଅଧିକ ଦିନ ଧରି ଜାରି ରଖିବା ପାଇଁ ଲମ୍ବା କରିବା ଉପରେ ଧ୍ୟାନ ଦେଉଛନ୍ତି।

 

 

ସୌଜନ୍ୟ ସମ୍ବାଦ